ସମ୍ବଲପୁରରେ କରୋନା ଟିକା ଅଭାବ: ଭିମ୍‌ସାରରେ ଆଣ୍ଟିଜେନ୍‌ କିଟ୍, ପରୀକ୍ଷା ନହେବାରୁ ରୋଗୀ ହଇରାଣ

ସମ୍ବଲପୁର: ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏପଟେ ଜିଲ୍ଲାରେ କରୋନା ଟିକାର ଘୋର ଅଭାବ ଦେଖିବାକୁ ମିଳୁଛି। କେବଳ କରୋନା ଟିକା ନୁହେଁ, ଆଣ୍ଟିଜେନ୍ କିଟ୍‌ର ବି ଅଭାବ ପରିଲକ୍ଷିତ ହୋଇଛି। ଆଜି ଭିମ୍‌ସାରରେ ଆଣ୍ଟିଜେନ୍ କିଟ୍‌ ଅଭାବ ଯୋଗୁଁ ଆଜି ବେଶ୍ କିଛି ଘଣ୍ଟା ପର୍ଯ୍ୟନ୍ତ ପରୀକ୍ଷା ବନ୍ଦ ରହିଥିବା ବେଳେ ରୋଗୀମାନଙ୍କୁ ହଇରାଣ ହେବାକୁ ପଡ଼ିଛି।
ସମ୍ବଲପୁର ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ବିଭିନ୍ନ ପିଏଚ୍‌ସି, ସିଏଚ୍‌ସିରେ କରୋନା ଟିକା ଦିଆଯାଉଛି। ଏପରିକି କେତେକ ପଞ୍ଚାୟତ ଅଂଚଳରେ ବି ଟିକା ଦିଆଯାଉଛି। ହେଲେ ଜିଲ୍ଲାରେ କରୋନା ଟିକା ଯେତିକି ଗଚ୍ଛିତ ଥିଲା, ତାହା ଶେଷ ହେବାକୁ ବସିଲାଣି। ସ୍ଥିତି ଏମିତି ହୋଇଛି ଯେ, କେତୋଟି ଜାଗାରେ ଟିକାକରଣ ହୋଇପାରିନଥିବା ବେଳେ ଆସନ୍ତାକାଲି ଜିଲ୍ଲାର ଅଧିକାଂଶ ଜାଗାରେ ଟିକାକରଣ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ସିଡିଏମ୍ଓ ଗତ କିଛିଦିନ ହେଲା ଛୁଟିରେ ଅଛନ୍ତି। ନୋଡାଲ ଅଫିସର ଥିବା ଡାକ୍ତର ଜଣକ ବଦଳି ହୋଇ ଅନ୍ୟ ଜିଲ୍ଲାକୁ ଗ‌ଲେଣି। ଏଭଳି ସ୍ଥିତିରେ ଜିଲ୍ଲାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ଭରତ ଦାଶଙ୍କୁ ପଚାରିବାରୁ ସେ କହିଲେ, ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଦରକାର ମୁତାବକ ଟିକା ଆସିଯିବ। ତେବେ, ଆସନ୍ତାକାଲି ଅଳ୍ପ କେତୋଟି ଜାଗାରେ ଟିକା ଦିଆଯିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ବୁର୍ଲା ଭିମ୍‌ସାରରେ ରୋଗୀମାନଙ୍କ ତୁରନ୍ତ ନମୁନା ରିପୋର୍ଟ ଜାଣିବା ପାଇଁ ବ୍ୟବହୃତ ହେଉଥିବା ଆଣ୍ଟିଜେନ୍ କିଟ୍‌ ଆଜି ସରିଯାଇଥିଲା। ବୁର୍ଲାକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଂଚଳରୁ ରୋଗୀମାନେ ଆସୁଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ରୋଗୀମାନଙ୍କ ନମୁନା ପରୀକ୍ଷା କରାଯାଉଛି। କୋଭିଡ୍ ରିପୋର୍ଟ ନେଗେଟିଭ୍‌ ଆସିଲେ ୱାର୍ଡରେ ଭର୍ତ୍ତି କରାଯାଉଛି। ଆଣ୍ଟିଜେନ୍ ରିପୋର୍ଟରୁ ରୋଗୀ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲେ କୋଭିଡ୍ ହସ୍ପିଟାଲକୁ ପଠାଯାଉଛି। ଆଜି ମଧ୍ୟାହ୍ନ ୧୨ଟାରେ ଆଣ୍ଟିଜେନ୍ କିଟ୍ ଶେଷ ହୋଇଯାଇଥିଲା। ଫଳରେ ରୋଗୀ ଓ ସେମାନଙ୍କ ପରିଜନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବେଶ୍ କିଛି ଘଣ୍ଟା ଧରି ଡାକ୍ତରଖାନାରେ ରୋଗୀ ଭର୍ତ୍ତି ‌ହୋଇପାରିନଥିଲା। ସମ୍ବଲପୁର ଜିଲ୍ଲାରେ ଏହାର ଅଭାବ ଦେଖି ଝାରସୁଗୁଡ଼ା ଜିଲ୍ଲାରୁ ଆଣ୍ଟିଜେନ୍ କିଟ୍‌ ଅଣାଯିବା ପରେ ଅପରାହ୍‌ଣରେ ପୁଣି ପରୀକ୍ଷା କରାଯାଇ ରୋଗୀମାନଙ୍କୁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ,ସମ୍ବଲପୁର ଜିଲ୍ଲାରୁ ଗତ ୧ ତାରିଖ ୧୪ ଜଣ, ୨ ତାରିଖ ୧୬ ଜଣ ଏବଂ ୩ ତାରିଖ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ୪ ତାରିଖ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୭ରେ ପହଂଚି ଥିଲା। ୫ ତାରିଖ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୨୧ଥିବା ବେଳେ ଆଜି ପୁଣି ୨୮ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବୁର୍ଲାର ଜଣେ ‌ସିନିଅର ରେସିଡେଣ୍ଟ ଡାକ୍ତର ଥିବା ବେଳେ ଅନ୍ୟ ଜଣେ ନର୍ସ ରହିଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ବି ଲୋକମାନେ ପୂର୍ବ ଭଳି ସତର୍କତା ଅବଲମ୍ବନ କରୁନାହାନ୍ତି। ଲୋକ‌େ ବାହାରକୁ ଯିବା ବେଳେ ପ୍ରାୟତଃ ମାସ୍କ୍‌ ପରିଧାନ କରୁନାହାନ୍ତି। ବଜାରରେ ଆଉ ସାମାଜିକ ଦୂରତା ରହୁନାହିଁ। ହାଟବଜାରରେ ଲୋକମାନଙ୍କ ପ୍ରବଳ ଭିଡ଼ ଜମୁଛି।

ସମ୍ବନ୍ଧିତ ଖବର