ପ୍ରତିଶ୍ରୁତି ରଖିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ: ପୁଣି ଚାଲିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି

ସମ୍ବଲପୁର: ଆଜି ପବିତ୍ର ରାମନବମୀଠାରୁ ସମ୍ବଲପୁର-ପୁରୀ ଇଣ୍ଟରସିଟି ପୁନଃ ଚଳାଚଳ କରିଥିବା ଜଣାଯାଇଛି। ଏହା ୧୦ ତାରିଖ  ସକାଳ ୬ଟାରେ ସମ୍ବଲପୁର ଷ୍ଟେସନରୁ ଛାଡ଼ିଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ଅନ୍ୟ ବିଜେପି ନେତା ଓ କର୍ମୀମାନେ ରବିବାର ଷ୍ଟେସନକୁ ଯାଇ ଟ୍ରେନ ଡ୍ରାଇଭରମାନଙ୍କୁ ଫୁଲମାଳ ପିନ୍ଧାଇ ଶୁଭେଚ୍ଛା ଜଣାଇଥିଲେ।

ଅନ୍ୟପଟେ ଏହି ଟ୍ରେନ୍ ପାଇଁ ଲୋକଙ୍କ ଉତ୍ସାହ ପ୍ରଥମ ଦିନରୁ ଜଣାପଡିଛି। ଅନଲାଇନ୍ ବୁକିଂ ଆରମ୍ଭ ହେବାର ପ୍ରଥମ ଦିନ ହିଁ ପ୍ରାୟ ସବୁ ଟିକେଟ ବୁକିଂ ହୋଇଯାଇଥିଲା। କୋଭିଡ ପାଇଁ ଦୀର୍ଘ ଦିନରୁ ବନ୍ଦ ଥିଲା ସମ୍ବଲପୁର-ପୁରୀ ଇଣ୍ଟରସିଟିର ପୁନଃ ଚଳାଚଳ ଲାଗି ବେଶ୍ କିଛି ଦିନ ହେବ ଦାବି ହେଉଥିଲା। ଏହାଛଡ଼ା ସକାଳେ ସମ୍ବଲପୁର-ପୁରୀ ଇଣ୍ଟରସିଟିର ଚଳାଚଳ ପାଇଁ ଲୋକେ ଚାହୁଁଥିଲେ। କରଣ ଯେଉଁମାନେ ସକାଳେ ଭୁବନେଶ୍ବର ଆସିବାକୁ ଚାହୁଁଥିଲେ ,ସେମାନଙ୍କ ଲାଗି ଟ୍ରେନର ସୁବିଧା ନଥିଲା। ସମ୍ବଲପୁର-ପୁରୀ ଇଣ୍ଟରସିଟି ପୁନଃ ଚଳାଚଳ ପରେ ସମ୍ବଲପୁର ସମେତ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଖୁସିର ଲହର ଖେଳିଯାଇଛି।

ଆଜି ଏହି ଟ୍ରେନଟି ସମ୍ବଲପୁର ଷ୍ଟେସନ ଛାଡିଥିଲା। ପ୍ରଥମ ଦିନରେ ଅନେକ ଯାତ୍ରୀ ଭୁବନେଶ୍ୱର ତଥା ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ଏହି ଟ୍ରେନଟି ଭୁବନେଶ୍ୱର ଦିନ ୧୧.୨୦ମିନିଟରେ ପହଞ୍ଚିବ ଓ ପୁରୀଠାରେ ଅପରାହ୍ନ ୧୨ଘ.୫୦ମି.ରେ ପହଞ୍ଚିବ। ଫେରିବା ମାର୍ଗରେ, ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ପୁରୀଠାରୁ ପ୍ରତ୍ୟହ ଅପରାହ୍ନ ୩ଘ.୪୫ମି.ରେ ଛାଡ଼ି ସମ୍ବଲପୁରଠାରେ ରାତ୍ରି ୧୦ଘ.୨୦ମି.ରେ ପହଞ୍ଚିବ।
ଏହି ଟ୍ରେନ୍ ସମ୍ବଲପୁର ଓ ପୁରୀ ମଧ୍ୟରେ ଉଭୟ ପାର୍ଶ୍ୱରୁ ଯୁଯୁମୁରା, ରେଢ଼ାଖୋଲ, ବାମୁର, ବଇଣ୍ଡା, ଜରପଡା, ଅନୁଗୁଳ, ତାଳଚେର ରୋଡ୍, ମେରାମଣ୍ଡଳୀ, ଢ଼େଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ ଷ୍ଟେସନମାନଙ୍କରେ ରହଣି କରିବାକୁ ଥିବା ବେଳେ ଏହାର ଗଠନରେ ଦୁଇଟି ଏସି ଚେୟାର କାର, ପାଞ୍ଚଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର, ପାଞ୍ଚଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି |

ସୂଚନାଯୋଗ୍ୟ, ଗତ ୨ ତାରିଖ ଦିନ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶାର ବିଧାୟକମାନେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକ ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ଶୀଘ୍ର ଚାଲୁ କରିବା ପାଇଁ ମିଳିତ ଭାବେ ଦାବି କରିଥିଲେ। ରେଳମନ୍ତ୍ରୀ ଆଗାମୀ ୧୦ ତାରିଖ ପବିତ୍ର ରାମନବମୀ ତିଥିରୁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଚାଲୁ କରିବା ପାଇଁ ନିଷ୍ପତ୍ତି ନେବା ସହିତ ଏ ସମ୍ପର୍କରେ ଯଥା ଶୀଘ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ବିଧାୟକଙ୍କ ଠାରୁ ସମସ୍ତ ବିଷୟ ଶୁଣିଲା ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମସ୍ତ ବିଷୟକୁ ଗରୁତ୍ବ ଭାବେ ଗ୍ରହଣ କରି ଯଥା ସମ୍ଭବ ଓ ଯଥା ଶୀଘ୍ର କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସମ୍ବଲପୁର ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର