କଟକ: ସମ୍ବଲପୁର ପୌର ନିଗମ ନିର୍ବାଚନ ପାଇଁ ବାଟ ଫିଟିଛି। ୨୦୧୫ରୁ ହାଇକୋର୍ଟରେ ବିଚାରାଧୀନ ଏ ସଂପର୍କିତ ମାମଲାର ଶୁଣାଣିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ସଂରକ୍ଷଣ ନିୟମ ଉଲ୍ଲଂଘନ କରି ନବ ଗଠିତ ସମ୍ବଲପୁର ପୌର ନିଗମର ୱାର୍ଡ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ଅଭିଯୋଗ ହୋଇଥିଲା। ୱାର୍ଡ ସଂରକ୍ଷଣ ସଂପର୍କିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୱାର୍ଡ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ସୀମିତ ରଖି ତଥା ସଂରକ୍ଷଣ ନିୟମାବଳୀ ପାଳନ କରି ୬ ସପ୍ତାହ ଭିତରେ ସାନି ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅଜୟ କୁମାର ମହାନ୍ତିଙ୍କ ତରଫରୁ ଦାୟର ଆବେଦନର ଶୁଣାଣିରେ ଜଷ୍ଟିସ୍ ଆର୍.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନ୍ତ ଘଟାଇଛନ୍ତି।
ୱାର୍ଡ ସଂରକ୍ଷଣ ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ
୬ ସପ୍ତାହ ଭିତରେ ସାନି ବିଜ୍ଞପ୍ତି ପାଇଁ ନିର୍ଦ୍ଦେଶ
ନବଗଠିତ ସମ୍ବଲପୁର ପୌର ନିଗମ ପାଇଁ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୱାର୍ଡ ସଂରକ୍ଷଣ ନେଇ ବିଜ୍ଞପ୍ତି ଜାରି କରିଥିଲେ। ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯାଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ଅଭିଯୋଗ ହୋଇଥିଲା। ସଂରକ୍ଷଣ ନିୟମ ଅନୁସାରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ପ୍ରଦାନ କରାଯାଇ ପାରିବ ନାହିଁ। ଏପରି କରାଯିବା ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ ବୋଲି ଦର୍ଶାଇ ହାଇକୋର୍ଟରେ ଶ୍ରୀ ମହାନ୍ତି ମାମଲା ଦାୟର କରିଥିଲେ। ୨୦୧୫ ଏପ୍ରିଲ ୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପାଇଁ ସମ୍ବଲପୁର ପୌର ନିଗମ ନିର୍ବାଚନ ହୋଇପାରୁ ନଥିଲା। ମାମଲାରେ ସମ୍ବଲପୁର ପୌରାଞ୍ଚଳର ପ୍ରକାଶ କୁମାର ଶତପଥୀ ଇଣ୍ଟରଭେନର୍ ଭାବେ ପକ୍ଷଭୁକ୍ତ ହୋଇଥିଲେ। ଆଜି ମାମଲାର ଚୂଡ଼ାନ୍ତ ପର୍ଯ୍ୟାୟ ଶୁଣାଣି ହୋଇଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୨୦୧୩ ସେପ୍ଟେମ୍ବର ୧୫ରେ ସମ୍ବଲପୁର ପୌର ନିଗମ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା। ହୀରାକୁଦ ଏନ୍ଏସି, ବୁର୍ଲା ଏନ୍ଏସି ଓ ୧୨ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ ହୋଇଥିଲା ସମ୍ବଲପୁର ପୌର ନିଗମ। କିନ୍ତୁ ପୌର ନିଗମର ନବ ଗଠିତ ୱାର୍ଡଗୁଡ଼ିକର ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ବିବାଦ ଦେଖା ଦେଇଥିଲା। ଆଇନଗତ ବିବାଦ ଭିତରେ ସମ୍ବଲପୁର ପୌର ନିଗମ ନିର୍ବାଚନ ହୋଇପାରୁ ନଥିଲା। ଇଣ୍ଟରଭେନର୍ ଶ୍ରୀ ଶତପଥୀଙ୍କ ତରଫରୁ ଆଇନଜୀବୀ କୌଶିକ ଆନନ୍ଦ ଗୁରୁ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/31/AHrIWRi0nUB2qMMsIlHQ.jpg)