ସମ୍ବଲପୁରରେ ସାମ୍ବାଦିକଙ୍କୁ ଠେଲାପେଲା କଲେ ଥାନା ଅଧିକାରୀ

କେନ୍ଦ୍ରାପଡା ପରେ ସମ୍ବଲପୁରରୁ ଆସିଲା ଦୁର୍ବ୍ୟବହାର ଘଟଣା

ସମ୍ବଲପୁର: କେନ୍ଦ୍ରାପଡାରେ ଏସପି ନୀତିଶେଖର ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଘଟଣା ମନରୁ ଲିଭି ନଥିବାବେଳେ ପୁଣି ଥରେ ସମ୍ବଲପୁରରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୁଲିସର ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସିଛି | ଧନୁପାଲୀ ଥାନାର ଇନ୍ସପେକ୍ଟର କମଳ ପଣ୍ଡା ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଗୁଣମଣି ବିଶ୍ୱାଳଙ୍କୁ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରିଥିବାର ଦୃଶ୍ୟ ସାମ୍ନାକୁ ଆସିଛି |

ମିଳିଥିବା ସୂଚନା ମୁତାବକ ସମ୍ବଲପୁରର ସହରର ଏକ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା | ଏହାକୁ ନେଇ ଆଜି ସକାଳେ ବହୁ ସଂଖ୍ୟାରେ ଅଭିଭାବକ ଓ ଗଣମାଧ୍ୟମ ପ୍ରତିନିଧି ସ୍କୁଲ ଫାଟକ ସାମ୍ନାରେ ରୁଣ୍ଡ ହୋଇଥିଲେ |

ଏହି ସମୟରେ ଥାନା ଅଧିକାରୀ କମଳ ପଣ୍ଡା ଅଭିଭାବକଙ୍କ ସହ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଗୁଣମଣିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ | ଗୁଣମଣିଙ୍କ କଥା ନ ଶୁଣି ତାଙ୍କୁ ଘୋଷାରି ସ୍କୁଲ ଗେଟ ସମ୍ମୁଖରୁ ଭିଡିଅଣାଯାଇଥବାର ଅଭିଯୋଗ ହୋଇଛି | ଏହି ଘଟଣାକୁ ନେଇ ସାମ୍ବାଦିକମାନେ ଉତ୍ତରାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇଙ୍କୁ ଭେଟିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି |

ସମ୍ବନ୍ଧିତ ଖବର