ସମ୍ବଲପୁର: ପବିତ୍ର ଶୀତଳଷଷ୍ଠୀ ଯାତ୍ରା ପାଇଁ ସ˚ସ୍କୃତିର ସହର ସମ୍ବଲପୁର ଉତ୍ସବମୁଖର ହୋଇ ଉଠିଛି। ଜଗତଜନନୀ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ଦେବଦେବ ମହାଦେବ ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ବାହାରିଛନ୍ତି। ବରବେଶୀ ମହାଦେବଙ୍କ ଦର୍ଶନ ପାଇଁ ସହରର ସମସ୍ତ ରାସ୍ତାଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଶନିବାର ରାତି ପ୍ରାୟ ୧୧ଟା ବେଳେ ନନ୍ଦପଡ଼ାର ବ˚ବ˚ ବରାଡ଼ ବାଲୁ˚କେଶ୍ବର ବାବାଙ୍କ ବରାତ ଧୁମ୍ଧାମ୍ରେ ବାହାରିଥିଲା। ବାଲୁଙ୍କେଶ୍ବର ବାବା ଦଳେଇପଡ଼ା ଛକରୁ ବରବେଶରେ ବାହାରି ହାଟପଡ଼ା, ନନ୍ଦପଡ଼ା, ଦଧିବାମନ ଗଳି, କଂସାରିପଡ଼ା, ବୈଦ୍ୟନାଥ ଛକ ଦେଇ ଗୋଲବଜାରସ୍ଥିତ କନ୍ୟାଳୟରେ ପହଞ୍ଚିଥିଲେ। ବୃଷଭ ସବାର ବାଲୁ˚କେଶ୍ବର ବାବାଙ୍କ ସହ ସାକ୍ଷୀ ଗୋପୀନାଥ, ପଞ୍ଚବକ୍ତ୍ର, ନନ୍ଦୀ, ଭୃଙ୍ଗୀ ଓ ଅନ୍ୟାନ୍ୟ ଦେବାଦେବୀ ବରଯାତ୍ରାରେ ଯାଇଥିଲେ। ଘଣ୍ଟ, ଶ˚ଖ, ଦୁଲ୍ଦୁଲି ବାଜା, ଧମାଲ ବାଜା, ସଂପ୍ରଦା, ଡଙ୍କା ବାଜା, ଡମରୁ, ବ୍ଲାକ୍ କୋବ୍ରା, ପୁରୁଲିଆ ଛଉ, ଅଘୋରି ନୃତ୍ୟ ରଥ, ରାଧାକୃଷ୍ଣ ରଥ, କୋଲକାତା, ନାଗପୁର ଓ ରାୟପୁରର ୪ଟି ରଥ ନୃତ୍ୟ ଦଳ ଶୋଭାଯାତ୍ରାରେ ନିଜ କଳାର ପ୍ରଦର୍ଶନ କରିଥିଲେ।
ଏହି ବରଯାତ୍ରାରେ ବରପିତା ରାମଚରଣ ମିଶ୍ର, ପଡ଼ାର ମୁରବୀ, ଯୁବକ, ଯାତ୍ରା କମିଟି ସଦସ୍ୟଙ୍କ ସମେତ ହଜାର ହଜାର ଭକ୍ତ ଓ କଳାକାର ସାମିଲ ହୋଇଥିଲେ। ଶୋଭାଯାତ୍ରା କନ୍ୟାଳୟରେ ପହଞ୍ଚିବା ପରେ କନ୍ୟା ପିତାମାତା ଗିରୀଶ ପଟେଲ, ହଂସା ପଟେଲଙ୍କ ସମେତ ବନ୍ଧୁବାନ୍ଧବ ଓ ପରିବାର ଲୋକେ ବରବେଶୀ ମହାଦେବ ଏବ˚ ବରଯାତ୍ରୀଙ୍କୁ ପାଛୋଟି ନେଇଥିଲେ। ବିଳମ୍ବିତ ରାତିରେ ବିବାହ କାର୍ଯ୍ୟ ବୈଦିକ ଉତ୍କଳୀୟ ବ୍ରାହ୍ମଣ ପରଂପରା ଅନୁଯାୟୀ ଆରମ୍ଭ ହୋଇଥିଲା। ବରଯାତ୍ରୀଙ୍କୁ କନ୍ୟା ପକ୍ଷରୁ ଆତିଥ୍ୟ ପ୍ରଦାନ କରା ଯାଇଥିଲା।
ଝାଡୁଆପଡ଼ାର ଶ୍ରୀଶ୍ରୀ ଲୋକନାଥ ବାବାଙ୍କ ବରାତି ଶୋଭାଯାତ୍ରା ଯାକ୍ଜମକରେ ବାହାରିଥିଲା। ଶୋଭାଯାତ୍ରା ଝାଡ଼ୁଆପଡ଼ା, କୁ˚ଜେଲପଡ଼ା, ବାଲିବନ୍ଧା, କମଲିବଜାର ହୋଇ ବିବାହସ୍ଥଳ ପାଟଣେଶ୍ବରୀ କଲ୍ୟାଣ ମଣ୍ତପରେ ପହଞ୍ଚିଥିଲା। ଶୋଭାଯାତ୍ରାରେ କୁଚିଣ୍ଡାର ଗୌରବାଡ଼ି, ହୀରାକୁଦର ଘଣ୍ଟ, ଗାଇସୀମାର ଶଂଖ, ବିଭିନ୍ନ ସ୍ଥାନର ଦୁଲଦୁଲି, ସଂପ୍ରଦା, କୋଲକାତାର ୪ ଦଳ ଆଧୁନିକ ନାଚ, ଛତିଶଗଡ଼ର କରମା ସମେତ ପ୍ରାୟ ୬୦୦ କଳାକାର ନିଜ କଳା ପ୍ରଦର୍ଶନ କରିଥିଲେ। ଏହି ବରଯାତ୍ରାରେ ବରପିତା ଆତ୍ମାରାମ ସୁପକାର, ଯାତ୍ରା କମିଟି ସଦସ୍ୟଙ୍କ ସମେତ ପଡ଼ାବାସୀ, ଅସ˚ଖ୍ୟ ଭକ୍ତ ଓ କଳାକାର ସାମିଲ ହୋଇଥିଲେ। ଶୋଭାଯାତ୍ରା କନ୍ୟାଳୟରେ ପହଞ୍ଚିବା ପରେ କନ୍ୟା ପିତାମାତା ସୁନୀଲ ଅଗ୍ରୱାଲ ଓ କବିତା ଅଗ୍ରୱାଲଙ୍କ ସମେତ ବନ୍ଧୁବାନ୍ଧବ ଓ ପରିବାର ଲୋକେ ବରବେଶୀ ଲୋକନାଥଙ୍କୁ ପର˚ପରା ଅନୁଯାୟୀ ପୂଜାର୍ଚ୍ଚନା କରି ସ୍ବାଗତ କରିଥିଲେ। ବରଯାତ୍ରୀଙ୍କୁ ପାଛୋଟି ନେଇଥିଲେ। ମଧୢ ରାତ୍ରୀରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆରଣ୍ୟକ ବ୍ରାହ୍ମଣ ପରଂପରାରେ ବିବାହ ହୋଇଥିବାବେଳେ କିଛିକିଛି ମାରୱାଡ଼ି ପରଂପରାର ବି ମିଶ୍ରଣ ଦେଖିବାକୁ ମିଳିଥିଲା।
ମୁଦିପଡ଼ା ମନ୍ଦିରରୁ ଜାଗେଶ୍ବର ବାବାଙ୍କ ବରଯାତ୍ରା ଉତ୍ସାହ ଉଦ୍ଦୀପନା ମଧୢରେ ମୁଦିପଡ଼ା ଛକ, ଫାଟକ, ବୁଢ଼ାରଜା ଦେଇ ଏସ୍ଆର୍ଆଇଟି ଏକ୍ଜିକ୍ୟୁଟିଭ୍ କଲୋନିସ୍ଥିତ କନ୍ୟା ପିତାମାତାଙ୍କ ଘରେ ପହଞ୍ଚିଥିଲା। କନ୍ୟା ପିତାମାତା ବିନୋଦ ବିହାରୀ ପଟେଲ, ବିନତା ନାୟକଙ୍କ ସମେତ କନ୍ୟାପକ୍ଷ ବରବେଶୀ ମହାଦେବ ଏବଂ ବରଯାତ୍ରୀଙ୍କୁ ପାଛୋଟି ନେଇଥିଲେ। ଶୋଭାଯାତ୍ରାରେ ଦୁଲଦୁଲି, ଶ˚ଖ, ପାରଂପରିକ ନାଚ, ଘଣ୍ଟ ପାର୍ଟି ସହ ରଥରେ ରେକର୍ଡ ଡ୍ୟାନ୍ସ ଦଳ ସାମିଲ ହୋଇଥିଲେ। ବିଳମ୍ବିତ ରାତିରେ ବିବାହ କାର୍ଯ୍ୟ ବୈଦିକ ରୀତିରେ ଆରମ୍ଭ ହୋଇଥିଲା। ବରପିତା ମଧୁସୂଦନ ନେଗୀ, କମିଟି କର୍ମକର୍ତ୍ତା ଓ ପଡ଼ାବାସୀ ବର ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ଠାକୁରପଡ଼ା ଗୁପ୍ତେଶ୍ବର ବାବାଙ୍କ ବରଯାତ୍ରୀ ରାତିରେ ମନ୍ଦିରରୁ ବାହାରି ଗୋପାଲପାଲିସ୍ଥିତ କନ୍ୟାଳୟରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ଘଣ୍ଟବାଦ୍ୟ, ଦୁଲଦୁଲି ବଜା, ସ˚ପର୍ଦା, ଡିଜେ ସାଉଣ୍ତ ଲାଇଟ୍ ଓ ରେକର୍ଡ ଡ୍ୟାନ୍ସ ଦଳ ସାମିଲ ହୋଇଥିଲେ। ବରପିତା ଜ୍ଞାନୀ ପ୍ରସାଦ ସେଠୀଙ୍କ ସହ କମିଟି ସଦସ୍ୟ, ପଡ଼ାବାସୀ ବହୁ ସଂଖ୍ୟାରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବରଯାତ୍ରୀ ପହଞ୍ଚିବା ପରେ କନ୍ୟା ପିତାମାତା ବାସୁଦେବ ସାହୁ ଏବଂ ଆନନ୍ଦ କୁମାରୀ ସାହୁଙ୍କ ପରିବାର ପକ୍ଷରୁ ଭବ୍ୟ ସ୍ବାଗତ କରା ଯାଇଥିଲା। ବିଳମ୍ବିତ ରାତ୍ରୀରେ ଲୌକିକ ରୀତିନୀତିରେ ଗୁପ୍ତେଶ୍ବର ବାବାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିଲା।
ବଡ଼ବଜାରର ଶୀତଳେଶ୍ବର ବାବାଙ୍କ ବରଯାତ୍ରୀ ଶୋଭାଯାତ୍ରା ବିଳମ୍ବିତ ରାତିରେ ବାହାରି କେଉଟପଡ଼ାସ୍ଥିତ କନ୍ୟାଳୟରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ରଥ ନାଚ ଦଳ ସହ ଘଣ୍ଟ, ଶ˚ଖ, ଦୁଲଦୁଲି ଦଳ ସାମିଲ ହୋଇଥିଲେ। ବିଳମ୍ବିତ ରାତିରେ ଉତ୍ସାହ ଉଦ୍ଦୀପନା ମଧୢରେ ବିବାହ ଆରମ୍ଭ ହୋଇଥିଲା। ବରପିତା ଜଗଦୀଶ କାଲାନୋରିଆଙ୍କ ସମେତ କମିଟି ସଦସ୍ୟ ଓ ପଡ଼ାବାସୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ସେହିପରି ବାଲିବନ୍ଧାର ସୋମନାଥ ବାବା, ବୁଢ଼ାରଜାର ପାହାଡେ଼ଶ୍ବର ବାବା, ଦୁର୍ଗାପାଲିର ଗୁଡେ଼ଶ୍ବର ବାବା, ଭତରାର ଶ˚କର ବାବା, ଗୋବିନ୍ଦତୋଲାର ସ୍ବପ୍ନେଶ୍ବର ବାବା, ସାକ୍ଷୀପଡ଼ାର ଓଁକାରେଶ୍ବର ବାବା, ସିନ୍ଦୁରପଙ୍କର ତାରକେଶ୍ବର ବାବା, କଟରଧୁଆର ମହାକାଳେଶ୍ବର ବାବା, କୁଲୁଥକାନିର କଳ୍ପେଶ୍ବର ବାବା, ସାଲିଆବଗିଚାର ରାମେଶ୍ବର ବାବା, ଦଳେଇପଡ଼ାର ଗୁପ୍ତେଶ୍ବର ବାବା ବରବେଶରେ ଯାଇ କନ୍ୟାଳୟରେ ପହଞ୍ଚିଛନ୍ତି। ମାତା ପାର୍ବତୀଙ୍କ ସହ ବିବାହ ଉତ୍ସବ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଛି।