ସମ୍ବଲପୁର: ସମ୍ବଲପୁର ପାଇଁ ସତର୍କ ଘଣ୍ଟି। ପ୍ରଧାନମନ୍ତ୍ରୀ ଜାତୀୟ ଡାଏଲିସିସ୍‌ କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଡାକ୍ତରଖାନାରେ ଡାଏଲିସିସ୍‌ ହେଉଥିବା କିଡ୍‌ନି ରୋଗୀଙ୍କ ସଂଖ୍ୟାରେ କଟକକୁ ଟପିଛି ସମ୍ବଲପୁର। ଅର୍ଥାତ ବର୍ତ୍ତମାନ ରାଜ୍ୟରେ ସର୍ବାଧିକ କିଡ୍‌ନି ରୋଗୀ ସମ୍ବଲପୁରରେ ଥିବା ନେଇ ରିପୋର୍ଟ ଦେଇଛି ସ୍ବାସ୍ଥ୍ୟ ନିର୍ଦେଶାଳୟ। ବିଭାଗ ପକ୍ଷରୁ କିଡ୍‌ନି ରୋଗୀଙ୍କ ସଂଖ୍ୟାକୁ ନେଇ ଯେଉଁ ରିପୋର୍ଟ ଦିଆଯାଇଛି ତାହା ବାସ୍ତବତାଠାରୁ ଦୂରରେ ବୋଲି କିଡ୍‌ନିରୋଗ ବିଶେଷଜ୍ଞମାନେ ମତ ଦେଇଛନ୍ତି।   

Advertisment

ସ୍ବାସ୍ଥ୍ୟ ନିର୍ଦେଶାଳୟର ଏହି ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜାତୀୟ ଡାଏଲିସିସ୍‌ କାର୍ଯ୍ୟକ୍ରମ ଅଧୀନରେ ୨୦୨୪ ମସିହାରେ ୫୯୫୭ ନୂତନ ରୋଗୀ ସରକାରୀ ଡାକ୍ତରଖାନାରେ  ଡାଏଲିସିସ୍‌ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଏଥିରେ ସମ୍ବଲପୁରର ରୋଗୀଙ୍କ ସଂଖ୍ୟା ସର୍ବାଧିକ ଅର୍ଥାତ ୧୧୩୪, କଟକର ୧୦୭୭, କୋରାପୁଟର ୩୭୭ ଏବଂ ଗଜପତିର ସର୍ବନିମ୍ନ ୫୬। ଅନ୍ୟ ଜିଲ୍ଲା ମଧ୍ୟରେ ଅନୁଗୁଳର ୧୬୦, ବଲାଙ୍ଗୀରର ୨୨୭, ବାଲେଶ୍ବରର ୧୯୮, ବରଗଡ଼ର ୧୪୦, ବୌଦ୍ଧର ୫୯, ଭଦ୍ରକର ୭୧, ଦେବଗଡ଼ର ୫୯, ଗଞ୍ଜାମର ୧୯୮, ଜଗତସିଂହପୁରର ୮୯, ଯାଜପୁରର ୧୦୨, ଝାରସୁଗୁଡ଼ାର ୧୦୦, କଳାହାଣ୍ଡିର ୧୩୭, କନ୍ଧମାଳର ୭୦, କେନ୍ଦ୍ରାପଡ଼ାର ୮୪, କେନ୍ଦୁଝରର ୨୨୨, ଖୋର୍ଦ୍ଧାର ୧୭୯, କୋରାପୁଟର ୩୭୭, ମାଲକାନଗିରିରେ ୯୩, ମୟୂରଭଞ୍ଜର ୨୧୭, ନବରଙ୍ଗପୁରର ୮୨, ନୟାଗଡ଼ର ୬୩, ନୂଆପଡ଼ାର ୧୧୦, ପୁରୀର ୪୬, ରାୟଗଡ଼ାର ୧୧୫, ସୋନପୁରର ୧୦୯ ଓ ସୁନ୍ଦରଗଡ଼ର ୧୯୧ ରୋଗୀ ଅଛନ୍ତି। ଭୁବନେଶ୍ବରର ଆଇସିଏମ୍‌ଆର୍‌ ପରିଚାଳିତ ଆଞ୍ଚଳିକ ମେଡିକାଲ ରିସର୍ଚ ଲାବୋରୋଟାରି ପକ୍ଷରୁ ୨୦୨୪ ମସିହାରେ ଜାରି ରିପୋର୍ଟରେ କୁହାଯାଇଥିଲା, ମହାନଦୀ ଅବବାହିକା ଲମ୍ବା ସମୟ ଧରି କିଡ୍‌ନିରୋଗ ପ୍ରବଣ ଅଞ୍ଚଳ ରହି ଆସିଛି।

ପ୍ରଧାନମନ୍ତ୍ରୀ ଜାତୀୟ ଡାଏଲିସିସ୍‌ କାର୍ଯ୍ୟକ୍ରମର ତଥ୍ୟ
କଟକକୁ ପଛରେ ପକାଇଲା
ମହାନଦୀ ଅବବାହିକା କିଡ୍‌ନିରୋଗ ପ୍ରବଣ ଅଞ୍ଚଳ

ତେଣୁ କଟକରେ ସର୍ବାଧିକ କିଡ୍‌ନି ରୋଗୀ ଚିହ୍ନଟ ହୋଇଥାଆନ୍ତି। ଏହାସହିତ ଅନୁଗୁଳ, ସମ୍ବଲପୁରରେ ଅନେକ ସଂଖ୍ୟାରେ କିଡ୍‌ନି ରୋଗୀ ଅଛନ୍ତି। ବର୍ତ୍ତମାନ ଢେଙ୍କାନାଳରେ ଅଧିକରୁ ଅଧିକ କିଡ୍‌ନି ରୋଗୀ ଚିହ୍ନଟ ହେଉଛନ୍ତି। କିନ୍ତୁ ଏହି ରିପୋର୍ଟରେ ଢେଙ୍କାନାଳର ୧୯୨ ରୋଗୀ  ଡାଏଲିସିସ୍‌ ପାଇଁ ସରକାରୀ ଡାକ୍ତରଖାନାରେ ପଞ୍ଜୀକୃତ ହୋଇଥିବା ସୂଚନା ଦିଆଯାଇଛି। ଡାକ୍ତରଙ୍କ ଅନୁସାରେ, ପ୍ରକୃତରେ ରାଜ୍ୟରେ ଯେତେ ସଂଖ୍ୟାରେ କିଡ୍‌ନି ରୋଗୀ ଅଛନ୍ତି ସେହି ଅନୁଯାୟୀ ସରକାରୀ ଡାକ୍ତରଖାନାରେ  ଡାଏଲିସିସ୍‌ ମେସିନ ନାହିଁ। ତେଣୁ ବାଧ୍ୟ ହୋଇ ଅନେକ ରୋଗୀ ଘରୋଇ ଡାକ୍ତରଖାନା କିମ୍ବା ବାହାର ରାଜ୍ୟରେ  ଡାଏଲିସିସ୍‌ କରାଇବାକୁ ବାଧ୍ୟ ହେଉଛନ୍ତି। ଉଦାହରଣ ସ୍ବରୂପ ୨୦୨୪ ମସିହାରେ ଭିମ୍‌ସାର ନେଫ୍ରୋଲୋଜି ବିଭାଗରେ ଓପିଡିରେ ୧୧ ହଜାର, ଆଇପିଡିରେ ୧୩୦୦ ଏବଂ  ଡାଏଲିସିସ୍‌ ହୋଇଥିବା ରୋଗୀଙ୍କ ସଂଖ୍ୟା ୪୪୦୦। ଏଥିରେ ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଛତିଶଗଡ଼, ଝାଡ଼ଖଣ୍ଡର ରୋଗୀ ମଧ୍ୟ ଅଛନ୍ତି। ଭିମ୍‌ସାରକୁ ଯେତେ ସଂଖ୍ୟାରେ ରୋଗୀ ଆସୁଛନ୍ତି ସେହି ଅନୁଯାୟୀ ଶଯ୍ୟା ଅଭାବରୁ ବିଭିନ୍ନ ରୋଗୀ ବାହାରକୁ ରେଫର୍‌ ହୋଇଥାଆନ୍ତି। ଯାହା କେବଳ ଭିମସାର ନୁହେଁ; ଏସ୍‌ସିବି, ଏମ୍‌କେସିଜି ଏବଂ ଅନ୍ୟ ସରକାରୀ ଡାଏଲିସିସ୍‌ କେନ୍ଦ୍ରର ଚିତ୍ର ଅଟେ। ପ୍ରଧାନମନ୍ତ୍ରୀ ଜାତୀୟ  ଡାଏଲିସିସ୍‌ କାର୍ଯ୍ୟକ୍ରମର ପରିସଂଖ୍ୟାନ ରିପୋର୍ଟ ସମ୍ବଲପୁର ପାଇଁ ସତର୍କ ଘଣ୍ଟି। ଦ୍ରୁତଗତିରେ ଏହି ରୋଗ ଜିଲ୍ଲାକୁ ବ୍ୟାପୁଥିବା ଏଥିରୁ ସୂଚନା ମିଳୁଛି।