ଜାନୁଆରି ୧୧ରୁ ସମ୍ବଲପୁର ଲୋକ ମହୋତ୍ସବ

ସମ୍ବଲପୁର: ଗତ କିଛି ବର୍ଷ ଧରି ଅନିୟମିତ ହୋଇଥିବା ସମ୍ବଲପୁର ଲୋକ ମହୋତ୍ସବ ଏଥର ପୁଣିଥରେ ଧୁମ୍‌ଧାମ୍‌ରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ଜାନୁଆରି ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ସମ୍ବଲପୁର ଲୋକ ମହୋତ୍ସବ ଓ ପଲିଶ୍ରୀ ମେଳା ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ଶନିବାର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥର ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବାକୁ ନିଷ୍ପତ୍ତି ହୋଇଛି। ଏହି ସମୟରେ ଓଡିଶାରେ ହକି ବିଶ୍ୱ କପ୍‌ ଅନୁଷ୍ଠିତ ହେବାକୁ ଥିବାରୁ ତା’ର ପ୍ରଚାର ପ୍ରସାର ପାଇଁ ମଧ୍ୟ ଲୋକ ମହୋତ୍ସବରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା।

ହକି ବିଶ୍ବ କପ୍‌ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହେବ। ରାଉରକେଲା ଓ ଭୁବନେଶ୍ବରରେ ଏହାର ମ୍ୟାଚ୍‌ ଗୁଡ଼ିକ ଖେଳାଯିବ। ବିଶ୍ବ କପ୍‌ର ଉଦ୍‌ଘାଟନୀ ଉତ୍ସବ ପାଇଁ ୧୩ ତାରିଖରେ ଲୋକ ମହୋତ୍ସବରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅାୟୋଜନ କରାଯିବ। ଅନ୍ୟ ଦିନ ଗୁଡ଼ିକରେ ବି ଏହାର ପ୍ରଚାରପ୍ରସାର କରାଯିବ। ଲୋକ ମହୋତ୍ସବ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଲିଶ୍ରୀ  ମେଳାର ଷ୍ଟଲ୍‌ ଲଗା ହେବ। କୋଭିଡ କାରଣରୁ ଗତ ଦୁଇ ବର୍ଷ ଲୋକ ମହୋତ୍ସବ ବନ୍ଦ ରହିଥିବାରୁ ଏଥର ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ସେଥି ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଏସଏମସି କମିସନର ପ୍ରଦୀପ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ବଳ, ସଦର ଉପଜିଲ୍ଲାପାଳ ପ୍ରଭାସ ଡନ୍‌ସେନା, ଜିଲ୍ଲା ସଂସ୍କୃତି ଅଧିକାରୀ ଦୀପକ କୁଲୁ, ଓଏସ୍‌ଡି ପର୍ଯ୍ୟଟନ ହେମନ୍ତ କୁମାର ପ୍ରଧାନ, ଓରମାସ ଡେପୁଟି ସିଇଓ ଶ୍ରୀମନ୍ତ ହୋତାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଗଣ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର