ସମ୍ବଲପୁର: ସ୍ଥାନୀୟ ନୃତ୍ୟ ଶିଳ୍ପୀଙ୍କ ସହ ପାଦ ମିଶାଇ ଦେଶ ବିଦେଶରୁ ଆସିଥିବା ଅତିଥି କଳାକାରମାନେ ଦୁଲୁକାଇ ଦେଇଥିଲେ ମଞ୍ଚ। ଶତାଧିକ କଳାକାରଙ୍କୁ ନେଇ ହୋଇଥିବା ଭଳିକିଭଳି ନୃତ୍ୟର ଏହି ଫ୍ୟୁଜନ୍ ସହ ସମ୍ବଲପୁର ଲୋକ ମହୋତ୍ସବ-୨୦୨୩ର ଚମତ୍କାର ପରିସମାପ୍ତି ହୋଇଥିଲା। ଏହି କଳାକାରମାନେ କେବଳ ନିଜେ ନାଚି ନଥିଲେ, ମଞ୍ଚ ତଳକୁ ଓହ୍ଲାଇ ଅତିଥି ଓ ଦର୍ଶକମାନଙ୍କୁ ବି ନଚାଇଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଜିଲ୍ଲାପାଳ ଅନନ୍ୟା ଦାସ, କମିସନର୍‌ ପ୍ରଦୀପ ସାହୁ ବି ଅନ୍ୟମାନଙ୍କ ସହ ପାଦ ମିଳାଇଥିଲେ। ସମସ୍ତ ଆୟୋଜକ, ବିଭିନ୍ନ ସମିତିର ଆବାହକ ଓ ସଦସ୍ୟ, ଉପସ୍ଥାପକ, ଉପସ୍ଥାପିକାମାନେ ୫ ଦିନର ସଫଳ ଆୟୋଜନ ପରେ ନାଚଗୀତରେ ମସଗୁଲ ହୋଇଥିଲେ। ଲୋକମହୋତ୍ସବର ଉଦ୍‌ଯାପନୀ ଅବସରରେ ଆକର୍ଷଣୀୟ ଆତସବାଜିରେ ସମ୍ବଲପୁର ପିଏଚ୍‌ଡି ପଡ଼ିଆର ଆକାଶ ରଂଗିନ ଆଲୁଅରେ ଝଲମଲ ହୋଇଥିଲା। ଭଳିକିଭଳି ଆତସବାଜି ଦେଖଣାହାରୀଙ୍କ ଆଖି ଝଲସାଇବା ସହ ଆମୋଦିତ କରିଥିଲା।

Advertisment

publive-image

ମଙ୍ଗଳବାର ସଂଧ୍ୟାରେ ସମ୍ବଲପୁର ଲୋକମହୋତ୍ସବ ୨୦୨୩ ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ସଂଧ୍ୟାର ପ୍ରାରମ୍ଭିକ ସଭାରେ ସାଂସଦ ନିରଂଜନ ବିଶି, ଲୋକକବି ହଳଧର ନାଗ, ହିଣ୍ଡାଲ୍‌କୋ କଂପ୍ଲେକ୍ସ ମୁଖ୍ୟ କୈଳାସ ପାଣ୍ଡେ, ଜେଏସ୍‌ଡବ୍ଲୁ-ବିପିଏସ୍‌ଏଲ୍‌ର ନିର୍ଦ୍ଦେଶକ ଅନିଲ ସିଂହ, ଆଦିତ୍ୟ ଅାଲୁମିନିୟମ୍‌ର ସଭାପତି ଓ କଂପ୍ଲେକ୍ସ ମୁଖ୍ୟ ସମୀର ନାୟକ ଏବଂ ଶ୍ୟାମ ମେଟାଲିକ୍ସର ନିର୍ଦ୍ଦେଶକ ଡିକେ ତିୱାରୀ ଅତିଥିଭାବେ ଯୋଗ ଦେଇଥିଲେ। କମିସନର୍ ପ୍ରଦୀପ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାକୁ ସଂଯୋଜକ ରଂଜନ ସାହୁ ପରିଚାଳନା କରିଥିଲେ। ଏହି ଅବସରରେ ଲୋକନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଜଡ଼ା ବରଗଡ଼ର ଗାନ୍ଧୀ ବାରିକ ଏବଂ ପାରଂପରିକ କଳା କ୍ଷେତ୍ରରେ ଅବଦାନ ପାଇଁ ଯୁଯୁମୁରାର ଯମୁନା ବିଶ୍ବାଳଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।

publive-image

ପ୍ରାରମ୍ଭିକ ସଭା କାର୍ଯ୍ୟପରେ ଶୁଭିଥିଲା ସଂଗୀତର ମୁର୍ଚ୍ଛନା। ବିଶିଷ୍ଟ କଣ୍ଠଶିଳ୍ପୀ ଶତୃଘ୍ନ ଲୁହା, ପ୍ରିୟଦର୍ଶିନୀ ନାଥ, ସୌମ୍ୟ ବଡ଼ପଣ୍ଡା, ଲିପିକା ବିଭାର, ନବୀନ କୁଅଁର ସମ୍ବଲପୁର ଭଜନ, ଲୋକଗୀତ ଆଦି ଗାଇ ଲୋକଙ୍କୁ ଝୁମାଇଥିଲେ। ରାଇରାଇ କାହ୍ନୁ ନାଇଁ ବାଜେ ତୋର ବେନୁ ମଥୁରା ଗଲା ଦିନୁ, ମହକିଗଲା ମଲ୍ଲୀଫୁଲ, କେନ୍‌ତା ଅଛେ ମୋର୍ ବିନେ ସେ କାଲିଆ ମୋହନ, କେଭେ ଶୁଝିବା ବିହା ଲଗନ ଆଦି ଗୀତ ଦର୍ଶକଙ୍କ ମୁହଁରେ ରଚି ଯାଇଥିଲା। ରତନ୍ ପୂଜାରୀ ଏହି ସଂଗୀତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ନୃତ୍ୟ ଅଧିବେଶନ ଆରମ୍ଭ ହେବା ମାତ୍ରେ ସଭାସ୍ଥଳ ଦର୍ଶକରେ ଭରି ଯାଇଥିଲା। ରଂଗଫରୁଆ ଅନୁଷ୍ଠାନର ସମ୍ବଲପୁରୀ ନାଚ ଆରମ୍ଭରୁ ଦର୍ଶକଙ୍କୁ ବାନ୍ଧିଥିଲା। ଘୁବୁକୁଡ଼ୁ ନାଚ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା।

publive-image

କଳାହାଣ୍ଡିର ପାରଂପରିକ ଘୁମୁରା ନାଚ ବି ବେଶ ମନଛୁଆଁ ହୋଇଥିଲା। ହେଲେ ଶେଷରେ ସବୁ ନୃତ୍ୟ ଦଳକୁ ନେଇ ହୋଇଥିବା ଫ୍ୟୁଜନ୍‌ କେବଳ ଶେଷ ଦିନ ନୁହେଁ, ସମଗ୍ର ଲୋକମହୋତ୍ସବର ଶ୍ରେଷ୍ଠ ଆକର୍ଷଣ ପାଲଟିଥିଲା। ଏଥିରେ ଶ୍ରୀଲଙ୍କା, ମଧ୍ୟପ୍ରଦେଶ, ହରିଆଣା, ପଞ୍ଜାବ, ଆସାମ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଆଦି ବିଭିନ୍ନ ସ୍ଥାନର କଳାକାର ସାମିଲ ହୋଇଥିଲେ। ଫଳରେ ଏକତ୍ର ବହୁବିଧ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା।