ସମ୍ବଲପୁର : ହନୁମାନ ଜୟନ୍ତୀ ପରିପ୍ରେକ୍ଷୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଅଶାନ୍ତ ରହିଛି ସମ୍ବଲପୁର ସହର। ବୁଧବାର ହନୁମାନ ଜୟନ୍ତୀ ସମନ୍ବୟ ସମିତିର ବାଇକ ରାଲି ଉପରେ ପଥରମାଡ଼ ପରଠାରୁ ଛୋଟବଡ଼ ହିଂସାକାଣ୍ଡ ଦେଖାଦେଇଛି। ରାତି ପ୍ରାୟ ୮ଟାବେଳେ ଟାଉନ୍ ଥାନା ଅନ୍ତର୍ଗତ ଦଲେଇପଡ଼ା ସଂଲଗ୍ନ ରିଂ ରୋଡରେ କିଛି ଦୁର୍ବୃତ୍ତ ଆଉ କିଛି ଯୁବକଙ୍କୁ ଖଣ୍ଡା, ଭୁଜାଲିରେ ଆକ୍ରମଣ କରିଥିଲେ। ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣଙ୍କର ହାତ କଟିଯାଇଛି। ଏହାପରଠାରୁ କିଛି କିଛି ସ୍ଥାନରେ ଭଙ୍ଗାରୁଜା, ପୋଡ଼ାଜଳା ଆରମ୍ଭ ହୋଇଯାଇଛି। ପରିସ୍ଥିତିରେ ସୁଧାର ଆଣିବା ପାଇଁ ଡିଆଇଜି, ଏସ୍ପି, ବଛା ବଛା ପୁଲିସ ଅଧିକାରୀ ଏବଂ ୪୨ ପ୍ଲାଟୁନ୍ ପୁଲିସ ଫୋର୍ସ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି।
ଶୁକ୍ରବାର ରାତିରେ ସହର ଭିତରେ ଭବ୍ୟ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ପୂରା ପୁଲିସ୍ ପ୍ରଶାସନର ଧ୍ୟାନ ଏହା ଉପରେ ଥିଲା। ଏହାର ସୁଯୋଗ ନେଇ ଅସାମାଜିକ ତତ୍ତ୍ବମାନେ ସହରର ଭିନ୍ନଭିନ୍ନ ସ୍ଥାନରେ ଅପରାଧ ଘଟାଇଛନ୍ତି। ରାତି ପ୍ରାୟ ୮ଟାବେଳେ ଟାଉନ୍ ଥାନା ଅନ୍ତର୍ଗତ ଦଲେଇପଡ଼ା ସଂଲଗ୍ନ ରିଂ ରୋଡରେ ଆକ୍ରମଣର ଶିକାର ହୋଇଥିବା ଯୁବକମାନେ ୨ଟି ମୋଟର୍ ସାଇକେଲ୍ରେ ଯାଉଥିଲେ। ଏହିସମୟରେ ଦୁର୍ବୃତ୍ତମାନେ ପଛପଟୁ ବାଇକ୍ରେ ଆସି ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ବଡ଼ସିଂହାରୀର ଚିନ୍ତାମଣି ମିର୍ଦ୍ଧା (ପଲ୍ଟୁ) ବାଇକରୁ ପଡ଼ିଯାଇଥିଲେ। ଏହିସମୟରେ ଆକ୍ରମଣକାରୀମାନେ ପଲ୍ଟୁ ଓ ଭବାନୀପାଲିର ବିଶ୍ବନାଥ ସିକ୍କାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ବିଶ୍ବନାଥ ଧରିବାକୁ ଚେଷ୍ଟା କଲା ବେଳେ ତାଙ୍କ ହାତ କଟିଯାଇଥିଲା।
ସେମାନଙ୍କ ସହ ଥିବା ଆଉ ଜଣେ ଯୁବକ ସରଲାକାନିର ପ୍ରତ୍ୟୁଷ ଦାସ ମଧ୍ୟ ଆକ୍ରମଣରେ ଆହତ ହୋଇଥିଲେ। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ପଲ୍ଟୁ ମିର୍ଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ। ବିଶ୍ବନାଥଙ୍କୁ ବୁର୍ଲା ସ୍ଥାନାନ୍ତର କରା ଯାଇଥିବାବେଳେ ପ୍ରତ୍ୟୁଷଙ୍କୁ ପ୍ରାଥମିକ ଚିକିତ୍ସା କରି ଛାଡ଼ି ଦେଇଥିଲେ। ଆକ୍ରମଣକାରୀମାନେ ଏହି ଘଟଣା ପରେ ଫେରାର ହୋଇଯାଇଛନ୍ତି।
ସେହିପରି ମିଳିଥିବା ଖବର ଅନୁସାରେ, ସହରର ଜିଲ୍ଲା ସ୍କୁଲ ଛକ, ପେନ୍ସନ୍ ପଡ଼ା, ଲକ୍ଷ୍ମୀଟକିଜ୍ ଛକ, ଗୋଲବଜାର ଆଦି ସ୍ଥାନରେ ଶୋଭାଯାତ୍ରା ଚାଲିଥିବା ସମୟରେ ପଥର ମାଡ଼ ହୋଇଥିଲା। ବିଏସ୍ଏଫ୍ ମାର୍ଗ, ଗୋଲବଜାର, ଜେଇଟି ଟକିଜ୍, ଦଳେଇପଡ଼ା, ଫାଟକ, ଚାରଭାଟି, ଗୋବିନ୍ଦକୋଲା ଆଦି ଅଞ୍ଚଳରେ ଦୋକାନ ଜଳାପୋଡ଼ା ଓ ଭଙ୍ଗାରୁଜା ହୋଇଛି। ନାନା ପ୍ରକାର ଗୁଜବ ପୁଲିସ ପାଇଁ ସମସ୍ୟା ସୃଷ୍ଟି କରିଛି।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ଗୋଲବଜାରର ଗେଇଟି ଟକିଜ୍ ରୋଡ୍ରେ ଥିବା ଆମେଜିଂ ବେକର କୋଠାକୁ ଆଜି ପ୍ରାୟ ରାତି ସାଢ଼େ ୧୦ଟାରେ କେହି ଦୁର୍ବୃତ୍ତ ଜାଳିଦେଇଛି। କୋଠାର ଉପର ମହଲାରେ ଭଡ଼ାରେ ରହୁଥିବା ଏକାଧିକ ପରିବାର ଫସିରହିଥିଲେ। ସୂଚନା ପାଇ ଦମକଳ ବାହିନୀର ତିନିଟି ୟୁନିଟ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟାକରୁଛନ୍ତି। ଖବର ଲେଖାହେବା ଯାଏଁ କୋଠାରେ ଫସି ରହିଥିବା ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ସେପଟେ ଉକ୍ତ କୋଠାରୁ ନିଆଁ ବ୍ୟାପି ଆଖପାଖରେ ଥିବା ୩ରୁ ଅଧିକ ଦୋକାନ ଓ ଘର ମଧ୍ୟ ଜଳିଯାଇଛି।
ଅନ୍ୟପକ୍ଷରେ ଗୁରୁବାର ହୋଇଥିବା ସ୍ଥାନୀୟ ମାୟା ବଗିଚା ଖଣ୍ଡା ଓ ଛୁରାମାଡ଼ ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଅଲତାଫ ସହ ନୌସାଦ ଅଲୀ ଏବଂ ସେକ୍ ସଦ୍ଦାମଙ୍କୁ ପୁଲିସ୍ ଶୁକ୍ରବାର ଗିରଫ୍ କରିଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରିବ ବୋଲି ଏସ୍ପି ବି. ଗଂଗାଧର ସୂଚନା ଦେଇଛନ୍ତି। ମାୟା ବଗିଚାର ଅଙ୍କିତ ନାମକ ଯୁବକକୁ ଆକ୍ରମଣ ହୋଇଥିଲା। ସେ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଶୁକ୍ରବାର ରାତିରେ ସହରର ୪ରୁ ଅଧିକ ସ୍ଥାନରେ ଛୋଟମୋଟ ଦୋକାନ ପୋଡ଼ି ଘଟଣାରେ ପୁଲିସ୍ ୨ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି।