ଫାଟକ ଷ୍ଟେସନ ବନ୍ଦ ନିଷ୍ପତ୍ତି ପ୍ରସଂଗ: ମନ୍ତ୍ରୀଙ୍କୁ ଭୁଲ୍‌ ସୂଚନା ଦେଇଛି ରେଳବାଇ

ସମ୍ବଲପୁର : ଫାଟକ ଷ୍ଟେସନ(ସମ୍ବଲପୁର ରୋଡ) ସଂପର୍କରେ ରେଳବାଇ କତ୍ତୃର୍ପକ୍ଷ ରେଳମନ୍ତ୍ରୀଙ୍କୁ ଭୁଲ୍ ସୂଚନା ଦେଇଥିବା ସଚେତନ ସମ୍ବଲପୁର ନାଗରିକ କମିଟି ଅଭିଯୋଗ କରିଛି। ଅପରପକ୍ଷରେ ରେଢ଼ାଖୋଲ ବିଧାୟକ ତଥା ଉପମୁଖ୍ୟ ସଚେତକ ଇଂ.ରୋହିତ ପୂଜାରୀ ଫାଟକ ଷ୍ଟେସନ ବନ୍ଦ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି। ରେଳବାଇ ସବୁବେଳେ ଓଡ଼ିଶା ତଥା ସମ୍ବଲପୁର ପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଛି। ଫାଟକ ଷ୍ଟେସନକୁ ବଞ୍ଚାଇବା ଅତୀତରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଥିଲା। ଆଗାମୀ ଦିନରେ ପୁଣି ବିଜେଡି ଆନ୍ଦୋଳନ କରିବ ବୋଲି ଇଂ.ପୂଜାରୀ ଏକ ବିବୃତିରେ କହିଛନ୍ତି।

ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ଗତ ଲୋକସଭା ଅଧିବେଶନ ସମୟରେ ଧାରା ୩୭୭ ଅନ୍ତର୍ଗତ ଧ୍ୟାନ ଆକର୍ଷଣକାରୀ ପ୍ରଶ୍ନର ଉତ୍ତରରେ ଗତ ୨୨ ଜୁନ୍ ୨୦୨୧ରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋୟଲ୍ ଗତ ୨୨ ଜୁନ୍ ୨୦୨୧ରେ ଏହାର ଲିଖିତ ଉତ୍ତର ପଠାଇଛନ୍ତି। ସେଥିରେ ସେ ଫାଟକ୍ ଷ୍ଟେସନକୁ ‘ଐତିହ୍ୟ ସ୍ମାରକୀ’ ଭାବେ ଅକ୍ଷୁର୍ଣ ରଖିବାକୁ କ’ଣ କରାଯାଇପାରେ ସେ ବିଷୟରେ ପୂର୍ବତଟ ରେଳୱେ, ଭୁବନେଶ୍ୱର ଓ ସମ୍ବଲପୁର ମଣ୍ଡଳ ରେଳ‌ୱେ କର୍ତ୍ତୃପକ୍ଷ କି ପଦକ୍ଷେପ ନେଇପାରିବେ ସେ ବିଷୟରେ ଅନୁଧ୍ୟାନ କରୁଛନ୍ତି ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥି ସହିତ ୧୨୫ ବର୍ଷର ପୁରୁଣା ଷ୍ଟେସନ୍ ଯେ ‘ଐତିହ୍ୟ ସ୍ମାରକୀ’ ହେବା ଯୋଗ୍ୟ ତାକୁ ନୀତିଗତ ଭାବେ ସ୍ଵୀକାର କରିଛନ୍ତି। ରେଳପଥ ସମ୍ପ୍ରସାରଣ ଏକ ଜାତୀୟ କାର୍ଯ୍ୟ, ତା ପାଇଁ ସମସ୍ତ ଭାରତୀୟଙ୍କ ଦାୟିତ୍ୱ ମଧ୍ୟ ରହିଛି। ମନ୍ତ୍ରୀ ଯେଉଁ ଉତ୍ତର ରଖିଛନ୍ତି ସେଥିରେ ସମ୍ପ୍ରସାରଣ ପାଇଁ ଷ୍ଟେସନ୍ ଅଂଚଳରେ ଆବଶ୍ୟକୀୟ ରେଲୱେ ଜମି ନଥିବା ତଥା ଦରକାର ହେଉଥିବା ବେସରକାରୀ ଜମି ଅଧିଗ୍ରହଣ ପାଇଁ ଅଂଚଳବାସୀ ଅମଙ୍ଗ ହେଉଥିବା ବିଷୟ ତ୍ରୁଟିପୂର୍ଣ୍ଣ ବୋଲି ନାଗରିକ କମିଟି କହିଛି। କାରଣ ମଣ୍ଡଳ ରେଲୱେ କତ୍ତୃର୍ପକ୍ଷ କୌଣସି ସମୟରେ ଏଭଳି ଆବଶ୍ୟକୀୟ ଜମି ପାଇଁ ଜିଲ୍ଲା ପ୍ରସାଶନକୁ ଆବେଦନ ମଧ୍ୟ କରି ନାହାନ୍ତି।

ଅପରପକ୍ଷରେ, ୨୦୦୭ ମସିହାରୁ ନାଗରିକ କମିଟି, ରେଳୱେ, ଜିଲ୍ଲା ପ୍ରଶାସନ ଏବଂ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କର ଆଲୋଚନାରେ ‘ନୋ ୟୁଅର୍ ଲେଣ୍ଡ୍'(ତୁମ ଜମି ଜାଣ) ଶୀର୍ଷକରେ ରେଳୱେକୁ ତତ୍କାଳୀନ ଓଡିଶା ପ୍ରଶାସନିକ ଅଧିକାରୀ କୈଳାଶ ସାହୁ ଏକ ବିସ୍ତୃତ ଫାଇଲ ପ୍ରସ୍ତୁତ କରି ପ୍ରଦାନ କରିଥିଲେ। ସେଥିରେ ଫାଟକ୍ ଷ୍ଟେସନ୍ ଆଖପାଖରେ ରେଲୱେର ପର୍ଯ୍ୟାପ୍ତ ଜମି ରହିଥିବାର ଜଣାଯାଇଛି। ଏ ସଂକ୍ରାନ୍ତରେ ରେଳମନ୍ତ୍ରୀଙ୍କୁ ମଧ୍ୟ ଅନ୍ଧକାରରେ ରଖାଯାଇଛି। ଏ ସବୁର ପର୍ଦାଫାଶ କରିବାକୁ ନାଗରିକ କମିଟି ନୂଆ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମୟ ମାଗିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର