ସମ୍ବଲପୁର : ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରାରେ ୭ ହଜାର କଳାକାରଙ୍କ ମହାସମାଗମ ହେବ। କେରଳରୁ ନେଇ କଶ୍ମୀର ପର୍ଯ୍ୟନ୍ତ କଳାକାର ସମ୍ବଲପୁର ରାଜରାସ୍ତାରେ ନିଜ କଳାନୈପୁଣ୍ୟର ପ୍ରଦର୍ଶନ କରିେବ। କଳାକାର, ଭକ୍ତ ଓ ଭଗବାନ ଏକାକାର ହେବେ। ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ଲୌକିକ ବିବାହର ୩୪୫ ବର୍ଷ ପୁରୁଣା ଅଦ୍ଭୁତ ପରଂପରା ଓ ସାଂସ୍କୃତିକ ବିଭବର ମହାପର୍ବ ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହର ଉତ୍ସବମୁଖର ହେବାକୁ ଲାଗିଲାଣି। ଆଉ ଦିନ ତିନିଟା ପରେ ୨୦ ତାରିଖରେ ନନ୍ଦପଡ଼ାର ବଂ ବରାଡ଼ ବାଲୁଂକେଶ୍ବର ବାବାଙ୍କ ବିବାହ ପାଇଁ ପତ୍ରପେଣ୍ଡି କାର୍ଯ୍ୟକ୍ରମ ହେବ। ୨୧ରେ ନନ୍ଦପଡ଼ାର ନୃସିଂହ ନିଉତା, ୨୨ରେ ଝାଡ଼ୁଆପଡ଼ା ଓ ମୁଦିପଡ଼ାର ପତ୍ରପେଣ୍ଡି, ୨୩ରେ ଉଭୟ ପଡ଼ାର ଗୁଆଗୁଣ୍ଡା ଅନୁଷ୍ଠିତ ହେବ। ୨୪ରେ ଶିବ ବିବାହ, ୨୫ରେ ଦେବଦମ୍ପତିଙ୍କ ନଗର ପରିକ୍ରମା ଓ ଯୁଗଳ ଦର୍ଶନ ଶୋଭାଯାତ୍ରା ଆରମ୍ଭ ହୋଇ ଓ ୨୬ରେ ଶେଷ ହେବା ସହ ଶିବପାର୍ବତୀ ମନ୍ଦିର ପ୍ରବେଶ କରିବେ।
ଏହା ପୂର୍ବରୁ ତିନି ପ୍ରାଚୀନ ଯାତ୍ରା କମିଟିକୁ ନେଇ ଗଠିତ ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କ ଯାତ୍ରାର ରୂପେରଖ ଉପସ୍ଥାପନ କରା ଯାଇଥିଲା। ସମନ୍ବୟ ସମିତିର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀକୁ ସାଧାରଣ ସଂପାଦକ ବିଶ୍ବରଂଜନ ପୂଜାରୀ ପରିଚାଳନା କରିଥିଲେ। ନନ୍ଦପଡ଼ା ଯାତ୍ରା କମିଟି ସଭାପତି ପ୍ରଶାନ୍ତ ବରେଇ, ଝାଡ଼ୁଆପଡ଼ା ଯାତ୍ରା କମିଟି ସଭାପତି ସରୋଜ ଦଲପତ, ମୁଦିପଡ଼ା ଯାତ୍ରା କମିଟି ସଭାପତି ଜଗଦୀଶ ପଣ୍ଡା ନିଜନିଜ ପଡ଼ାର ଯାତ୍ରା ସଂପର୍କିତ ବିବରଣୀ ଉପସ୍ଥାପନ କରିଥିଲେ। ଗଣମାଧ୍ୟମ ସଂଯୋଜକ ଅଭିଷେକ ମିଶ୍ର ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ।
ସଂସ୍କୃତି ବିଭାଗ ଦେଲା, ଦେବୋତ୍ତର ଠକିଲା
ମିଳିତ ସମନ୍ବୟ ସମିତିର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଲେ ଯେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତିନି ପଡ଼ାକୁ ଗତ ବର୍ଷ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରିଥିଲା। ଚଳିତ ବର୍ଷ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପାଇଁ ମଞ୍ଜୁରି ପତ୍ର ପ୍ରଦାନ କରିଛି। ଅନ୍ୟ ପକ୍ଷରେ ଦେବୋତ୍ତର ବିଭାଗ ୨୦୧୯ରେ ଶେଷଥର ପାଇଁ ତିନି ପଡ଼ାକୁ ୫ ଲକ୍ଷ ଟଙ୍କା ଲେଖାଏଁ ଯାତ୍ରା ଅନୁଦାନ ଦେଇଥିଲା। ୨୦୨୦ ଓ ୨୧ରେ କରୋନା ପାଇଁ ଶୋଭାଯାତ୍ରା ହୋଇ ନଥିଲା କି ଅନୁଦାନ ମିଳି ନଥିଲା। ହେଲେ ଗତ ବର୍ଷ ଅନୁଦାନ ରାଶି ବୃଦ୍ଧି କରି ପ୍ରଦାନ କରିବାକୁ ତତ୍କାଳୀନ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଗତ ବର୍ଷର ଅନୁଦାନ ମିଳି ନାହିଁ କିମ୍ବା ଚଳିତ ବର୍ଷ ସଂପର୍କରେ ବି କିଛି ସୂଚନା ନାହିଁ। ଅପରପକ୍ଷରେ ଏମ୍ସିଏଲ୍ ଓ ଅନ୍ୟ କେନ୍ଦ୍ରୀୟ ଅନୁଷ୍ଠାନରୁ ଅନୁଦାନ ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅନୁଦାନ ପାଇଁ ବିଧାୟକ ବବି ଦାସଙ୍କୁ ଅନୁରୋଧ କରାଯାଇଛି। ପାଣ୍ଠି ଯୋଗାଡ଼ ପାଇଁ ସ୍ଥାନୀୟ ମନ୍ତ୍ରୀ ଓ ଜନ ପ୍ରତିନିଧିମାନଙ୍କ ସହଯୋଗ ଲୋଡ଼ା ଯାଇଛି। ସେମାନେ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ। ୩ ଦିନ ମଧ୍ୟରେ ଦେବୋତ୍ତର ବିଭାଗ ଅନୁଦାନ ସଂପର୍କରେ ନ ଜଣାଇଲେ ମିଳିତ ସମନ୍ବୟ ସମିତି ନିନ୍ଦା ପ୍ରସ୍ତାବ ଗ୍ରହଣ କରିବ ବୋଲି ଝାଡ଼ୁଆପଡ଼ା କମିଟି ସଭାପତି ସରୋଜ ଦଲପତ କହିଥିଲେ।