ସମ୍ବଲପୁର : ପୁଲିସ ବିଭାଗ ୫-ଟି ଅଧୀନରେ ରହିଛି। ସବୁ ଥାନା ବାହାରେ ବଡ଼ ବୋର୍ଡରେ ଲେଖା ମଧ୍ୟ ରହିଛି। କିନ୍ତୁ ପୁଲିସ ବିଭାଗର କାର୍ଯ୍ୟକଳାପ ଏବେ ୫-ଟି ବାହାରକୁ ଚାଲି ଗଲାଣି। ୫-ଟି ଭିତରେ ଥିବା ଟେକ୍ନୋଲୋଜି ଏବେ ସମ୍ବଲପୁର ପୁଲିସରେ ନାହିଁ। ଏକଥା ଆମେ କହୁନୁ ଏକଥା ନିଜେ ସମ୍ବଲପୁର ପୁଲିସ କହୁଛି। ସମ୍ବଲପୁର ପୁଲିସ ଆପ୍ଲିକେସନ୍ ବର୍ଷେରୁ ଅଧିକ ସମୟ ହେବ ଅଚଳ ହୋଇ ପଡ଼ି ରହିଛି। ତାକୁ ସଜାଡିବାକୁ ପୁଲିସ ବିଭାଗ ଚିନ୍ତା ବି କରୁନାହିଁ। ଗୋଟିଏ ପଟେ କହାଯାଉଛି ୫ଟିରେ ଟେକ୍ନୋଲୋଜିକୁ ପ୍ରାଧାନ୍ୟ ଦିଆଯାଉଛି, ଅନ୍ୟପଟେ ସମ୍ବଲପୁର ପୁଲିସ ପାଇଁ ଟେକ୍ନୋଲୋଜିର ଘୋର ଅଭାବ ରହିଛି।
ସମ୍ବଲପୁର ପୁଲିସ ବିଭାଗ ପକ୍ଷରୁ ଲୋକଙ୍କୁ ସୁବିଧାରେ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସମ୍ବଲପୁର ପୁଲିସର ଆପ୍ ଲଞ୍ଚ୍ କରାଯାଇଥିଲା। ଉକ୍ତ ଆପ୍ ମାଧ୍ୟମରେ ଅଭିଯୋଗ କରିବା ଠାରୁ ପୁଲିସ ଅଧିକାରୀଙ୍କ ଯୋଗାଯୋଗ ନମ୍ବର ଥାନା ଅନୁଯାୟୀ ଉପଲବ୍ଧ ଥିଲା। ଇତି ମଧ୍ୟରେ ମୁକେଶ ଭାମୁ ସମ୍ବଲପୁରର ନୂତନ ଏସ୍ପି ଭାବେ ଦାୟିତ୍ବ ମଧ୍ୟ ଗ୍ରହଣ କରିସାରିଲେଣି। କେବଳ ସେତିକି ନୁହେଁ ଜିଲ୍ଲାରେ ଅଧିକାଂଶ ଥାନାରେ ଏବେ ନୂଆ ଥାନାଧିକାରୀ। ଉକ୍ତ ଆପ୍ ମାଧ୍ୟମରେ ନୂଆ ଅଧିକାରୀଙ୍କ ନାଁ ଠାରୁ ଯୋଗାଯୋଗ ନମ୍ବର ମଧ୍ୟ ଲୋକେ ପାଇ ପାରିଥାନ୍ତେ। କିନ୍ତୁ ଏହି ଆପ୍କୁ ପ୍ଲେଷ୍ଟୋର୍ରୁ ଡାଉନ୍ଲୋଡ୍ କରି କେବଳ ମେମୋରି ଫୁଲ୍ ହେଉଛି ବୋଲି ଲୋକେ କହୁଛନ୍ତି। ଆପ୍ଟି ବର୍ଷେ ହେବ ସମ୍ପୂ୍ର୍ଣ୍ଣ ଭାବେ ଅଚଳ ହୋଇଯାଇଛି। କୌଣସି ପେଜ୍ ଖୋଲୁନାହିଁ। ଇମ୍ପୋଟାଣ୍ଟ କଣ୍ଟାକ୍ଟ୍ସ, ଥାନା ତାଲିକା, ବରିଷ୍ଠ ନାଗରିକ, ମହିଳା-ଶିଶୁ ଯତ୍ନ, ସ୍ପେଶାଲ ୟୁନିଟ୍, ଫାୟାର୍ ଆଣ୍ଡ ମେଡିକାଲ୍ ଓ ଟ୍ରାଫିକ୍ ଆଇକନ୍ ଉପରେ କ୍ଲିକ୍ କଲେ ୱେବ୍ ପେଜ୍ ଉପଲବ୍ଧ ନାହିଁ ବୋଲି ଦର୍ଶାଉଛି। ଯାହା ଫଳରେ ଆପ୍କୁ ଡାଉନ୍ ଲୋଡ୍ କରିଥିବା ଲୋକେ ଏହାର ଲାଭ ଉଠାଇ ପାରୁ ନାହାନ୍ତି।
ପୂର୍ବରୁ ଏହି ଆପ୍କୁ ଅପ୍ଡେଟ୍ କରାଯାଉ ନଥିଲା। ଥାନାଧିକାରୀଙ୍କ ନାଁ ଓ ନମ୍ବର କିଛି ଅପ୍ଡେଟ୍ କରାଯାଉ ନଥିବାରୁ ଲୋକେ ଅସୁବିଧା ଭୋଗୁଥିଲେ। ସେ ନେଇ ଖବର ପ୍ରକାଶ ପାଇବା ପରେ ଏସ୍ପି ବି. ଗଙ୍ଗାଧରଙ୍କ ସମୟରେ ଉକ୍ତ ଆପ୍କୁ ୨୪ ଘଣ୍ଟାରେ ଅପଡେଟ୍ କରାଯାଇଥିଲା। କିନ୍ତୁ ଅପଡେଟ୍ କରାଯିବାର କିଛି ମାସ ପରେ ଆପ୍ଟି ଅକାମି ହୋଇଯାଇଥିଲା। ଦୁନିଆ ଦିନକୁ ଦିନ ଟେକ୍ନୋଲୋଜି ସହିତ ଆଗକୁ ବଢ଼ୁଥିବା ବେଳେ ସମ୍ବଲପୁର ପୁଲିସରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖା ଦେଇଛି। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉକ୍ତ ଆପ୍କୁ ଯଥାଶୀଘ୍ର ମରାମତି ସହ ଅପଡେଟ୍ କରିବାକୁ ଦାବି ହୋଇଛି।