ସମ୍ବଲପୁର: ସଦର ଥାନା ମାନେଶ୍ବର ଛକରେ ୫୫ ନଂ ଜାତୀୟ ରାଜପଥ କଡ଼ରେ ରହିଥିବା ଜବରଦଖଲ ଉଚ୍ଛେଦ ଘଟଣାକୁ ନେଇ ମଙ୍ଗଳବାର ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମାନେଶ୍ବର ତହସିଲଦାର ରଶ୍ମିତା ନାଥ ଓ ସଦର ଥାନାଧିକାରୀ ଚିନ୍ତାମଣି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ଉକ୍ତ ଜବରଦଖଲ ନିଜେ ହଟାଇଦେବାକୁ ୧୫ ଦିନର ମହଲତ ଦେବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।
ମିଳିଥିବା ସୂଚନା ଅନୁସାରେ, ଚନ୍ଦ୍ର ବାଗଙ୍କ ପରିବାର ୩ ପିଢ଼ି ହେବ ଉକ୍ତ ସରକାରୀ ଜମିରେ ଘର କରି ରହିଆସୁଥିଲେ। ମାତ୍ର ୫୫ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ଶ୍ରୀ ବାଗଙ୍କୁ ହଟିଯିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଏହାପରେ ଶ୍ରୀ ବାଗ ସେଠାରୁ ହଟିଯିବା ପରେ ସେହିସ୍ଥାନରେ ହିଁ କିଛି ମିଟର ପଛକୁ ଘର ତିଆରି କରି ରହୁଥିଲେ। ଯେଉଁସ୍ଥାନରେ ସେ ରହୁଛନ୍ତି ତାହା ଏକ ବସ୍ତି ଅଞ୍ଚଳ ହୋଇଥିବାରୁ ସ୍ଥାୟୀ ପଟ୍ଟା ପାଇଁ ୨୦୧୪ ମସିହାରେ ଏକ ସର୍ଭେ ମଧ୍ୟ କରାଯାଇଥିଲା। କିନ୍ତୁ ଅଦ୍ୟାବଧି ତାଙ୍କୁ ଜମି ପଟ୍ଟା ମିଳିପାରିନାହିଁ। ମାତ୍ର କେହି ବ୍ୟକ୍ତି ସେ ବେଆଇନ୍ ଭାବେ ରହୁଥିବା ନେଇ ଅଭିଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସକାଳୁ ବିନା ନୋଟିସ୍ରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବାକୁ ଜେସିବି ପହଞ୍ଚିଥିଲା। ଏହାପରେ ଶ୍ରୀ ବାଗଙ୍କ ପରିବାର ଲୋକେ ଉଚ୍ଛେଦକୁ ବିରୋଧ କରି ଜେସିବି ମୁହଁରେ ଜୀବନଦେଇଦେବାକୁ ଉଦ୍ୟମ କରିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶ୍ରୀ ବାଗଙ୍କୁ ସ୍ଥାନୀୟ ଲୋକେ ମଧ୍ୟ ସମର୍ଥନ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-267.jpg)