ସମ୍ବଲପୁର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ପୌର ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ରାଜନୈତିକ ଦଳଗୁଡ଼ିକ ମହିଳାମାନଙ୍କୁ ଟିକେଟ୍‌ ଦେବାକୁ ଏକ ପ୍ରକାର ବାଧ୍ୟ‌ ହେଉଛନ୍ତି। ସାଧାରଣ ନିର୍ବାଚନ ସମୟରେ କିନ୍ତୁ ମହିଳାମାନଙ୍କୁ ଟିକେଟ୍‌ ଦେବାରେ ରାଜନୈତିକ ଦଳଗୁଡ଼ିକ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳୁଛି। ସମ୍ବଲପୁର ଜିଲ୍ଲାର ସମାଜସେବା, ଜନଆନ୍ଦୋଳନ ଆଦି କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲେହେଁ ଏପର୍ଯ୍ୟନ୍ତ ‌ଜଣେ ବି ମହିଳା ଲୋକସଭାରେ ପାଦ ଥାପିବାର ସୌଭାଗ୍ୟ ଅର୍ଜନକରି ପାରିନାହାନ୍ତି। ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ୧୨ଟି ବିଧାନସଭା ଆସନ ଏବଂ ୨ଟି ଲୋକସଭା ‌କ୍ଷେତ୍ର ସମ୍ବଲପୁର ଓ ବରଗଡ଼ ରହିଛି। ଅବଶ୍ୟ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଅନୁଗୁଳ ଜିଲ୍ଲାର ୨ଟି ବିଧାନସଭା ଆସନ ଛେଣ୍ଡିପଦା ଏବଂ ଆଠମଲ୍ଲିକ ରହିଛି। ଏହି ଦୁଇ ଲୋକସଭା କ୍ଷେତ୍ରରୁ ଏପର୍ଯ୍ୟନ୍ତ ଜଣେ ବି ମହିଳା ନିର୍ବାଚିତ ହୋଇନାହାନ୍ତି। ବିଜେଡି ପ୍ରଥମ ଦଳ ଭାବେ ୨୦୧୯ ନିର୍ବାଚନରେ ୩୩ ପ୍ରତିଶତ ଆସନରୁ ମହିଳାମାନଙ୍କୁ ଟିକେଟ୍‌ ଦେଇଥିଲା। ରାଜ୍ୟର ଅନ୍ୟ ଆସନରୁ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଥିବା ବେଳେ ସମ୍ବଲପୁର ଓ ବରଗଡ଼ ଆସନରୁ କିନ୍ତୁ ରିକ୍ସ ନେବାକୁ ଚାହି ନଥିଲା।

Advertisment

ତେବେ ରାଜ୍ୟସଭାକୁ ଯିବାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ୨ ଜଣ ନେତ୍ରୀ ସଫଳ ହୋଇଛନ୍ତି। ୧୯୬୧ ଓ ୧୯୬୭ ମସିହା ବିଧାନସଭା ନିର୍ବାଚନରେ ଭଟଲି ଆସନରୁ କ୍ରମାଗତ ଭାବେ ଦୁଇ ଥର ସରସ୍ବତୀ ପ୍ରଧାନ ନିର୍ବାଚିତ ହୋଇଥିଲେ। ବୀରେନ୍ ମିତ୍ରଙ୍କ ମନ୍ତ୍ରିମଣ୍ଡଳରେ ସେ ଶିକ୍ଷା ବିଭାଗର ଉପମନ୍ତ୍ରୀ ଦାୟିତ୍ବ ତୁଳାଇଥିଲେ। ୧୯୭୨ ମସିହାରେ ସେ ପୁଣି କଂଗ୍ରେସ ଟିକଟରେ ରାଜ୍ୟସଭାକୁ ଯାଇଥିଲେ। ‌ସେହିପରି ଏହି ଅଞ୍ଚଳର ଅନ୍ୟ ଜଣେ ସଫଳ ନେତ୍ରୀ ତଥା ଦୁଇଥରିଆ ବିଧାୟିକା(ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର) ସୈରେନ୍ଧ୍ରୀ ନାୟକଙ୍କୁ ୧୯୮୪ ମସିହାରେ ସେ ସମ୍ବଲପୁର ଲୋକସଭା ଆସନରୁ ଜନତା ପାର୍ଟି ଟିକଟରେ ନିର୍ବାଚନ ଲଢ଼ିଥିଲେହେଁ ସଫଳତା ମିଳିନଥିଲା। କଂଗ୍ରେସ ପ୍ରାର୍ଥୀ ଡାକ୍ତର କୃପାସିନ୍ଧୁ ଭୋଇଙ୍କଠାରୁ ବଡ଼ ବ୍ୟବଧାନରେ ପରାଜିତ ହୋଇଥିଲେ।
ଅପରପକ୍ଷରେ ବିଧାନସଭା ନିର୍ବାଚନରେ ବିଫଳ ହୋଇଥିଲେ ହେଁ ସମ୍ବଲପୁରର ବିଶିଷ୍ଟ ନାରୀନେତ୍ରୀ ତଥା ସମାଜସେବୀ ପ୍ରମିଳା ବହିଦାରଙ୍କ ୨୦୦୨ ମସିହାରେ ଭାଗ୍ୟ ଫିଟିଥିଲା ଆଉ ସେ ରାଜ୍ୟସଭାକୁ ଯାଇଥିଲେ। ଏହା ପରେ ଆଉ କୌଣସି ନେତ୍ରୀଙ୍କୁ ସେଭଳି ସଫଳତା ମିଳିନାହିଁ। ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟ ଏହି ଅଞ୍ଚଳରୁ ମହିଳାଙ୍କୁ ଟିକେଟ୍‌ ‌ନଦେବା ଭଳି ସମାନ ନୀତି ଆପଣେଇ ଆସିଛନ୍ତି। ଏଥର ‌ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଶେଷକରି କଂଗ୍ରେସ ଓ ବିଜେଡିରୁ ଅନେକ ନେତ୍ରୀ ଟିକେଟ୍‌ ପାଇଁ ଆଶାୟୀ ରହିଛନ୍ତି। ଯଦି, କୌଣସି ଦଳ କୌଣସି ନେତ୍ରୀଙ୍କୁ ଟିକେଟ୍‌ ଦିଅନ୍ତି ଏବଂ ସେ ନିର୍ବାଚିତ ହୁଅନ୍ତି, ତାହେଲେ ସମ୍ବଲପୁର ଜିଲ୍ଲାରୁ ଲୋକସଭା ଯିବାରେ ପ୍ରଥମ ମହିଳା ସାଂସଦ ହେବାର ବିରଳ ରେକର୍ଡ କରିବେ।