ସମ୍ବଲପୁର: ପଶ୍ଚିମ ଓଡ଼ିଶା ପ୍ରତି ଅଣଦେଖା କରୁଛନ୍ତି ରାଜ୍ୟ ସରକାର। ଆଉ ବରଦାସ୍ତ କରାଯିବ ନାହିଁ। ସ୍ବତନ୍ତ୍ର ରାଜ୍ୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚିନ୍ତା କରୁଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ। ଆସନ୍ତା ୨ ନଭେମ୍ବରରେ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଇଁ ଚିନ୍ତା କରାଯାଉଛି ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର କହିଛନ୍ତି। ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ସବୁବେଳେ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଆର୍ଥିକ ଶୋଷଣ କରାଯାଉଛି।
ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ବି ରାଜ୍ୟ ସରକାର ଠୋସ୍ ନିଷ୍ପତ୍ତି ନେଉନାହାନ୍ତି। ରାଜ୍ୟ ସରକାର ବେପରୁଆ ମନୋଭାବ ପୋଷଣ କରୁଛନ୍ତି। ଭିମ୍ସାରକୁ ସୁପର ସ୍ପେସାଲିଟି ହସ୍ପିଟାଲ ପରିଣତ କ୍ଷେତ୍ରରେ ବି ଟାଳଟୁଳ ନୀତି ଅବଳମ୍ବନ କରାଯାଉଛି। ଏଭଳି ସ୍ଥିତିରେ ସ୍ବତନ୍ତ୍ର ରାଜ୍ୟ ଛଡ଼ା ଅନ୍ୟ ବିକଳ୍ପ ନାହିଁ। ସ୍ବତନ୍ତ୍ର ପଶ୍ଚିମ ଓଡ଼ିଶା ରାଜ୍ୟ ଗଠନ ଦାବି ନେଇ କେତେକ ମହଲରୁ ପ୍ରସ୍ତାବ ଆସିଛି। ଆଗାମୀ ଦିନରେ ବିଭିନ୍ନ ସଂଗଠନ ସହିତ ଆଲୋଚନା କରାଯାଇ ସମ୍ବଲପୁର ବନ୍ଦ ଡାକରା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।