ସମ୍ବଲପୁର ପାଲଟୁଛି ହଟ୍‌ସ୍ପଟ୍, ଗୋଟିଏ ଦିନରେ ୧୭୫ ଜଣ ଚିହ୍ନଟ, ସୁସ୍ଥ ୧୫୧

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କୋଭିଡ୍ ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାକୁ ବସିଲାଣି। ପ୍ରତ୍ୟେକ ଦିନ ଶତାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପ୍ରଶାସନ ଓ ଜିଲ୍ଲାବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଶନିବାର ଜିଲ୍ଲାରେ ଆଉ ୧୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୧୭୫ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୯୮୯କୁ ବୃଦ୍ଧି ପାଇଛି। ଏହି ୧୭୫ ଜଣଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଧୀନ ଅଞ୍ଚଳରୁ ୧୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ବ୍ଲକଗୁଡ଼ିକରୁ ୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏସ୍‌ଏମ୍‌ସି ଅଧୀନ ବୁର୍ଲା ଅଞ୍ଚଳରୁ ସର୍ବାଧିକ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟ ବ୍ଲକଗୁଡ଼ିକ ମଧ୍ୟରେ କୁଚିଣ୍ଡାରୁ ୯ ଜଣ ଚିହ୍ନଟ ହୋଇଥିବା ବେଳେ ରେଢ଼ାଖୋଲ ଓ ଧନକଉଡ଼ାରୁ ୮ ଜଣ ଲେଖାଏଁ, ଜମନକିରା ଓ ରେଙ୍ଗାଲିରୁ ୭ ଜଣ ଲେଖାଏଁ, ନାକଟିଦେଉଳ ଓ ବାମରାରୁ ୬ ଜଣ ଲେଖାଏଁ ଏବଂ ଯୁଯୁମୁରାରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

୧୧ ହଜାରରୁ ଅଧିକ ସୁସ୍ଥ ହେଲେଣି
ସମ୍ବଲପୁର ଜିଲ୍ଲାରେ ମୋଟ ଉପରେ ୧୨୯୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇସାରିଲେଣି। ଶନିବାର ଜିଲ୍ଲାରେ ଆଉ ୧୫୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଉପରେ ୧୧୧୪୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଲେଣି। ଅନ୍ୟପଟେ ବର୍ତ୍ତମାନ ଜିଲ୍ଲାରେ ୧୭୬୦ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର