ସମ୍ବଲପୁର: ସମ୍ବଲପୁରର କୋର୍ଟ କଚେରିରେ ଗତ ଡିସେମ୍ବର ୭ ତାରିଖରୁ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ମଙ୍ଗଳବାର ୩ ତାରିଖରୁ ସମ୍ବଲପୁରରେ ସମସ୍ତ ଅଦାଲତି କାର୍ଯ୍ୟ ସ୍ବାଭାବିକ ହୋଇଛି। ମଙ୍ଗଳବାରଠାରୁ ସମ୍ବଲପୁର ଓକିଲ ସଂଘର ସମସ୍ତ ସଦସ୍ୟ ଆନ୍ଦୋଳନରୁ ଓହରି ଆନୁଷ୍ଠାନିକଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଜଣାଯାଇଛି। ଏହାଫଳରେ ଦୀର୍ଘ ୨୭ ଦିନ ଧରି ଜାରି ଅଚଳାବସ୍ଥାର ବସ୍ତୁତଃ ଅବସାନ ହୋଇଛି। ଏବେ କୋର୍ଟ କାମ ପୁଣିଥରେ ଆରମ୍ଭ ହୋଇଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି।
ସଂଘର ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ଦାଶଙ୍କ ସୂଚନାନୁସାରେ, ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର ଜେଲ୍ ଭିତରୁ ସଦସ୍ୟମାନେ କୋର୍ଟ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ସେ ଜେଲ୍ରୁ ଏ ସଂପର୍କିତ ଏକ ପତ୍ର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟକୁ ପଠାଇଛନ୍ତି। ଉକ୍ତ ଚିଠିକୁ ପଢ଼ିବା ପରେ ସମସ୍ତ ସଦସ୍ୟ ଏହାକୁ ଗ୍ରହଣ କରିଛନ୍ତି। ତେଣୁ, ମଙ୍ଗଳବାରଠୁ ସମସ୍ତେ କାର୍ଯ୍ୟରେ ସ୍ବାଭାବିକଭାବେ ଯୋଗଦେଇଥିବା ଶ୍ରୀ ଦାଶ କହିଛନ୍ତି।
ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ଓଡ଼ିଶା ଉଚ୍ଚନ୍ୟାୟାଳୟ ବେଞ୍ଚ ପ୍ରତିଷ୍ଠାକୁ ନେଇ ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ହୋଇଥିଲା। ତେଣେ ଭାରତୀୟ ଆଇନଜୀବୀ ପରିଷଦ(ବିସିଆଇ) ୫୪ ଜଣ ଆଇନଜୀବୀଙ୍କ ବ୍ୟତୀତ ସମ୍ବଲପୁର ଓକିଲ ସଂଘର ସମସ୍ତ ସଦସ୍ୟଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ପରେ ବି ଗତ ବର୍ଷ ଡିସେମ୍ବର ମାସ ୧୭ ତାରିଖରୁ କୌଣସି କାର୍ଯ୍ୟରେ ଯୋଗ ଦେଇନ ଥିଲେ। ଓକିଲମାନେ କୋର୍ଟ କାର୍ଯ୍ୟରେ ଯୋଗଦେଉନଥିବା କାରଣରୁ ଅବଳାବସ୍ଥା ଜାରି ରହିଥିଲା।