ସମ୍ବଲପୁର : କେରଳର ଇଡ୍ଡୁକି ଜିଲ୍ଲା ମୁନ୍ନାର ଥାନା ଅଧୀନ ଅଞ୍ଚଳରେ ଘଟିଲା ହତ୍ୟାକାଣ୍ଡ। ହତ୍ୟା କରିବା ପରେ ୨ ଅଭିଯୁକ୍ତ ପୁଲିସ ଆଖିରେ ଧୂଳି ପକାଇ ଓଡ଼ିଶା ଚାଲି ଆସିଲେ। ଓଡ଼ିଶାର ରାଉରକେଲାରେ ଭଦ୍ରବ୍ୟକ୍ତି ଭଳି ରହିବାକୁ ସବୁ ପ୍ରକାର ବ୍ୟବସ୍ଥା ବି ହୋଇଥିଲା। କିନ୍ତୁ ବାଟରେ ସମ୍ବଲପୁର ଡିଭିଜନ୍ର ରେଳ ସୁରକ୍ଷା ବଳ (ଆର୍ପିଏଫ୍) ହାବୁଡରେ ପଡ଼ିଗଲେ ୨ ଅଭିଯୁକ୍ତ। ସମ୍ବଲପୁର ଆର୍ପିଏଫ୍ ଟିମ୍ ୨ ଅଭିଯୁକ୍ତଙ୍କୁ ଧରିବା ସହ କେରଳ ପୁଲିସକୁ ହସ୍ତାନ୍ତର କରିଛି।
ଆର୍ପିଏଫ୍ ସମ୍ବଲପୁର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ୨ ଅଭିଯୁକ୍ତ କେରଳର ମୁନ୍ନାର ଥାନା ଅଧୀନ ଅଞ୍ଚଳରେ ହତ୍ୟା କରି ଟ୍ରେନ୍ରେ ଫେରାର୍ ହୋଇଥିବା ଖବର ଆସିଲା। ଘଟଣାର ବିବରଣୀ ଓ ଅଭିଯୁକ୍ତଙ୍କ ଫଟୋ ବି ମିଳିଗଲା। ତାପରେ ଆକ୍ସନ୍ ମୁଡ୍କୁ ଆସିଥିଲା ସମ୍ବଲପୁର ଆର୍ପିଏଫ୍। ୨ ଅଭିଯୁକ୍ତ ଟ୍ରେନ୍ ନଂ ୧୩୩୫୨ରେ ତିରୁପୁର୍ରୁ ରାଉରକେଲା ଆସୁଥିଲେ। ଟ୍ରେନ୍ଟି ଗୁରୁବାର ସମ୍ବଲପୁର ରେଳ ଷ୍ଟେସନ୍ରେ ଅଟକିବା ପରେ ଆର୍ପିଏଫ୍ ଆଇଆଇସି ଏମ. ଯାଦବ ଓ ବିବେକ କୁମାରଙ୍କ ନେତୃତ୍ବରେ ସମ୍ବଲପୁର ଆର୍ପିଏଫ୍ର ସ୍ବତନ୍ତ୍ର ଟିମ୍ ଟ୍ରେନ୍କୁ ଯାଞ୍ଚ କରିବା ସହ ୨ ଅଭିଯୁକ୍ତ ସହଦେବ ଲାଙ୍ଗ ଓ ଦବୁଇ ଚାମ୍ପିଆକୁ ଧରିବାରେ ସଫଳ ହୋଇଥିଲେ। ସମ୍ବଲପୁର ଆର୍ପିଏଫ୍ ପକ୍ଷରୁ ଶୁକ୍ରବାର ଦିନ ୨ ଅଭିଯୁକ୍ତଙ୍କୁ କେରଳ ପୁଲିସର ଏକ ଟିମ୍କୁ ହସ୍ତାନ୍ତର କରାଯାଇଛି।