ସମ୍ବଲପୁରରେ ପୁଲିସ କମିସନରେଟ୍‌: ଘୋଷଣା କରି ଭୁଲିଗଲେ

ବଢ଼ୁଛି ମହାନଗର ପରିସୀମା, ବଢ଼ୁଛି ଅପରାଧ

ସମ୍ବଲପୁର: ସମ୍ବଲପୁରରେ ପୁଲିସ କମିସନରେଟ୍ ବ୍ୟବସ୍ଥା ପାଇଁ ଘୋଷଣା କରି ଏକ ପ୍ରକାର ଭୁଲି ଯାଇଛନ୍ତି ସରକାର। ଘୋଷଣାକୁ ସାଢ଼େ ୪ ବର୍ଷ ଅତିକ୍ରାନ୍ତ ହେବା ସତ୍ତ୍ବେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ‌ଗାଁ ଲୋକ ସହରାଭିମୁଖୀ ହେବା ସହିତ ସହରାଂଚଳରେ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇବା ଯୋଗୁଁ ସହରସୀମା ବଢ଼ିବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ସାଂଗକୁ ଅପରାଧ ବି ବଢ଼ୁଛି। ଚୋରି, ଡକାୟତି, ହତ୍ୟା, ମହିଳା ବିରୋଧୀ ହିଂସା ଆଦି ବିଭିନ୍ନ ପ୍ରକାର ଅପରାଧିକ ଗତିବିଧି ବଢ଼ି ବଢ଼ି ଚାଲିଛି। ସାଇବର ଅପରାଧ ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଂଜରେ ପରିଣତ ହୋଇଛି।

ରାଜ୍ୟ ସରକାର ଏହାକୁ ଉପଲବ୍‌ଧି କରି ୨୦୧୪ ମସିହାରେ ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ କମିସନରେଟ୍ ପୁଲିସ ବ୍ୟବସ୍ଥା ପାଇଁ ସରକାରୀ ସ୍ତରରେ ବିଚାର ବିମର୍ଷ ଆରମ୍ଭ ହୋଇ ଯାଇଥିଲା। ତେବେ, ଜୁନ୍ ୨୦୧୬ରେ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ବିଧିବଦ୍ଧ ଭାବେ ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ପୁଲିସ କମିସନରେଟ୍‌ ବ୍ୟବସ୍ଥା ପାଇଁ ଘୋଷଣା କରାଯାଇଥିଲା। ୨୦୧୭ ମସିହାରେ ବିଧାନସଭାରେ ବିଜେଡି ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ସମ୍ବଲପୁର ସହିତ ଅନ୍ୟ ଦୁଇ ମହାନଗରରେ ପୁଲିସ କମିସନରେଟ୍‌ ବ୍ୟବସ୍ଥା ପାଇଁ ସରକାର ବିଚାରାଧୀନ ରହିଥିବା କୁହାଯାଇଥିଲା। ଇତିମଧ୍ୟରେ ସମ୍ବଲପୁରରେ ପୁଲିସ କମିସନରେଟ୍‌ ବ୍ୟବସ୍ଥା ଘୋଷଣାକୁ ସାଢ଼େ ୪ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। ତଥାପି, ଏହା କାର୍ଯ୍ୟକାରୀ ହୋଇପାରିନାହିଁ।

ଏପଟେ ସମ୍ବଲପୁର ଜିଲ୍ଲା ସହିତ ସମ୍ବଲପୁର ମହାନଗର ନିଗମ ଅଂଚଳରେ ଅପରାଧ ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି। ସରକାରୀ ତଥ୍ୟ ଅନୁସାରେ, ୨୦୧୨ ମସିହାରେ ସମ୍ବଲପୁର ଜିଲ୍ଲାରେ ୨୯୬୬ଟି ଓ ୨୦୧୩ ମସିହାରେ ୩୭୦୧ଟି ଅପରାଧିକ ମାମଲା‌ ରୁଜୁ ହୋଇଥିଲା। ତେବେ, ୨୦୧୯ ମସିହାରେ( ଅକ୍ଟୋବର ମାସ ‌ସୁଦ୍ଧା) ୫୦୧୮ଟି ଅପରାଧିକ ମାମଲା ରୁଜୁ ହୋଇଥିଲା। ବରିଷ୍ଠ ଆଇନଜୀବୀ ପ୍ରଦୀପ ବହିଦାର କହିଛନ୍ତି ଯେ, ସରକାର ସମ୍ବଲପୁରକୁ ମହାନଗର ନିଗମରେ ପରିଣତ କରିଥିଲେହେଁ ଏହା କେବଳ କାଗଜକଳମରେ ହିଁ ସୀମିତ ରହିଛି। କମିସନରେଟ୍ ପୁଲିସ ବ୍ୟବସ୍ଥାରେ ପୁଲିସ କମିସନରଙ୍କ ପୂରା ନଜର ମହାନଗର ନିଗମ ଉପରେ ହିଁ ରହିଥାଏ, ଯାହା ଏସ୍‌ପିଙ୍କ କ୍ଷେତ୍ରରେ ହୋଇନଥାଏ। ଜିଲ୍ଲା ପୁଲିସ ପୂରା ଜିଲ୍ଲା ପାଇଁ କାମ କରୁଥିବାରୁ ମହାନଗର ନିଗମ ଅଂଚଳ ପାଇଁ ସନ୍ତୋଷଜନକ ସେବା ଦେଇପାରୁ ନାହାନ୍ତି। ମହାନଗର ନିଗମ ଅଂଚଳରେ ଅପରାଧ ସାଂଘାତିକ ଭାବେ ବଢ଼ୁଛି। ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ କମିସନରେଟ୍ ପୁଲିସ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଂପାଦକ ଜୟଶଙ୍କର ମିଶ୍ର କହିଛନ୍ତି। ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲ କହିଲେ, ରାଜ୍ୟର ବିଜେଡି ସରକାର ସବୁବେଳେ ସମ୍ବଲପୁର ଜିଲ୍ଲା ପ୍ରତି ଅବହେଳା କରି ଆସିଛି।

ସମ୍ବନ୍ଧିତ ଖବର