ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ, ସଂପୂର୍ଣ୍ଣ ରୂପେ ଏଥିରୁ ନିସ୍ତାର ମିଳିପାରି ନାହିଁ। ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ କମିଛି। କିନ୍ତୁ ପଶ୍ଚିମଓଡ଼ିଶା ପୂର୍ବ ଭଳି ସିଝିଛି। ଦିନ ୨ଟା ୩୦ରେ ସମ୍ବଲପୁର ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ହୀରାକୁଦ ଓ ଝାରସୁଗୁଡ଼ାରେ ମଧ୍ୟ ପ୍ରବଳ ଖରା ଅନୁଭୂତ ହୋଇଛି।
ଆଜି ଦିନ ୨ଟା୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ସମ୍ବଲପୁର: ୪୨.୨ ଡିଗ୍ରି
ଝାରସୁଗୁଡା : ୪୧.୬ ଡିଗ୍ରି
ହୀରାକୁଦ: ୪୦.୨ ଡିଗ୍ରି
ଭୁବନେଶ୍ୱର: ୩୯.୨ ଡିଗ୍ରି
ବାଲେଶ୍ୱର: ୩୮.୨ ଡିଗ୍ରି
କେନ୍ଦୁଝର: ୩୭.୮ ଡିଗ୍ରି
ଚାନ୍ଦବାଲି: ୩୭.୦ ଡିଗ୍ରି
ପୁରୀ: ୩୩.୬ ଡିଗ୍ରି
ଗୋପାଳପୁର: ୩୩.୪ ଡିଗ୍ରି
ପାରାଦ୍ୱୀପ: ୩୨.୨ ଡିଗ୍ରି
ପ୍ରବଳ ଖରା ଯୋଗୁଁ ସକାଳ ୮ଟା ପରେ ବାହାରକୁ ବାହାରିବା ଅସହ୍ୟ ହେଉଥିଲେ ବି ଜରୁରି କାମରେ ଯିବାକୁ ପଡୁଛି। କିନ୍ତୁ ଖରାଯୋଗୁଁ ରାସ୍ତାଘାଟରେ ଅଧିକ ଲୋକଙ୍କର ଯାତାୟତ ଦେଖିବାକୁ ମିଳୁ ନାହିଁ। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୧୮ ତାରିଖ ଠାରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ। କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ଆଶଙ୍କା ରହିଛି।