ସମ୍ବଲପୁର : ସମ୍ବଲପୁର ମହାନଗର ନିଗମକୁ ଏବେ କବଳିତ କଲେଣି ମଶା। ସହରର ରାସ୍ତାଘାଟ, ହାଟବଜାରରେ ଏବେ ଦିନରେ ଛିଡ଼ା‌ ହେଲେ ବି ମଶା କାମୁଡ଼ୁଛନ୍ତି। ଆଉ ସଂଧ୍ୟାବେଳ କଥା ନକହିବା ଭଲ, ଟେକି ନେବାର ଭୟ ରହୁଛି। ବସ୍ତି ଅଞ୍ଚଳରୁ ଆରମ୍ଭ କରି ସମ୍ଭ୍ରାନ୍ତ ଲୋକଙ୍କ ବସତି ଯାଏଁ କୌଣସି ଅଞ୍ଚଳ ମଶା ଦାଉରୁ ମୁକ୍ତ ନୁହେଁ। ଭଣଭଣ କରି ଦଂଶନ କରୁଛନ୍ତି ଭଳିକି ଭଳି ମଶା। ଏହି ମଶାଙ୍କ ଭିତରେ ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗର ବାହକ ବି ରହିଛନ୍ତି। ଅନେକ ଲୋକ ମଶା କାମୁଡ଼ାରୁ ରୋଗର ଶିକାର ହେଉଛନ୍ତି। ଗରିବ ଲୋକେ ବେଶି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Advertisment

publive-image

କିନ୍ତୁ ମଶାବଂଶ ଏଭଳି ବୃଦ୍ଧି ପାଇବା ସତ୍ତ୍ବେ ମହାନଗର ନିଗମ ସଂପୂର୍ଣ୍ଣ ନିରବଦ୍ରଷ୍ଟା ପାଲଟିଛି। କୌଣସି ଅଞ୍ଚଳରେ ମଶାଧୂଆଁ ଦିଆଯାଉ ନାହିଁ କି ମଶା ତେଲ ଟିକେ ପକାଯାଉ ନାହିଁ। ଯଦି କେହି ଜଣାଶୁଣା ଲୋକ ଫୋନ୍‌ଫାନ୍ କରି ଅନୁରୋଧ କରିବେ ତା’ହେଲେ ଦିନେ ଅଧେ ଯାଇ ତାଙ୍କ ଘର ସମ୍ମୁଖରେ ମଶା ତେଲଟିକିଏ ପକାଇ ଦିଆଯାଉଛି। ଏହାପରେ ପୁଣି ଯାହାକୁ ତାହା। ନାଳନର୍ଦ୍ଦମା ସଫେଇ ମାସମାସ ଧରି କରାଯାଉ ନାହିଁ। ବିଭିନ୍ନ ଅଞ୍ଚଳରେ ନାଳ ଜାମ୍ ହେବା ଯୋଗୁଁ ପାଣି ଜମି ରହୁଛି। ଏହା ମଶାବଂଶ ବଢ଼ାଇବାରେ ସହାୟକ ହେଉଛି।

publive-image Image Courtesy of The Atlantic

ଶୀତଦିନିଆ ଥଣ୍ଡା ପାଗ ହୋଇଥିବାରୁ ଏହା ମଶାଙ୍କୁ ବେଶ୍‌ ସୁହାଉଛି। ଡାକ୍ତରଖାନା, ଆଶ୍ରମ, ଜେଲ୍‌ ଆଦିରେ ରହୁଥିବା ଲୋକଙ୍କ ଅବସ୍ଥା ଅଧିକ ଶୋଚନୀୟ ହୋଇ ପଡ଼ୁଛି। ମଶା ମୁକାବିଲା ପାଇଁ ଏସ୍‌ଏମ୍‌ସିକୁ କେତେ ଅର୍ଥ ଆସୁଛି, କେତେ ଖର୍ଚ୍ଚ ହେଉଛି, କେଉଁଠି ହେଉଛି ଓ କେତେ ଫେରି ଯାଉଛି ତା’ର ହିସାବ କାହାରି ପାଖରେ ନାହିଁ। ଏସ୍‌ଏମ୍‌ସି କର୍ତ୍ତୃପକ୍ଷ ତୁରନ୍ତ ନିଜର ସମସ୍ତ ଉପାୟ ଅବଲମ୍ବନ କରି ମଶାର ମୁକାବିଲା କରନ୍ତୁ ‌ବୋଲି ସାଧାରଣରେ ଦାବି ହେଉଛି।