ସମ୍ବଲପୁର: ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ରେଳ ପରିସୀମା ଅନ୍ତର୍ଗତ ସମସ୍ତ ସାଂସଦ ଓ ରେଳ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଶୁକ୍ରବାର ହୋଟେଲ ଗ୍ରାଣ୍ଡ ଶିବାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିଲେ। ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓଙ୍କ ପ୍ରତିନିଧି ରାଜେଶ ଅଗ୍ରୱାଲ ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପ୍ରତିନିଧି ସୁମିତ ରାଉତ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେବା ସହ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ ଶ୍ରୀବାସ୍ତବଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ତଥା ସମ୍ବଲପୁର ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଭିନୀତ ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଗଣ ଏହି ବୈଠକରେ ଉପସ୍ଥିତ ଥିଲେ।

Advertisment

ବୈଠକରେ ସାଂସଦ ମାନେ ଅନେକ ପ୍ରସ୍ତାବ, ପରାମର୍ଶ ଓ ରେଳବାଇ ସମ୍ବନ୍ଧୀୟ ଲୋକଙ୍କ ଦାବି ଗୁଡିକ ଉପସ୍ଥାପନ କରିଥିଲେ। ରେଳବାଇ ସଂପର୍କିତ କୌଣସି ନୂଆ ପ୍ରକଳ୍ପରେ ଅର୍ଥ ବାଧକ ହେବ ନାହିଁ ଓ ସରକାରଙ୍କ ମଞ୍ଜୁରି ଆଣିବା ସେମାନଙ୍କ ଦାୟିତ୍ବ ବୋଲି ସାଂସଦ ଶ୍ରୀ ପୂଜାରୀ ଏବଂ ଶ୍ରୀ ପଣ୍ଡା ରେଳ ଅଧିକାରୀ ମାନଙ୍କୁ କହିବା ସହ ସମସ୍ତ ଗଠନମୂଳକ ପ୍ରସ୍ତାବ ଆଗକୁ ବଢ଼ାଇବା ପାଇଁ ପରାମର୍ଶ ଦେଇଥିଲେ। ରେଳବାଇ ନେଟୱର୍କର ଉନ୍ନତୀକରଣ, ଜନସାଧାରଣଙ୍କ ଆକାଂକ୍ଷା ଓ ଦାବି ତଥା ପୂର୍ବତଟ ରେଳପଥର କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ସମୀକ୍ଷା କରା ଯାଇଥିଲା। କୋଭିଡ-୧୯ ମହାମାରୀ ସମୟରେ ରେଳବାଇର ଭୂମିକା  ଓ କାର୍ଯ୍ୟକୁ ସାଂସଦମାନେ ପ୍ରଶଂସା କରିଥିଲେ। ସେହିପରି ସମ୍ବଲପୁର ମଣ୍ଡଳ ଅଧୀନରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ପ୍ରସ୍ତାବିତ ଯୋଜନା  ସଂପର୍କରେ ରେଳବାଇ ପକ୍ଷରୁ ସାଂସଦ ମାନଙ୍କୁ ଅବଗତ କରା ଯାଇଥିଲା।

publive-image

ସମ୍ବଲପୁର ଜଂସନ୍‌ ସମେତ ରେଳ ମଣ୍ଡଳ ଅନ୍ତର୍ଗତ ୯ଟି ଷ୍ଟେସନର ଉନ୍ନତୀକରଣ ଯୋଜନା ସଂପର୍କରେ ତଥ୍ୟ ଉପସ୍ଥାପନ କରା ଯାଇଥିଲା। ସମ୍ବଲପୁର ରେଳ ଷ୍ଟେସନର ବିକାଶ ଶୀଘ୍ର ଶେଷ ହେବ। ଏହି ବିକାଶମୂଳକ କାର୍ଯ୍ୟ ମଧ୍ୟରେ ପ୍ରତୀକ୍ଷା ଗୃହ ଓ ଭିଆଇପି ଲାଉଞ୍ଜ, ଆରସିସି ଡ୍ରେନ୍ ସହିତ ବିଟୁମିନ ଟପ୍ ରୋଡ୍, ପାଥୱେ, ପୋର୍ଟିକୋ କଭର୍ ସେଡ୍, ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ବତନ୍ତ୍ର ଦ୍ବାର, ପାର୍କିଂ ସ୍ଥଳ, ଷ୍ଟେସନ କୋଠାର ନବୀକରଣ, ଷ୍ଟେସନ ସଂଲଗ୍ନ ବିସ୍ତୃତ ଅଞ୍ଚଳରେ ବଗିଚା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଷ୍ଟେସନର ବୈଦ୍ୟୁତିକ କାମ, ଆଲୋକୀକରଣ, ସିଗ୍‌ନାଲ ଓ ସଂଚାର ବ୍ୟବସ୍ଥାରେ ଉନ୍ନତି ତଥା ଅନ୍ୟାନ୍ୟ ଯାତ୍ରୀ ସୁବିଧା ବିକଶିତ କରାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆ ଯାଇଥିଲା।