ସମ୍ବଲପୁର : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଶାସକ ଦଳ ବିଜେଡି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ଅସନ୍ତୁଷ୍ଟ ଦଳୀୟ ନେତାମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସରକାରୀ ସ୍ତରରେ ବିଭିନ୍ନ ବିଭାଗର ଉପଦେଷ୍ଟା ଭଳି ଅନେକ ନୂଆ ପଦବି ସୃଷ୍ଟିକରି ଥଇଥାନ କରିଛି। କେବଳ ସେତିକି ନୁହେଁ, ବିଜେପିର ବେଶ୍‌ ଭଲ ପ୍ରଭାବ ଥିବା ପଶ୍ଚିମ ଓଡ଼ିଶା ପ୍ରତି ବିଜେଡି କେତେ ଅଧିକ ଗୁରୁତ୍ବ ଦେଉଛି ତାହା ଗତ ପଦ୍ମପୁର ବିଧାନସଭା ଉପନିର୍ବାଚନଠାରୁ ସ୍ପଷ୍ଟ ହୋଇଯାଇଛି। ଏଭଳି ସ୍ଥିତିରେ ବିଜେପି ପାଇଁ କିନ୍ତୁ ସମ୍ବଲପୁର ଲୋକସଭା କ୍ଷେତ୍ର ଏବେ ଚିନ୍ତାର କାରଣ ପାଲଟିଛି।

Advertisment

ଗତ ୨୦୧୪ ‌ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନଙ୍କୁ ୩,୫୮,୬୧୮ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ଟାଣୁଆ ନେତା ସୁରେଶ ପୂଜାରୀଙ୍କୁ ୩,୨୮,୦୪୨ ଖଣ୍ଡ ଭୋଟ ମିଳିଥିଲା। ଅନୁଗୁଳିଆ ନେତା ନଗେନ୍ଦ୍ର ପ୍ରଧାନଙ୍କ ବିଜୟ ପଛରେ ଅନୁଗୁଳ ଜିଲ୍ଲାର ଦୁଇ ବିଧାନସଭା କ୍ଷେତ୍ର ଛେଣ୍ଡିପଦ‌ା ଓ ଆଠମଲ୍ଲିକର ଭୋଟ ବେଶ୍‌ ସହାୟକ ହୋଇଥିଲା। ତେବେ, ୨୦୧୯ ସାଧାରଣ ନିର୍ବାଚନରେ ଅନୁଗୁଳ ଜିଲ୍ଲାରେ ଜନ୍ମିତ ଓ ସମ୍ବଲପୁରରେ ଜୀବନର ବହୁ ସମୟ ବିତାଇଥିବା ବିଜେଡି ପ୍ରାର୍ଥୀ ଇଂ.ନଳିନୀକାନ୍ତ ପ୍ରଧାନଙ୍କୁ ଛେଣ୍ଡିପଦା ଓ ଆଠମଲ୍ଲିକରୁ ଅଧିକ ଭୋଟ ମିଳିଥିଲେ ହେଁ ସମ୍ବଲପୁର ଜିଲ୍ଲାରୁ ଆଶାନୁରୂପ ଭୋଟ ନମିଳିବା ତାଙ୍କ ପରାଜୟର ପ୍ରମୁଖ କାରଣ ପାଲଟିଥିଲା। ବିଜେଡି ପ୍ରାର୍ଥୀ ଇଂ. ନଳିନୀକାନ୍ତ ପ୍ରଧାନଙ୍କୁ ୪,୬୪,୬୦୮ ଖଣ୍ଡ ଭୋଟ ମିଳିଥିବା ‌ବେଳେ ତାଙ୍କଠାରୁ ୯୧୬୨ ଖଣ୍ଡ ଅଧିକ ଭୋଟ ଅର୍ଥାତ ୪,୭୩, ୭୭୦ ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

publive-image Our Neta

ତେବେ, ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ନିତେଶଙ୍କୁ ନିର୍ବାଚନ ପରେ ଲୋକେ କିନ୍ତୁ ଦେଖିବାକୁ ପାଉନାହାନ୍ତି। ‌ତାଙ୍କ ଅଧିକାଂଶ ସମୟ ଦେବଗଡ଼ କିମ୍ବା ଦିଲ୍ଲୀରେ ବିତୁଛି। ଲମ୍ବା ବ୍ୟବଧାନ ପରେ ଗତ ୨୭ ଡିସେମ୍ବରରେ ନିତେଶ ବିଜେପିର ଅନ୍ୟ ସାଂସଦ ଓ ବିଧାୟକମାନଙ୍କ ସହିତ ମିଶି ଏକ ପ୍ରତିନିଧି ଦଳରେ ଗିରଫ ହୋଇ ଜେଲ୍‌ରେ ଥିବା ଓକିଲମାନଙ୍କୁ ଭେଟିବାକୁ ସମ୍ବଲପୁର ଆସିଥିଲେ। ଏହି ପ୍ରତିନିଧି ଦଳର ଚୂଡ଼ାନ୍ତ କାର୍ଯ୍ୟକ୍ରମ ଅନୁସାରେ ସେ ବିଚାରପତି, ପ୍ରଶାସନିକ ଅଧିକାରୀମାନଙ୍କୁ ଭେଟିଥିଲେ ହେଁ ସାମ୍ବାଦିକ ସମ୍ମିଳନୀ ବେଳକୁ ଅନୁପସ୍ଥିତ ରହିଥିଲେ। ସାମ୍ବାଦିକଙ୍କ ପ୍ରଶ୍ନବାଣରୁ ବର୍ତ୍ତିବା ନି‌ମନ୍ତେ ସେ ସାମ୍ବାଦିକ ସମ୍ମିଳନୀରେ ଅନୁପସ୍ଥିତ ରହିଥିବା ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା। ଆଗାମୀ ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କଲେ ପରାଜୟ ସମ୍ମୁଖୀନ ହୋଇପାରେ। ଏ‌ପଟେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସଭାରେ ନିତେଶଙ୍କ ଉପସ୍ଥିତିରେ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବାରେ ଆଗ୍ରହ ପ୍ରକାଶ କରିଥିଲେ। ବର୍ତ୍ତମାନ କିନ୍ତୁ ଧର୍ମେନ୍ଦ୍ର ସମ୍ବଲପୁର ପରିବ‌ର୍ତ୍ତେ ନିଜ ଗୃହ ଲୋକସଭା କ୍ଷେତ୍ର ଢେଙ୍କାନାଳ ପ୍ରତି ଅଧିକ ଆଗ୍ରହ ଦେଖାଉଥିବା ପରିଲକ୍ଷିତ ହେଉଛି। ବିଭିନ୍ନ କାର୍ଯ୍ୟକ୍ରମରେ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ସେ ତାଙ୍କର ରାଜନୈତିକ ଗତିବିଧି ବଢ଼ାଇଛନ୍ତି।

publive-image Patrika

ବିଭିନ୍ନ ନିର୍ବାଚନରେ ବାରଂବାର ପରାଜୟ ପରେ ପରିଶେଷରେ ବରଗଡ଼ ଲୋକସଭାରୁ ବିଜୟର ସ୍ବାଦ ଚାଖିଥିବା ସୁରେଶ ପୂଜାରୀଙ୍କ ପାଇଁ ନିଶ୍ଚିତ ଭାବେ ବରଗଡ଼ ପ୍ରଥମ ପସନ୍ଦ ରହିବ। ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ୭ଟି ବିଧାନସଭା ‌କ୍ଷେତ୍ରରେ ଗ୍ରହଣୀୟ ନେଲା ଭଳି ଅନ୍ୟ ଜଣେ ନେତା ହେଉଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଜୟ ନାରାୟଣ ତାଙ୍କ ପାଇଁ ସୁରକ୍ଷିତ ସମ୍ବଲପୁର ବିଧାନସଭା କ୍ଷେତ୍ର ଛାଡ଼ି ଲୋକସଭା ନିର୍ବାଚନ ଲଢ଼ିବାକୁ କଦାପି ଚାହିବେ ନାହିଁ। ଏଭଳି ସ୍ଥିତିରେ ବିଜେପି ପାଇଁ ଏକମାତ୍ର ସମ୍ଭାବନା ହେଉଛନ୍ତି କୁଚିଣ୍ଡାର ୩ଥରିଆ ବିଧାୟକ ତଥା ବିଜେପି ରାଜ୍ୟ ସାଧାରଣ ସଂପାଦକ ରବି ନାୟକ। ବିଜେଡି ଛାଡ଼ି ପୁଣି ନିଜ ଦଳ ବିଜେପିକୁ ଆସିଥିବା ପୂର୍ବତନ ବିଧାୟକ ବୃ୍ନ୍ଦାବନ ମାଝୀଙ୍କୁ କୁଚିଣ୍ଡା ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରାଇ ବିଜେପି ରବି ନାୟକଙ୍କୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ କରାଇବାର ବିକଳ୍ପ ଆପଣେଇ ପାରେ। ତେବେ, ବର୍ତ୍ତମାନର ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ବିଜେପିକୁ ଜିତିବାକୁ ହେଲେ ସମସ୍ତ ୭ଟି ବିଧାନସଭା କ୍ଷେତ୍ରରେ ଯଥେଷ୍ଟ ପ୍ରଭାବ ଥିବା ଭଳି ଜଣେ ନେତାଙ୍କୁ ପ୍ରାର୍ଥୀ କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ସମ୍ବଲପୁର ଲୋକସଭା କ୍ଷେତ୍ର ବିଜେପି ପାଇଁ ସହଜରୁ କଷ୍ଟକର ଆଡ଼କୁ ଗତି କରୁଛି।