ସମ୍ବଲପୁର : ଦିନ ଥିଲା ସମ୍ବଲପୁର ଜିଲ୍ଲା କଂଗ୍ରେସର ଗଡ଼ ଥିଲା। ତେବେ, କଂଗ୍ରେସର ଏହି ଗଡ଼ ଉପରେ ଏବେ ବିଜେଡି ଓ ବିଜେପିର ପ୍ରଭାବ ରହିଛି। ଦୁର୍ବଳ ନେତୃତ୍ବ ଯୋଗୁ ଜିଲ୍ଲାରେ ସଂଗଠନ ବି ଦୁର୍ବଳ ହୋଇଛି। ଇତିମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କୁ ବଦଳାଇ ଆଶଫ ଅଲୀ ଖାନଙ୍କୁ କଂଗ୍ରେସ ସମ୍ବଲପୁର ଜିଲ୍ଲା ଦାୟିତ୍ବ ଦେଇଛି। ତେବେ, ଆଶଫଙ୍କ ଆଭିମୁଖ୍ୟ କଣ ରହିବ ତାହାକୁ ନେଇ ଦଳୀୟ କର୍ମୀ ଓ ସମର୍ଥକଙ୍କ ମହଲରେ ବେଶ୍ ଉତ୍କଣ୍ଠା ପ୍ରକାଶ ପାଇଛି।
ସମ୍ବଲପୁର ଲୋକସଭା ହେଉ କି ଜିଲ୍ଲାର ୪ ବିଧାନସଭା କ୍ଷେତ୍ର ସବୁଠି ଏକଦା କଂଗ୍ରେସ ସଂଗଠନ ସୁଦୃଢ଼ ରହିଥିଲା। ଗତ ଦୁଇଟି ନିର୍ବାଚନରେ କିନ୍ତୁ କଂଗ୍ରେସ ସମ୍ବଲପୁର ଜିଲ୍ଲାରେ ପୂରା ସଫା ହୋଇଯାଇଛି। ଲୋକସଭା କିମ୍ବା ବିଧାନସଭା କୌଣସି ଆସନରୁ ଜଣେ ବି ପ୍ରାର୍ଥୀ ବିଜୟୀ ହୋଇନାହାନ୍ତି। ଜିଲ୍ଲା ପରିଷଦ ନିର୍ବାଚନରେ ବି କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି। ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ହାତରେ ଗତ କିଛି ବର୍ଷ ହେଲା ଜିଲ୍ଲା କଂଗ୍ରେସ ରହିଥିଲା। ଏହି ସମୟରେ ବହୁ ପୁରୁଣା ନେତାଙ୍କୁ ଆଉ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦେଖିବାକୁ ମିଳିଲା ନାହିଁ। ଯୁବ କଂଗ୍ରେସ ନେତାଙ୍କ ସହିତ ରହିଥିବା ଫାଟ ପଦାକୁ ଆସିଥିଲା। ଅପରପକ୍ଷରେ ବିଜେଡି ଶାସିତ ଓଡ଼ିଶା ସରକାର କିମ୍ବା କେନ୍ଦ୍ରର ଶାସକ ଦଳ ବିଜେପିର ନେତା ତଥା ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଂଗଦେବ ଏବଂ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନିର୍ବାଚନମଣ୍ଡଳୀରେ ଅନୁପସ୍ଥିତିକୁ ନେଇ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚାଇ ପାରିଲା ନାହିଁ। ବିଜେଡି ଓ ବିଜେପି ବିରୋଧରେ ଆକ୍ରମଣତ୍ମାକ ଆଭିମୁଖ୍ୟ ରଖି କଂଗ୍ରେସ ନିଜର ସ୍ଥିତି ଜିଲ୍ଲାରେ ସୁଦୃଢ଼ କରିପାରିଲା ନାହିଁ।
ଏବେ ବରିଷ୍ଠ କଂଗ୍ରେସ ନେତା ଆଶଫ ଅଲୀ ଖାନଙ୍କୁ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ନିଯୁକ୍ତ କରାଯାଇଛି। ଛାତ୍ର ଜୀବନରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଆଶଫ ପୂର୍ବରୁ ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଥିଲେ। ସେ ରାଜ୍ୟ ତଥା ରାଜ୍ୟ ବାହାରେ କଂଗ୍ରେସର ବିଭିନ୍ନ ନିର୍ବାଚନ ଓ ଅନ୍ୟାନ୍ୟ ସାଂଗଠନିକ ଦାୟିତ୍ବରେ ରହି ଆସିଛନ୍ତି। ତେବେ, ୨୦୦୯, ୨୦୧୪ ଓ ୨୦୧୯ ମସିହା ନିର୍ବାଚନରେ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। ଜିଲ୍ଲାରେ ଏବେ ବି କଂଗ୍ରେସର ଭୋଟ ବ୍ୟାଙ୍କ ରହିଛି। ଗାଁ ଗାଁରେ ଦଳୀୟ କର୍ମୀ ଓ ସମର୍ଥକ ରହିଛନ୍ତି। ମାତ୍ର, ଉପଯୁକ୍ତ ନେତୃତ୍ବର ଅଭାବ ଏବଂ ଗୋଷ୍ଠୀ ବିବାଦ ଯୋଗୁ ସେହି ପୁରୁଣା କର୍ମୀମାନେ ଏବେ ସେତେଟା ସକ୍ରିୟ ହେଉନଥିବା ପରିଲକ୍ଷିତ ହୋଇଛି। ମତଭେଦ ପାସୋରି ସମସ୍ତଙ୍କୁ ଏକ ସଂଗରେ ନେଇପାରିଲେ ଦଳୀୟ ସଂଗଠନ ଜିଲ୍ଲାରେ ପୁଣି ସୁଦୃଢ଼ ହେବ। ତେବେ, ଆଶଫଙ୍କ ନେତୃତ୍ବରେ ଦଳୀୟ ସଂଗଠନ କେମିତି ରହିବ, ତାହା ସମୟ କହିବ।