ସମ୍ବଲପୁର: ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଗତିବିଧି ସେତିକି ବଢ଼ିବାରେ ଲାଗିଛି। ତଥାପି, ସମ୍ବଲପୁର ସାଂସଦ ନୀତେଶ ଗଂଗଦେବଙ୍କୁ ରାଜନୈତିକ ତତ୍ପରତା ଦେଖିବାକୁ ମିଳୁଥିବା ବେଳେ ଅଳ୍ପଦିନ ବ୍ୟବଧାନରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଥର ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଲେଣି। ନୀତେଶ ନିରବ ଥିବା ବେଳେ ତାଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀ କିନ୍ତୁ ସିଧାସଳଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାମାଜିକ ଗଣମାଧ୍ୟମରେ ଟାର୍ଗେଟ କରିଛନ୍ତି। ଧର୍ମେନ୍ଦ୍ରଙ୍କ ବିରୋଧରେ ଅରୁନ୍ଧତୀ ଦେବୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଧର୍ମେନ୍ଦ୍ରଙ୍କୁ ତାଙ୍କ ଶ୍ରଦ୍ଧାନାମ ମୁକୁବାବୁ ସମ୍ବୋଧନକରି ସାମାଜିକ ଗଣମାଧ୍ୟମ(ଫେସ୍‌ବୁକ୍‌)ରେ ସେ ଲେଖିଛନ୍ତି, ସୁବାସ ଚୌହାନଙ୍କୁ ବଳି ପକାଇବା ପରେ ଏକେ ରାଜାସାହେବ(ନୀତେଶ ଗଂଗଦେବ)ଙ୍କ ରାଜନୈତିକ ବଳି ନେବାକୁ ଚାହୁଛନ୍ତି ? ତେବେ, ଅରୁନ୍ଧତୀ ଦେବୀଙ୍କ ଏହି ପୋଷ୍ଟ ଉପରେ ବହୁ‌ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନୀତ‌େଶ ଗଂଗ‌ଦେବଙ୍କ ଲୋକସଭା କ୍ଷେତ୍ରରେ ଅନୁପସ୍ଥିତିକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଯେ, ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ନୀତେଶ ଗଂଗଦେବ ପ୍ରାୟତଃ ଦିଲ୍ଲୀରେ ଅବସ୍ଥାନ କରୁଛନ୍ତି। ତାଙ୍କ ନିଜ ଗୃହ ସହର ଦେବଗଡ଼ ହେଉ କିମ୍ବା ସମ୍ବଲପୁର ଲୋକସଭା କ୍ଷେତ୍ରରେ ଅନ୍ୟ ଅଂଚଳକୁ ପ୍ରାୟତଃ ଆସୁନାହାନ୍ତି। ଅପରପକ୍ଷରେ ଅରୁନ୍ଧତୀ ଦେବୀ ଧୀରେ ଧୀରେ ବିଜେଡିର ନିକଟତର ହେଉଥିବା ପରିଲକ୍ଷିତ ହେଉଛି। ତେବେ, କେଉଁ ଉଦ୍ଦେଶ୍ୟ ରଖି ସେ ଏଭଳି ମନ୍ତବ୍ୟ ଦେଇ ସ୍ପଷ୍ଟ ହୋଇନାହିଁ। ତଥାପି, ସାମାଜିକ ଗଣମାଧ୍ୟମରେ ତାଙ୍କର ଏଭଳି ପୋଷ୍ଟ ପରେ ଅରୁନ୍ଧତୀ ଦେବୀଙ୍କ ସହିତ ଯୋଗାଯୋଗ ପାଇଁ ଆମ ଦେବଗଡ଼ ପ୍ରତିନିଧି ଆଜି ଏକାଧିକ ଥର ଚେଷ୍ଟା କରିଥିଲେହେଁ ତାହା ସମ୍ଭବ ହୋଇନାହିଁ। ଅନ୍ୟପଟେ ଧମେନ୍ଦ୍ର ପ୍ରଧାନ ଗତ ଜୁନ୍ ୧୦ ତାରିଖ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସି କୁଚିଣ୍ଡାରେ ପୁରୁଣା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଏବଂ ରେଂଗାଲିରେ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇଥିଲେ। ଗତ ୬ ତାରିଖ ସକାଳୁ ରାତି ପର୍ଯ୍ୟନ୍ତ ସମ୍ବଲପୁର ବିଧାନସଭା କ୍ଷେତ୍ରରେ ବିବିଧ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିଲେ। ଏପଟେ ଧର୍ମେନ୍ଦ୍ରଙ୍କ ସପକ୍ଷରେ ଅନେକ ଲୋକ ପୁଣି ସାମାଜିକ ଗଣମାଧ୍ୟମରେ ‌ପୋଷ୍ଟ କରିଛନ୍ତି। କାର୍ତ୍ତିକ ପ୍ରସାଦ ବହିଦାର ‘ଜଣେ କେନ୍ଦ୍ରମନ୍ତ୍ରୀ ମର୍ଯ୍ୟାଦାଜକ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବା ଏବଂ ବିଜୟ ଲାଭ କରିବା ଅଂଚଳରେ ସର୍ବାଙ୍ଗୀନ ବିକାଶରେ ସହାୟକ ହେବ ବୋଲି ଲେଖିଥିବା ବେଳେ ବହୁ ଲୋକ ଏହାକୁ ସମର୍ଥନ କରି ପ୍ରତିକ୍ରିୟା ଦେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଆଗରୁ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସଭାରେ ଖିଣ୍ଡା ଠାରେ ଆୟୋଜିତ ଏକ ସଭାରେ ଥରେ ନୀତେଶ ଗଂଗଦେବଙ୍କ ଉପସ୍ଥିତିରେ ‘ରାଜାସାହେବ ଚାହିଲେ ସେ ସମ୍ବଲପୁରରୁ ନିର୍ବାଚନ ଲଢ଼ନ୍ତେ ବୋଲି ହାଲୁକା ମନ୍ତବ୍ୟ ଦେଇଥିଲେ।