ସମ୍ବଲପୁର ରେଳ ମଣ୍ଡଳ ଏବେ ସଂପୂର୍ଣ୍ଣ ବିଦ୍ୟୁତ୍‌ଯୁକ୍ତ, ଦୋହରୀକରଣ କାମ ଢିଲା

ସମ୍ବଲପୁର : ୫ ବର୍ଷରୁ କମ୍ ସମୟ ମଧ୍ୟରେ ସମ୍ବଲପୁର ରେଳ ମଣ୍ଡଳ‌ର ସଂପୂର୍ଣ୍ଣ ବିଦ୍ୟୁତୀକରଣ ସମ୍ଭବ ହୋଇଛି। ସ୍ବାଧୀନତାର ପ୍ରାୟ ୭୦ ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ୍ ଇଂଜିନ୍‌ ଦେଖି ନଥିବା ଓଡ଼ିଶା ଓ ଛତିଶଗଡ଼ରେ ବ୍ୟାପି ଥିବା ଏହି ମଣ୍ଡଳର ୭୩୮.୫ କିଲୋମିଟର୍ ଲମ୍ବା ରେଳ ଲାଇନ୍ ୧୦୦% ବିଦ୍ୟୁତୀକରଣ ହୋଇ ଏକ ବିରଳ ସଫଳତା ହାସଲ କରିଛି।

କେବଳ ସେତିକି ନୁହେଁ; ‌ଗତ ଫେବ୍ରୁଆରି ୨୦ ତାରିଖରେ ଟିଟିଲାଗଡ଼-ରାୟପୁର ସେକ୍‌ସନ୍‌ର କିଛି ନୂଆ ଦୋହରା ଟ୍ରାକ୍‌ ବିଦ୍ୟୁତ୍‌ଯୁକ୍ତ ହେବା ପରେ ଏହି ଡିଭିଜନ୍‌‌ ଦେଇ ପ୍ରାୟ ସମସ୍ତ ଟ୍ରେନ୍‌ ବିଦ୍ୟୁତ୍‌ ଟ୍ରାକ୍‌ସନରେ ଚାଲିବା ଆରମ୍ଭ ହୋଇଛି। ଅପର ପକ୍ଷରେ ଅର୍ଧଶତାବ୍ଦୀ ଧରି ଏକକ ଲାଇନ୍‌ରେ ଚାଲୁଥିବା ଏହି ମଣ୍ଡଳର ଦୋହରୀକରଣ କାମ ପ୍ରାୟ ଏକ ଦଶନ୍ଧି ହେଲା ଆରମ୍ଭ ହୋଇଥିଲେ ବି ତାହା ଯଥେଷ୍ଟ ଧିମା ଗତିରେ ଚାଲିଥିବାରୁ ଏଯାଏଁ ସଂପୂର୍ଣ୍ଣ ହୋଇପାରି ନାହିଁ। ବତ୍ତର୍ମାନ ସୁଦ୍ଧା ୭୦% ଦୋହରୀକରଣ କାର୍ଯ୍ୟ ଶେଷ ହୋଇ କମିସନିଂ ହୋଇ ସାରିଥିଲାବେଳେ ବଳକା ୩୦ ଭାଗରେ ମଧ୍ୟ କାମ ଚାଲିଛି।

୧୯୯୦ରେ ବିଶାଖାପାଟଣା ଓ ଚକ୍ରଧରପୁର ରେଳ ମଣ୍ଡଳର କିଛି କିଛି ଅଂଶ ଅଲଗା ହୋଇ ସମ୍ବଲପୁର ରେଳ ମଣ୍ଡଳ ଗଠିତ ହୋଇଥିଲା। ପୂର୍ବରୁ ଏହା ଦକ୍ଷିଣ ପୂର୍ବ ରେଳବାଇ ଜୋନ୍‌ ଅଧୀନରେ ଥିବାବେଳେ ପୂର୍ବତଟ ରେଳବାଇ ଜୋନ୍ ଗଠନ ପରେ ଏଥିରେ ସାମିଲ ହୋଇଥିଲା। ସମ୍ବଲପୁରରେ ମୁଖ୍ୟାଳୟ ଥିବା ଏହି ରେଳମଣ୍ଡଳ ଅଧୀନରେ ବର୍ତ୍ତମାନ ସମ୍ବଲପୁର ଓ ଟିଟିଲାଗଡ଼ ଦୁଇଟି ମୁଖ୍ୟ ଜଙ୍କ୍‌ସନ୍‌ ଥିଲାବେଳେ ଲାଞ୍ଜିଗଡ଼ ରୋଡ୍ ଓ ବଲାଙ୍ଗୀର ବି ଜଙ୍କ୍‌ସନ୍‌ର ମାନ୍ୟତା ପାଇ ସାରିଛି। ଏହି ମଣ୍ଡଳରେ ଝାରସୁଗୁଡ଼ା-ସମ୍ବଲପୁର, ତାଳଚେର-ସମ୍ବଲପୁର, ସମ୍ବଲପୁର-ଟିଟିଲାଗଡ଼, ଟିଟିଲାଗଡ଼-ରାୟପୁର ଓ ଟିଟିଲାଗଡ଼-ରାୟଗଡ଼ା ଆଦି ୫ଟି ଗୁରୁତ୍ବପୂର୍ଣ୍ଣ ସେକ୍‌ସନ୍ ରହିଛି। ୧୯୯୮ରେ ୧୫୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସମ୍ବଲପୁର-ତାଳଚେର ସେକ୍‌ସନ ଏହି ମଣ୍ଡଳରେ ସାମିଲ ହେଲା ପରେ ଏହାର ଗୁରୁତ୍ବ ଓ ବ୍ୟସ୍ତତା ଯଥେଷ୍ଟ ବୃଦ୍ଧି ପାଇଥିଲା। ୨୦୧୨ରେ ଲାଞ୍ଜିଗଡ଼-ଭବାନୀପାଟଣା ଓ ୨୦୧୪ରେ ଭବାନୀପାଟଣା-ଜୁନାଗଡ଼ ମୋଟ ୫୪ କିଲୋମିଟରର ନୂଆ ଲାଇନ୍‌ ମଧ୍ୟ ଏହି ଡିଭିଜନ୍‌ରେ ସାମିଲ ହୋଇ ଏକ ନୂଆ ସେକ୍‌ସନ ଖୋଲିଥିଲା। ସେହିପରି ୨୦୧୯ରେ ବଲାଙ୍ଗୀର-ବିଛୁପାଲି ସେକ୍‌ସନରେ ରେଳ ଚଳାଚଳ ଆରମ୍ଭ ହୋଇଛି।

ବର୍ତ୍ତମାନ ସୁଦ୍ଧା ଝାରସୁଗୁଡ଼ା-ସମ୍ବଲପୁର ଓ ଟିଟିଲାଗଡ଼-ରାୟଗଡ଼ା ସେକ୍‌ସନରେ ଉଭୟ ବିଦ୍ୟୁତୀକରଣ ଓ ଦୋହରୀକରଣ କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହୋଇ ସାରିଛି ଓ ଏହି ମାର୍ଗରେ ତୃତୀୟ ଲାଇନ୍‌କୁ ବି ମଞ୍ଜୁରି ମିଳି ସାରିଛି। ସମ୍ବଲପୁର-ତାଳଚେର ସେକ୍‌ସନ୍‌ରେ ବିଦ୍ୟୁତୀକରଣ ଶେଷ ହୋଇଥିଲାବେଳେ ପ୍ରାୟ ୮୮ କିଲୋମିଟର ଦୋହରୀକରଣ କାର୍ଯ୍ୟ ବାକି ଅଛି। ବିଳମ୍ବରେ ଆରମ୍ଭ ହୋଇଥିଲେ ବି ଏହି ମାର୍ଗରେ ଦୋହରା ଲାଇନ୍‌ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। କିନ୍ତୁ ସମ୍ବଲପୁର-ଟିଟିଲାଗଡ଼ ସେକ୍‌ସନରେ ବିଦ୍ୟୁତୀକରଣ ଶେଷ ହୋଇଥିଲେ ବି ଦୋହରୀକରଣ କାମ ଧିମା ଚାଲିଛି ଓ ପ୍ରାୟ ୫୮ କିଲୋମିଟର ଏବେ ବି ବାକି ଅଛି। ଏହି ମାର୍ଗରେ କିଛି ବଡ଼ ନଦୀ ପଡ଼ୁଥିବାରୁ ସେଗୁଡ଼ିକର ଦୋହରା ପୋଲ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହୋଇଛି। ସମ୍ବଲପୁରରୁ ହୀରାକୁଦ ମଧ୍ୟରେ ମହାନଦୀ, ଦେବାହାଲରୁ ବରଗଡ଼ ମଧ୍ୟରେ ଦନ୍ତା ନଦୀ, ବରଗଡ଼ରୁ ବରପାଲି ମଧ୍ୟରେ ଜିରା ନଦୀ, ଡୁଙ୍ଗୁରିପାଲିରୁ ଖଲିଆପାଲି ମଧ୍ୟରେ ଅଂଗ ନଦୀ, ଲୁଇସିଂହାରୁ ବଲାଙ୍ଗୀର ମଧ୍ୟରେ ସୁକ୍‌ତେଲ, ଦେଓଗାଁରୁ ସଇଁତଳା ମଧ୍ୟରେ ସୋମଗଡ଼ ଓ ସଇଁତଳାରୁ ବଡ଼ମାଲ ମଧ୍ୟରେ ଲାନ୍ଥ ନଦୀ ରହିଛି। ସମ୍ବଲପୁର-ହୀରାକୁଦ ମଧ୍ୟରେ ମହାନଦୀ ଦ୍ବିତୀୟ ପୋଲ ନିର୍ମାଣ ପ୍ରାୟ ଶେଷ ହୋଇଛି ଓ ଖୁବ୍‌ ଶୀଘ୍ର ଏହା କମିସନିଂ ହେବ। ଅନ୍ୟ ପୋଲ ଗୁଡ଼ିକ ବି ନିର୍ମାଣାଧୀନ ଥିଲାବେଳେ ଦୋହାରା ଲାଇନ୍‌ ବିଛାଇବା ଦାୟିତ୍ବରେ ଥିବା ରେଳ ବିକାଶ ନିଗମ ଲିମିଟେଡ୍ (ଆର୍‌ଭିଏନ୍‌ଏଲ୍‌) ଅତ୍ୟନ୍ତ ମନ୍ଥର ଗତିରେ କାମ କରୁଥିବା ଅଭିଯୋଗ ହେଉଛି। ଟିଟିଲାଗଡ଼-ରାୟପୁର ସେକ୍‌ସନରେ ବି ଧିମା କାମ ଚାଲିଥିବା ବେଳେ ଆହୁରି ୬୧ କିଲୋମିଟର ଦୋହରୀକରଣ ବାକି ରହିଛି।

ବର୍ତ୍ତମାନ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ଯୋଡ଼ିବା ତଥା ଗୋପାଳପୁର ବନ୍ଦର ଦେଇ କୋଇଲା ରପ୍ତାନି ନିମନ୍ତେ ସମ୍ବଲପୁର-ବ୍ରହ୍ମପୁର ନୂଆ ରେଳପଥ ପାଇଁ ଟେଣ୍ଡର ହେବାକୁ ଯାଉଛି। ଓରିଡିଲ୍ ଏହାର ନିର୍ମାଣ କରିବ। ଏଥି ସହ ସମ୍ବଲପୁର ରେଳ ମଣ୍ଡଳର ଗୁରୁତ୍ବ ବଢ଼ୁଥିବା ‌େ‌ବଳେ ଆଗାମୀ ଦିନରେ ସମ୍ବଲପୁରକୁ ୬ ପ୍ଲାଟ୍‌ଫର୍ମ ବିଶିଷ୍ଟ ଏକ ଅତ୍ୟାଧୁନିକ ଷ୍ଟେସନ୍‌ରେ ପରିଣତ କରିବାର ଯୋଜନା ରହିଛି। ରେଳବାଇର ତଥ୍ୟ ଅନୁଯାୟୀ ସମ୍ବଲପୁର ମଣ୍ଡଳରେ ଟ୍ରେନ୍‌ ଗୁଡ଼ିକର ୧୦୦%ରୁ ଅଧିକ ବ୍ୟାବହାରିକତା ରହିଛି। ବହୁ ସଂଖ୍ୟାରେ ମାଲଗାଡ଼ି ଚଳାଚଳ କରୁଥିବାରୁ ଏହି ମଣ୍ଡଳ ମଧ୍ୟ ରେଳବାଇକୁ ଯଥେଷ୍ଟ ରାଜସ୍ବ ଦେଉଛି। କିନ୍ତୁ ସେହି ତୁଳନାରେ ଏହି ମଣ୍ଡଳର ଯଥେଷ୍ଟ ବିକାଶ ହେଉ ନାହିଁ ବା ଯାତ୍ରୀଙ୍କୁ ସେତିକି ସୁବିଧା ସୁଯୋଗ ବି ମିଳୁ ନାହିଁ। ତେଣୁ ତୁରନ୍ତ ଏହି ମଣ୍ଡଳର ଦୋହରୀକରଣ କାର୍ଯ୍ୟ ଶେଷ କରି ‌ଚାହିଦା ଅନୁଯାୟୀ ଆବଶ୍ୟକ ମାର୍ଗରେ ରେଳ ଚଳାଚଳ ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର