ସମ୍ବଲପୁର : କରାମାଡ଼ରେ ଉଜୁଡ଼ିଲା ଚାଷ, ଉତ୍ପାଦନ ୬୦ % ହ୍ରାସ
ସମ୍ବଲପୁର : ଚଳିତ ବର୍ଷ ଶୀତ ଋତୁରେ ବାରମ୍ବାର ଝଡ଼ବର୍ଷା ଓ କରାମାଡ଼ ଯୋଗୁ ସମ୍ବଲପୁର ଜିଲ୍ଲାରେ ଆମ୍ବ ଚାଷ ସଂପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ଗଛରେ ଯାହା କିଛି ବଉଳ ଆସିଥିଲା ସେତକ ବି ଝଡ଼ିଗଲା। ଆମ୍ବ ଉତ୍ପାଦନ ପ୍ରାୟ ୬୦ ପ୍ରତିଶତ କମିଗଲା। କରୋନା କଟକଣା, ଲକ୍ଡାଉନ୍ ଭଳି ସ୍ଥିତି ସାଙ୍ଗକୁ ଉତ୍ପାଦନ ହ୍ରାସ ଆମ୍ବ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା। ଗତବର୍ଷ ଆମ୍ବ ଭଲ ଉତ୍ପାଦନ ହୋଇଥିବାରୁ ଏବର୍ଷ କମିବା ସ୍ବାଭାବିକ ବୋଲି ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦେଶକ ରଞ୍ଜନ ଦାସ ମହାପାତ୍ର କହିଛନ୍ତି। ତେବେ, ଝଡ଼ବର୍ଷା, କରାମାଡ଼ ଏଥିରେ ଆହୁରି ଅଧିକ ଦାଉ ସାଧିଲା। ଏଥର ଆମ୍ବ କିଲୋ ପିଛା ଦର ୨୦ରୁ ୩୦ ଟଙ୍କା ଯାଏ ବୃଦ୍ଧି ପାଇଛି। ମାତ୍ର ଗତବର୍ଷ ଠାରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ‘ଆମ୍ବ ବଜାର ଯୋଗୁ ଚାଷୀ ଆଉ ମଧ୍ୟସ୍ଥିଙ୍କୁ ଆମ୍ବ ନଦେଇ ସିଧାସଳଖ ଗ୍ରାହକଙ୍କୁ ବିକ୍ରି କରୁଥିବାରୁ ଯାହା କିଛି ଉପାର୍ଜନ ହୋଇଥିବା’ ପ୍ରକାଶ କରି ଚାଷୀ ଏକ ପ୍ରକାର ଆଶ୍ବସ୍ତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଦ୍ୟାନ କୃଷି ବିଭାଗର ସୂଚନା ଅନୁସାରେ ୨୦୧୭-୧୮ ମସିହାରେ ଜିଲ୍ଲାରେ ମୋଟ ଆମ୍ବ ଉତ୍ପାଦନ ୮୮୦୫ କୁଇଣ୍ଟାଲ ରହିଥିଲା। ତେବେ ୨୦୧୮-୧୯ ମସିହାରେ ଏହି ଉତ୍ପାଦନ ବେଶ୍ ବୃଦ୍ଧି ପାଇ ୧୪,୬୭୦ କୁଇଣ୍ଟାଲରେ ପହଞ୍ଚିଥିଲା। କରାମାଡ଼,କୋହଲା ପାଗ ଭଳି ସ୍ଥିତି ନଉପୁଜିବାରୁ ଗତବର୍ଷ ଚାଷୀ ଲଗାଇଥିବା ପ୍ରାୟ ସମସ୍ତ ଗଛରେ ଫଳ ରହିଥିଲା। କିନ୍ତୁ ୨୦୧୯-୨୦ ବର୍ଷରେ ସେତେ ଭଲ ଫଳ ନଆସିବାରୁ ଆମ୍ବଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଛି। ଫଳରେ ସମଗ୍ର ଜିଲ୍ଲାରେ ଆମ୍ବ ଉତ୍ପାଦନ ୫୮୭୦ କୁଇଣ୍ଟାଲ ମାତ୍ର ହୋଇପାରିଛି। ଏହା ମଧ୍ୟରୁ ଯୁଯୁମୁରା ବ୍ଲକରେ ସର୍ବାଧିକ ୧୧୮୦ କୁଇଣ୍ଟାଲ ଓ ରେଢ଼ାଖୋଲ ବ୍ଲକରେ ସର୍ବନିମ୍ନ ୧୦୦ କୁଇଣ୍ଟାଲ ଆମ୍ବ ଉତ୍ପାଦନ ହୋଇଛି। ଏହାବାଦ୍ ନାକଟିଦେଉଳ ବ୍ଲକରୁ ୪୯୦ କୁଇଣ୍ଟାଲ,ମାନେଶ୍ବରରୁ ୭୦୦ କୁଇଣ୍ଟାଲ, ଧନକଉଡ଼ାରୁ ୪୦୦ କୁଇଣ୍ଟାଲ, ରେଙ୍ଗାଲିରୁ ୭୦୦ କୁଇଣ୍ଟାଲ, କୁଚିଣ୍ଡାରୁ ୯୦୦ କୁଇଣ୍ଟାଲ, ବାମରାରୁ ୮୦୦ କୁଇଣ୍ଟାଲ ଓ ଜମନକିରାରୁ ୬୦୦ କୁଇଣ୍ଟାଲ ଆମ୍ବ ଉତ୍ପାଦନ ହୋଇଛି। ଯୁଯୁମୁରା ବ୍ଲକ ଝରଝରିର ଚାଷୀ ସନ୍ତୋଷ ଧରୁଆଙ୍କ କହିବାନୁସାରେ ୩ ଏକର ଜିମରେ ସେ ଆମ୍ବଚାଷ କରିଥିବା ସମୟରେ ଗତ ବର୍ଷ ସମସ୍ତ ୩୦୦ ଗଛରେ ଫଳ ଆସିଥିଲା। ସେଥିରେ ଆଲ୍ଫାନ୍ସୋ, ମଲ୍ଲିକା, ଲେଙ୍ଗଡ଼ା, ଆମ୍ରପଲ୍ଲୀ ଆଦି ଫଳ ଉତ୍ପାଦନ ହୋଇଥିଲା। ଯାହାକି କିଲୋ ପିଛା ୩୦ ଟଙ୍କା ଦରରେ ବିକ୍ରି କରାଯାଇଥିଲା। ମାତ୍ର ଏବର୍ଷ ଲେଙ୍ଗଡ଼ା, ମଲ୍ଲିକା ଆଦି ଆମ୍ବ ଆଦୌ ଆସିନଥିବା ସମୟରେ ଅନ୍ୟ ଆମ୍ବ ବି କମ୍ ଆସିଥିଲା। ଫଳରେ ଏବର୍ଷ କିଲୋ ପିଛା ୫୦ ଟଙ୍କାରେ ଆମ୍ବ ବିକ୍ରି କରାଯାଇଛି। ତେବେ ଓରମାସ୍ ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କରାଯାଇଥିବା ‘ଆମ୍ବ ବଜାର ଯୋଗୁ ଉତ୍ପାଦିତ ଫଳକୁ ସିଧାସଳଖ ଗ୍ରାହକଙ୍କୁ ବିକ୍ରି କରାଯାଇଥିବାରୁ ମଧ୍ୟସ୍ଥି ନେଉଥିବା ଟଙ୍କାବି ଚାଷୀଙ୍କୁ ମିଳିପାରିଛି।