ସମ୍ବଲପୁର: ସମ୍ବଲପୁର ଲୋକସଭା ନିର୍ବାଚନରେ ଏଥର ବିଜେପି-ବିଜେଡି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। ‌ସେଥିପାଇଁ ଉଭୟ ଦଳ ପକ୍ଷରୁ ରଣନୀତି ବି ପ୍ରସ୍ତୁତ କରାଯାଇଥିଲା। ହେଲେ, ନିର୍ବାଚନ ଫଳାଫଳରୁ ଲଢ଼େଇ ଏକତରଫା ‌ହୋଇଥିବା ସ୍ପଷ୍ଟ ହୋଇଛି। ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ୧ ଲକ୍ଷ ୧୯ ହଜାର ୮୩୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ହସ୍ତଗତ ପରିସଂଖ୍ୟାନ ଅନୁଯାୟୀ, ଆଠମଲ୍ଲିକ ବିଧାନସଭା କ୍ଷେତ୍ରକୁ ଛାଡ଼ିଦେଲେ ସମ୍ବଲପୁର ଲୋକସଭା କ୍ଷେତ୍ରର ଅନ୍ୟ ୬ଟି ଯାକ ବିଧାନସଭା କ୍ଷେତ୍ରରୁ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କଠାରୁ ଅଧିକ ଭୋଟ ପାଇଛନ୍ତି। ‌ତେବେ, ଏହି ଆସନ‌ରେ ପ୍ରଣବ ମାତ୍ର ୫,୩୦୧ ଭୋଟରେ ଧର୍ମେନ୍ଦ୍ରଙ୍କଠାରୁ ଆଗରେ ରହିଛନ୍ତି।

Advertisment

ଅନ୍ୟ ୬ଟି ବିଧାନସଭା ଆସନ ମଧ୍ୟରୁ ଏକମାତ୍ର ଆସନ ଜନଜାତି ବର୍ଗ ପାଇଁ ସଂରକ୍ଷିତ କୁଚିଣ୍ଡା ବିଧାନସଭା ‌କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସର୍ବାଧିକ ୩୮,୯୫୨ ଭୋଟ ମିଳିଛି। ସେହିପରି‌ ଲୋକସଭା କ୍ଷେତ୍ରର ଏକମାତ୍ର ସଂପୂର୍ଣ୍ଣ ସହରାଂଚଳ ଆସନ ସମ୍ବଲପୁର ବିଧାନସଭା କ୍ଷେତ୍ର ଉପରେ ବିଜେଡି ସର୍ବାଧିକ ଗୁରୁତ୍ବ ଦେଇଥିଲା। ସମଲେଇ ପ୍ରକଳ୍ପ ପାଇଁ ବିଜେଡି ଅଧିକ ଭୋଟ ପାଇବା ବି ଆଶା କରିଥିଲା। ଏହାସତ୍ତ୍ବେ ପ୍ରଣବଙ୍କଠାରୁ ଧର୍ମେନ୍ଦ୍ର ୨୮,୪୧୫ ଭୋଟ ଅଧିକ ପାଇଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତରେ, ସମ୍ବଲପୁରରେ ଅନ୍ୟ ବିକାଶ ପ୍ରକଳ୍ପ ଅଟକିବା, ବିଭିନ୍ନ ଉପାୟରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ଦମନ, ହନୁମାନ ଜୟନ୍ତୀ ସମୟରେ ହିଂସା ସୃଷ୍ଟି ଆଦି ଅନେକ ପ୍ରସଙ୍ଗକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋ‌ଷ ରହିଥିଲା। ଏହାବ୍ୟତୀତ ପ୍ରଣବଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିବା କେତେକ ବ୍ୟକ୍ତିଙ୍କ ଉପରେ ବିଭିନ୍ନ କାରଣରୁ ଜନ ଅସନ୍ତୋଷ ରହିଥିଲା। ଯାହାକି, ଭୋଟ୍‌ରେ ପ୍ରତିଫଳିତ ହୋଇଛି ଏବଂ ଏହା ଧର୍ମେନ୍ଦ୍ରଙ୍କ ଖାତାକୁ ଯାଇଛି। ଛେଣ୍ଡିପଦା ବିଧାନସଭା କ୍ଷେତ୍ରରୁ ବି ଧର୍ମେନ୍ଦ୍ର ବିଜେଡି ପ୍ରାର୍ଥୀ ପ୍ରଣବଙ୍କୁ ପଛରେ ପକାଇଛନ୍ତି। ଏଠାରୁ ସେ ୧୬,୩୬୬ ଭୋଟ ଅଧିକ ପାଇଛନ୍ତି। ରେଢ଼ାଖୋଲ ବିଧାନସଭା କ୍ଷେତ୍ରରୁ ୧୩,୫୬୭ ଭୋଟ ଅଧିକ ପାଇବାରେ ବି ଧର୍ମେନ୍ଦ୍ର ସଫଳ ହୋଇଛନ୍ତି। ଦେବଗଡ଼ ବିଧାନସଭା କ୍ଷେତ୍ରରେ ଗତ ନିର୍ବାଚନ ଭଳି ଆଶାନୁରୂପ ଭୋଟ ମିଳିନଥିଲେ ବି ଏଥର ପ୍ରଣବଙ୍କଠାରୁ ଧର୍ମେନ୍ଦ୍ରଙ୍କୁ ୧୦,୬୦୦ ଭୋଟ ଅଧିକ ମିଳିଛି। ସେହିପରି, ଶିଳ୍ପାଞ୍ଚଳ ବିଧାନସଭା କ୍ଷେତ୍ର ରେଙ୍ଗାଲିରୁ ବି ଅଧିକ ୧୪,୦୩୦ ଭୋଟ ହାତେଇଛନ୍ତି ଧର୍ମେନ୍ଦ୍ର। ଧର୍ମେନ୍ଦ୍ରଙ୍କ ଏହି ବୃହତ୍‌ ବିଜୟକୁ ନେଇ ବିଜେପି ଶିବିରରେ ଖୁସିର ଲହରି ଖେଳିଯାଇଛି।