ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଚାଷୀମାନଙ୍କୁ ଶୋଷଣ କରିବା ପାଇଁ ସାଂଘାତିକ ଷଡ଼୍ଯନ୍ତ୍ର ଚାଲିଛି। ଜିଲ୍ଲାରେ ଧାନ ସଂଗ୍ରହ ଅଧା ବି ହୋଇନାହିଁ। କିନ୍ତୁ, ଏଠାକାର ମିଲ୍ ମାଲିକଙ୍କୁ ଅନ୍ୟ ଜିଲ୍ଲାର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରିବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି।
ରାଜ୍ୟ ସରକାରଙ୍କ ନିୟମ ଅନୁସାରେ, ଗୋଟିଏ ଜିଲ୍ଲାର ମିଲ୍ ମାଲିକଙ୍କୁ ଅନ୍ୟ ଜିଲ୍ଲାର ଧାନ ସଂଗ୍ରହ ପ୍ରକ୍ରିୟାରେ ବି ସାମିଲ କରାଯାଇପାରିବ। ତେବେ, ଏଥି ନିମନ୍ତେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅନୁମତି ଅନିର୍ବାଯ୍ୟ ହୋଇଥାଏ। ଜିଲ୍ଲାର ଧାନ ସଂଗ୍ରହ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାନ୍ତି। ତେବେ, ସରକାରୀ ନିୟମ ଆଧାର କରି ଏବେ ସମ୍ବଲପୁର ଜିଲ୍ଲାର ମିଲ୍ ମାଲିକଙ୍କୁ ଅନ୍ୟ ଜିଲ୍ଲାରୁ କଷ୍ଟମ ମିଲର୍ସ ଭାବେ ଟ୍ୟାଗ୍ କରିବାକୁ ଭିତିରିଆ ଯୋଜନା ଆରମ୍ଭ ହୋଇଛି। ସମ୍ବଲପୁର ଜିଲ୍ଲାର ପ୍ରାୟ ୩୦ଟି ରାଇସ୍ ମିଲ୍କୁ ବିଭିନ୍ନ ଜିଲ୍ଲାର କଷ୍ଟମ ମିଲର୍ସ ଟ୍ୟାଗ କରାଯିବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି।
ଏଭଳି ହେଲେ, ସମ୍ବଲପୁରୟ ଜିଲ୍ଲାରେ ଧାନ ସଂଗ୍ରହ ଆହୁରି ପ୍ରଭାବିତ ହେବାର ଆଶଙ୍କା ରହିଛି।
ସମ୍ବଲପୁର ଉପଖଣ୍ଡରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବିଶେଷ ସମସ୍ୟା ନାହିଁ। ମଣ୍ଡିରୁ ନିୟମିତ ଧାନ ଉଠି ଯାଉଛି। ତେବେ, ରେଢ଼ାଖୋଲ ଓ କୁଚିଣ୍ଡା ଉପଖଣ୍ଡରେ କିନ୍ତୁ ଚାଷୀମାନଙ୍କୁ ଧାନ ବିକ୍ରି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ଦୁଇ ଉପଖଣ୍ଡର ଅନେକ ମଣ୍ଡି/କ୍ରୟକେନ୍ଦ୍ରରେ ସପ୍ତାହକୁ ଗୋଟିଏ ଦିନ ଧାନ କିଣାଯାଉଛି। ମାତ୍ର, ସେହିଦିନ ବି ମଣ୍ଡିରୁ ଧାନ ଉଠିପାରୁନାହିଁ। ବିଧିବଦ୍ଧ ଭାବେ ଟ୍ରାନ୍ସପୋର୍ଟ ଏଜେଣ୍ଟ ନିଯୁକ୍ତ କରାଯାଇନଥିବାରୁ ରାଇସ୍ ମିଲ୍ଗୁଡ଼ିକ ଏହି ଦାୟିତ୍ବ ନିର୍ବାହ କରୁଛନ୍ତି। ତେବେ, ମଣ୍ଡିକୁ ମିଲ୍ ମାଲିକମାନେ ଆସୁନଥିବାରୁ ଧାନ ଅନେକ ଦିନ ପର୍ଯ୍ୟନ୍ତ ସେଠାରେ ପଡ଼ି ରହୁଛି। ବଣଜଂଗଲ ଘେରା ଏହି ଅଂଚଳର ଚାଷୀମାନଙ୍କୁ ଶୀତରାତିରେ ବି କ୍ରୟକେନ୍ଦ୍ରରେ ଧାନ ଜଗିବାକୁ ପଡ଼ୁଛି। ଗୋଟିଏ ପଟେ ପ୍ରବଳ ଥଣ୍ଡା ତ ଅନ୍ୟ ପଟେ ହାତୀର ଭୟ ରହୁଛି। ଏଥିରୁ ବର୍ତ୍ତିବା ପାଇଁ ଅନେକ ଚାଷୀ ମଣ୍ଡିକୁ ନନେଇ ଦଲାଲମାନଙ୍କୁ ଧାନ ବିକି ଦେଉଛନ୍ତି। ସରକାରଙ୍କ ସର୍ବନିମ୍ନ ସମର୍ଥନ ମୂଲ୍ୟ ଠାରୁ ବହୁତ କମ୍ ଦରରେ ଧାନ ବିକୁଥିଲେ ବି ସେମାନଙ୍କୁ ମଣ୍ଡିକୁ ଯାଇ ହଇରାଣ ହେବାରୁ ମୁକ୍ତି ମିଳିଯାଉଛି।
ଯଦି, ସମ୍ବଲପୁର ଜିଲ୍ଲାରୁ ଧାନ ସଂଗ୍ରହ ସରିବା ପୂର୍ବରୁ ଅନ୍ୟ ଜିଲ୍ଲାକୁ ଧାନ କଷ୍ଟମ ମିଲିଂ ପାଇଁ ଆଣିବାକୁ ଅନୁମତି ଦିଆଯାଏ, ତାହେଲେ ଏଠାକାର ଚାଷୀମାନଙ୍କୁ ଆହୁରି ସମସ୍ୟା ଭୋଗିବାକୁ ପଡ଼ିବ। ଅଭାବୀ ଧାନ ବିକ୍ରି ସମସ୍ୟା ସୃଷ୍ଟି ହେବା ନିଶ୍ଚିତ ହୋଇଯିବ। ଧାନ ବିକିବା ପାଇଁ ଖୋଲା ଆକାଶ ତଳେ ଚାଲିଥିବା ମଣ୍ଡି/କ୍ରୟକେନ୍ଦ୍ରଗୁଡ଼ିକରେ ଚାଷୀମାନଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ କିମ୍ବା ସର୍ବନିମ୍ନ ସମର୍ଥନ ମୂଲ୍ୟଠାରୁ ବହୁ କମ୍ ଟଙ୍କାରେ ବିକିବାକୁ ପଡ଼ିବ। ଏ ସଂକ୍ରାନ୍ତରେ ମୁଖ୍ୟ ସିଏସ୍ଓ ରାମଚନ୍ଦ୍ର ଟୁଡୁଙ୍କ ସହିତ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେହେଁ ତାହା ସମ୍ଭବ ହୋଇପାରି ନାହିଁ।