ଅନୁଗୁଳ: ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ବିଜେଡି ଛାଡ଼ି କଂଗ୍ରେସରେ ମିଶିଲେ। ଆଠମଲ୍ଲିକ ବିଧାନସଭାରୁ ୩ ଥର ଏବଂ ଥରେ ସମ୍ବଲପୁର ସାଂସଦ ଭାବେ ବିଜୟୀ ହୋଇଥିବା ନଗେନ୍ଦ୍ର ବିଜେଡି ଛାଡ଼ିବା ପରେ ଏଠାରେ ରାଜନୈତିକ ସମୀକରଣ ବଦଳିବାର ଆଶଙ୍କା ରହିଛି। ନଗେନ୍ଦ୍ରଙ୍କୁ କଂଗ୍ରେସ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବାକୁ ଯୋଜନା କରୁଥିବାରୁ ଏହା ଉଭୟ ବିଜେଡି ଓ ବିଜେପି ହିସାବକୁ ଗୋଳମାଳିଆ କରିବା ଥୟ। ନଗେନ୍ଦ୍ର ପ୍ରଧାନ ପ୍ରଥମେ ୧୯୯୦ରେ ଆଠମଲ୍ଲିକରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ। ବିଜେଡି ଗଠନ ହେବାପରେ ସେ ଏହି ଦଳରୁ ୨୦୦୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରେ ତାଙ୍କୁ ପୁଣିଥରେ ବାଛିଥିଲେ ଆଠମଲ୍ଲିକବାସୀ। ଲଗାତାର ୯ ବର୍ଷ ଧରି ବିଧାୟକ ରହିବା ସହ ଗୁରୁତ୍ବପୂର୍ଣ୍ଣ ଗଣଶିକ୍ଷା ବିଭାଗର ମନ୍ତ୍ରୀ ହୋଇଥିଲେ। ହେଲେ ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ବିଜେଡି ତାଙ୍କ ଟିକେଟ କାଟି ସଂଜୀବ ସାହୁଙ୍କୁ ଭରସା କରିଥିଲା। ଫଳରେ ନଗେନ୍ଦ୍ରଙ୍କ ରାଜନୈତିକ ଭାଗ୍ୟ ଅନ୍ଧାରକୁ ଚାଲି ଯାଇଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ହଠାତ୍ ୨୦୧୪ରେ ବିଜେଡି ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ଏଥିରେ ନଗେନ୍ଦ୍ର ଜିତି ସମସ୍ତଙ୍କୁ ଚମକାଇ ଦେଇଥିଲେ। ହେଲେ ୨୦୧୯ରେ ଦଳ ତାଙ୍କୁ ଆଉ ଭରସାକୁ ନେଇ ନଥିଲା। ତାଙ୍କ ବଦଳରେ ନଳିନୀକାନ୍ତ ପ୍ରଧାନଙ୍କୁ ଟିକେଟ ଦେଇଥିଲା। ନଳିନୀ ପରାସ୍ତ ହେବାରୁ ନଗେନ୍ଦ୍ର ଏଥର ଟିକେଟ ଆଶାରେ ରହିଥିଲେ। ସେଥିପାଇଁ ବହୁ ଦିନ ହେଲା ଦଳ ଛାଡ଼ି ଯାଇ ନଥିଲେ। କିନ୍ତୁ, ସମ୍ବଲପୁରରୁ ପ୍ରଣବ ପ୍ରାର୍ଥୀ ହେବାପରେ ନଗେନ୍ଦ୍ର ବିଜେଡିକୁ ବାଏ ବାଏ କରିଛନ୍ତି।
ଆଠମଲ୍ଲିକ ନିର୍ବାଚନମଣ୍ଡଳୀରୁ ୩ ଥର ବିଧାୟକ ଥିବାରୁ ଏବେ ବି ତାଙ୍କର ବହୁ ସମର୍ଥକ ରହିଛନ୍ତି। ତେଣୁ ତାଙ୍କ ପଟ୍ଟ ପରିବର୍ତ୍ତନ ଉଭୟ ବିଜେଡି ଓ ବିଜେପିର ହିସାବ ବିଗାଡ଼ି ଦେଇଛି। ନଗେନ୍ଦ୍ରଙ୍କ ସହ ଯଦି ତାଙ୍କ ପୁରୁଣା ସମର୍ଥକ ରୁହନ୍ତି, ତେବେ ବିଜେଡି ଓ ବିଜେପିର ଭୋଟ ହାର କମିବ। ନଗେନ୍ଦ୍ରଙ୍କ ସହ ତାଙ୍କ ସମର୍ଥକ ନଗଲେ, ଏମାନେ କେଉଁ ଆଡ଼କୁ ଢଳିବେ ତାହା ବି ଗୁରୁତ୍ବପୂର୍ଣ୍ଣ। ପୁଣି ଏହା ସମ୍ବଲପୁର ଲୋକସଭା କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିପାରେ। କାରଣ ସମ୍ବଲପୁର ଲୋକସଭା ଆସନରେ ଆଠମଲ୍ଲିକ ନେତାଙ୍କ ପ୍ରଭାବ ରହି ଆସିଛି। ୨୦୦୯ରେ ଆଠମଲ୍ଲିକର ପୂର୍ବତନ ବିଧାୟକ ଅମରନାଥ ପ୍ରଧାନ ସମ୍ବଲପୁର ସାଂସଦ ଭାବେ ଜିତିଥିଲେ। ୨୦୧୪ରେ ନଗେନ୍ଦ୍ର ଜିତିଥିଲାବେଳେ ୨୦୧୯ରେ ଆଠମଲ୍ଲିକର ନେତା ନଳିନୀକାନ୍ତ ପ୍ରଧାନ ଅଳ୍ପକେ ହାରିଥିଲେ। ଏଥର ପୁଣିଥରେ ନଗେନ୍ଦ୍ର ପ୍ରାର୍ଥୀ ହେଲେ ପୁଣିଥିରେ ଆଠମଲ୍ଲିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି।