ସମ୍ବଲପୁର ଓକିଲ ସଂଘର ଚରମବାଣୀ, ହାଇକୋର୍ଟ ବେଞ୍ଚ ପାଇଁ ୭୨ ଘଣ୍ଟାର ମହଲତ

କ୍ୟାମ୍ପ କୋର୍ଟକୁ ବିରୋଧ ଧମକ

ସମ୍ବଲପୁର: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ନିର୍ଣ୍ଣାୟକ ମୋଡ଼ ଦେବାକୁ ଦୃଢ଼ ନିଷ୍ପତ୍ତି ନେଇଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ। ସ୍ଥାୟୀ ବେଞ୍ଚ ନେଇ ହାଇକୋର୍ଟ ବିଚାରପତି ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ୭ ଦିନର ମହଲତ ଦିଆଯାଇଛି। ଏହି ଅବଧି ମଧ୍ୟରେ ଦାବି ଅନୁସାରେ ପଦକ୍ଷେପ ନିଆ ନଗଲେ କ୍ୟାମ୍ପ କୋର୍ଟକୁ ବିରୋଧ କରାଯିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ଅଚଳ କରିଦିଆଯିବ ବୋଲି ଓକିଲ ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ ଚରମବାଣୀ ଶୁଣାଇଛନ୍ତି। ଏହା ସହିତ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଆସନ୍ତାକାଲିର ସମ୍ବଲପୁର ଗସ୍ତକୁ ବିରୋଧ କରାଯାଇ କଳା ପତାକା ପ୍ରଦର୍ଶନ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।  ମଙ୍ଗଳବାର ଏଠାରେ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ଓକିଲ ସଂଘ  ‌ଆକ୍ସନ କମିଟିର କୋର କମିଟି ବୈଠକରେ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି।

୭ ରୁ କେନ୍ଦ୍ର, ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ବନ୍ଦ ଚେତାବନୀ

ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ କଳା ପତାକା ଦେଖାଇ‌େବ

ବୈଠକରେ କୁହାଯାଇଛି ଯେ, ହାଇକୋର୍ଟ ବେଞ୍ଚ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସ୍ବତନ୍ତ୍ର କମିଟି ଗଠନର ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ। ଆଜି ପର୍ଯ୍ୟନ୍ତ ଏହି କମିଟି ଗଠନ ହୋଇ ପାରି ନାହିଁ। ୭୨ ଘଣ୍ଟା ମଧ୍ୟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ରିପୋର୍ଟ ନଦେଲେ  ଜେଲରେ ଚାଲୁଥିବା କ୍ୟାମ୍ପ କୋର୍ଟକୁ ବିରୋଧ କରାଯିବ।  ଆସନ୍ତାକାଲି (୩୧ ତାରିଖ) ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ସମ୍ବଲପୁର ଗସ୍ତ ଅବସରରେ ତାଙ୍କୁ କଳା ପତାକା ପ୍ରଦର୍ଶନ କରାଯିବ। ତେବେ, ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଆରଡିସିସ୍ତରୀୟ ଧାନ ସଂଗ୍ରହ ବୈଠକରେ ବାଧା ଦିଆଯିବ ନାହିଁ ବୋଲି କୁହାଯାଇଛି। ସେହିପରି ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏଯାଏ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିନଥିବାରୁ ୭ ତାରିଖରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ ସଂପୂର୍ଣ୍ଣ ଅଚଳ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର