ଭୁବନେଶ୍ବର: ପ୍ରବଳ ଖରାରେ ସାରା ରାଜ୍ୟର ଜନତା ଛଟପଟ ହେଉଛନ୍ତି। ପ୍ରବଳ ଖରା ଓ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବା ବେଳେ ପବନର ବେଗ ଖୁବ୍‌ ମନ୍ଥର ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ସମ୍ବଲପୁରରେ ସର୍ବାଧିକ ୪୩.୩ ଡିଗ୍ରି ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ହୀରାକୁଦରେ ତାପମାତ୍ରା ୪୨.୮ ଡିଗ୍ରି ରେକର୍ଡ କରାଯାଇଛି। ବୌଦ୍ଧରେ ୪୨.୬, ବଲାଙ୍ଗୀରରେ ୪୨.୪, ରାଉରକେଲା ଏବଂ ବରଗଡ଼ରେ ୪୨, ସୋନପୁରରେ ୪୧.୯,  ଟିଟିଲାଗଡ଼ରେ ୪୧.୫, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ୪୧.୪, ଚାନ୍ଦବାଲିରେ ୪୧, ଭବାନୀପାଟଣାରେ ୪୦.୬, ବାରିପଦାରେ ୪୦.୪ ଓ ତାଳଚେରରେ ୪୦ ଡିଗ୍ରି ‌ପାରା ଛୁଇଁଛି।

ଆଗାମୀ ୪ରୁ ୫ ଦିନ ଯାଏଁ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଶଙ୍କା କରାଯାଉଛି। ଯଦି କାଳବୈଶାଖୀ ବର୍ଷା ନହୁଏ, ତେବେ ତାପମାତ୍ରା ୪୨ ଡିଗ୍ରି ପର୍ଯ୍ୟନ୍ତ ରହିପାରେ।