କଟକ: ସମ୍ବଲପୁରରେ ଝଲସିବ କଟକ ତାରକସି କାମ। ଚଳିତ ବର୍ଷ ଶୀତଳ ଷଷ୍ଠୀରେ ସମ୍ବଲପୁର ସହରରେ ଦେଖିବାକୁ ମିଳିବ କଟକ କାରିଗରଙ୍କ ତିଆରି ଚାନ୍ଦିମେଢ଼। ଏହି ମେଢ଼ ପାଇଁ ଖର୍ଚ୍ଚ ହେବ ପାଖାପାଖି ୧ କୋଟି ଟଙ୍କା। ଏ ନେଇ କାରିଗରଙ୍କୁ ଏବେ ଫୁରସତ୍ ନାହିଁ। ଦୁଇ ବର୍ଷ ହେବ ପାର୍ବଣ ଫିକା ପଡ଼ିଥିବା ବେଳେ ହତାଶ ହୋଇ ପଡ଼ିଥିବା କାରିଗରଙ୍କ ମୁହଁରେ ଏବେ ହସ ଫୁଟିଛି।
କଟକ ଡ଼ଗରପଡ଼ାସ୍ଥିତ ଷ୍ଟୋନୀ ରୋଡ୍ ଅଞ୍ଚଳର ତାରକସି କାରିଗର ପଙ୍କଜ କୁମାର ସାହୁ ଏହି ମେଢ଼ ପ୍ରସ୍ତୁତି କାର୍ଯ୍ୟ ହାତକୁ ନେଇଛନ୍ତି। ଚାନ୍ଦି ମେଢ଼କୁ ତିଆରି କରିବା ପାଇଁ ନିୟୋଜିତ ଅଛନ୍ତି ୧୦ କାରିଗର। ଜୁନ୍ ମାସରେ ଶୀତଳ ଷଷ୍ଠୀ ପୂଜା ରହିଥିବା ବେଳେ ମେଢ଼ କାମ ପ୍ରାୟ ୭୦ ପ୍ରତିଶତ ସରିଲାଣି। ପଙ୍କଜ ତାରକସୀ କାରିଗର ଭାବେ ୧୯୯୪ ମସିହାରେ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ। କେବଳ ଚାନ୍ଦି ମେଢ଼ ନୁହେଁ ଏହା ସହ ହକି ବିଶ୍ବକପ୍ ସମୟରେ ମଧ୍ୟ ସମସ୍ତ ଟ୍ରଫି ତିଆରି କରି ସେ ବେଶ ଚର୍ଚ୍ଚାରେ ରହିଥିଲେ। ୨୦ ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ନିଜ ବାମ ହାତ ହରାଇଥିବା ପଙ୍କଜ କିନ୍ତୁ ଏହି ତାରକସୀ କାମକୁ ବଜାୟ ରଖି ଉଦାହରଣ ସୃ୍ଷ୍ଟି କରିଛନ୍ତି।
ଏ ନେଇ ପଙ୍କଜ କୁହନ୍ତି, ଦୁଇବର୍ଷ ହେବ କାରିଗରମାନେ ସମ୍ପୂର୍ଣ୍ଣ ଭାବେ ହତାଶ ହୋଇଯାଇଥିବା ବେଳେ ଏହି କାମ କାରିଗରଙ୍କ ମୁହଁରେ ହସ ଫୁଟାଇଛି। କଟକର ତାରକସି କାମ ବିଶ୍ବ ପ୍ରସିଦ୍ଧ। କଟକର ଚାନ୍ଦି ମେଢ଼କୁ ଦେଖି ଏବେ ଅନ୍ୟସ୍ଥାନମାନଙ୍କରେ ମଧ୍ୟ ଏଥି ପ୍ରତି ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। ମେଢ଼ କାରିଗର ସ୍ବର୍ଗତ ରାମଚନ୍ଦ୍ର ପରିଡ଼ା ଏହି ମେଢ଼ର ଡ଼ିଜାଇନ୍ କରିଛନ୍ତି ବୋଲି ପଙ୍କଜ ସୂଚନା ଦେଇଛନ୍ତି।