ସମ୍ବଲପୁର: ସମ୍ବଲପୁରର ବହୁଚର୍ଚ୍ଚିତ ଜମି କେଳଙ୍କାରୀ ମାମଲା ରୋଚକ ମୋଡ଼ ନେଇଛି। ଜମି ମାଫିଆଙ୍କୁ ଟଙ୍କା ନେଇ ସହଯୋଗ କରିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନାର ପୂର୍ବତନ ଥାନାଧିକାରୀ ରଂଜନ ବିଶ୍ବାଳ ଏବଂ ସବ୍‌-ଇନ୍‌ସପେକ୍ଟର ଅଭିଷେକ ପ୍ରଧାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ଏହି ଦୁଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏଥି ସହିତ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି। 

Advertisment

ପ୍ରାପ୍ତ ସୂଚନା ଅନୁସାରେ, ସମ୍ବଲପୁର ଅଇଁଠାପାଲି ଏଲ୍ଆଇସି କାର୍ଯ୍ୟାଳୟ ନିକଟରେ ମୁଖ୍ୟ ରାସ୍ତାରେ ଥିବା ବିନୋଦ ଗୁପ୍ତାଙ୍କ ମୂଲ୍ୟବାନ ୨୧ ଡିସିମିଲ ଜମିକୁ ବେଆଇନ ଭାବେ ଭୁବନେଶ୍ବର ଲକ୍ଷ୍ମୀସାଗର ଅଂଚଳରେ ରହୁଥିବା ଭେଙ୍କଟ ବାଲାଜୀ ପାତ୍ର ଏବଂ ତାଙ୍କ ଭାଇ ସୁଜିତ ପାତ୍ରଙ୍କ ନାମରେ ପଞ୍ଜୀକରଣ କରାଯାଇଥିଲା। ସେମାନେ ଗୋବିନ୍ଦ ମେହେର ନାମକ ଜଣେ ବ୍ୟକ୍ତିଙ୍କୁ ସେମାନେ ବିନୋଦ ଗୁପ୍ତା ବୋଲି ଦର୍ଶାଇଥିଲେ। ଏଥିପାଇଁ ନକଲି ଆଧାର କାର୍ଡ ଓ ପାନକାର୍ଡ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ପାତ୍ର ଭାଇଙ୍କ ନାମକୁ ଜମି ଆସିବା ପରେ ସେମାନେ ପୁଣି ସେହି ଜମିକୁ ଆଉ ଥରେ ଶ୍ୟାମା ଟେଡ୍ରିଂ କଂପାନିକୁ ବିକି ଦେଇଥିଲେ। ଜମି ଶ୍ୟାମା ଟ୍ରେଡିଂ କଂପାନିର ନିର୍ଦ୍ଦେଶକ ଚିରଂଜୀବ ଗୁରୁ ଓ ସୁମିତ ଦାସଙ୍କ ନାମରେ କିଣାଯାଇଥିଲା। ତେବେ, ମୁରାରୀ ଗୁପ୍ତା ନାମକ ଜଣେ ବ୍ୟକ୍ତି ଏହି ଜମି କିଣାବିକାରେ ଜାଲିଆତି ହୋଇଥିବା ନେଇ ପାତ୍ର ଭାଇଦ୍ବୟଙ୍କ ବିରୋଧରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଜମି ମାଲିକ ବିନୋଦ ଗୁପ୍ତା ଜୀବିତ ନାହାନ୍ତି ଏବଂ ସେ ତାଙ୍କର ଭାଇ ବୋଲି ମୁରାରୀ ଦର୍ଶାଇଥିଲେ। ସେହି ସମୟରେ ତତ୍କାଳୀନ ଥାନା ଅଧିକାରୀ ଥିବା ଇନ୍‌ସପେକ୍ଟର ରଂଜନ ବିଶ୍ବାଳ ଏବଂ ସବ୍‌-ଇନ୍‌ସପେକ୍ଟର ଅଭିଷେକ ପ୍ରଧାନ ମାମଲା ଚାପି ଦେଇଥିଲେ। ଘଟଣାର ତଦନ୍ତ ସମୟରେ ଏହା ସ୍ପଷ୍ଟ ହେବା ପରେ ରଂଜନ ବିଶ୍ବାଳ ଓ ଅଭିଷେକ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିସ କରାଯାଇଥିଲା। ତଦନ୍ତକାରୀ ଅଧିକାରୀଙ୍କ ସୁପାରିସ ଆଧାରରେ ପୁଲିସ ମହାନିର୍ଦ୍ଦେଶକ ଆଜି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି। 

ଏହି ଜମି ଦୁର୍ନୀତିରେ ମାମଲାରେ ସମ୍ବଲପୁର ଟାଉନ ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ଗତ ୨୮ ମାର୍ଚ୍ଚରେ ପୁଲିସ ସମ୍ବଲପୁର ଡିଏସ୍‌ଆର୍‌ ସୂର୍ଯ୍ୟନାରାୟଣ ସାମଲ, ଆଇନଜୀବୀ ଶ୍ରୀରଂଜନ ପଟ୍ଟନାୟକ, ଚନ୍ଦ୍ରପ୍ରସାଦ ଡୁଂଗୁରିଆ, ଭୁବନେଶ୍ବରର ଭେଙ୍କଟ ବାଲାଜୀ ପାତ୍ର ଓ ତାଙ୍କ ଭାଇ ସୁଜିତ ପାତ୍ରଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ପୁଲିସ ପୁଣି ପାତ୍ର ଭାଇମାନଙ୍କଠାରୁ ଜମି କିଣିଥିବା ଚିରଂଜୀବ ଗୁରୁଙ୍କୁ ମଧ୍ୟ ଗିରଫ କରିଥିଲା। ଏହାପରେ ଅଭିଯୋଗକାରୀ ମୁରାରୀ ଗୁପ୍ତା ମଧ୍ୟ ଜଣେ ଠକ ବୋଲି ଜଣାପଡ଼ିବା ପରେ ପୁଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା। ସଂପୃକ୍ତ ବ୍ୟକ୍ତି ଜଣକ ରାଜ୍ୟ ବାହାରେ ରହୁଥିବା ଜୀବିତ ବିନୋଦ ଗୁପ୍ତାଙ୍କୁ ମୃତ ଦର୍ଶାଇ ଓ ନିଜକୁ ତାଙ୍କ ଭାଇ ଦର୍ଶାଇ ଟଙ୍କା ହଡ଼ପ ଉଦ୍ଦେଶ୍ୟରେ ଅଭିଯୋଗ କରିଥିବା ପୁଲିସ ଜାଣିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏହି ଘଟଣାରେ ଆଜି ଇନ୍‌ସପେକ୍ଟର ରଂଜନ ବିଶ୍ବାଳ ଓ ସବ୍-ଇନ୍‌ସପେକ୍ଟର ଅଭିଷେକ ପ୍ରଧାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।