ସମ୍ବଲପୁର : ସମ୍ବଲପୁର ସହର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗୁରୁତର ରୂପ ଧାରଣ କରିଛି। ଗୋଟିଏ ପଟେ ହୀରାକୁଦ ଗେଟ୍‌ ଖୋଲାଯିବାରୁ ମହାନଦୀରେ ବଢ଼ି, ଅନ୍ୟ ପଟେ ୮ ଘଣ୍ଟା ଧରି ଲଗାଣ ବର୍ଷା କାରଣରୁ ସମ୍ବଲପୁର ସହର ବନ୍ୟାରେ ଉବୁଟୁବୁ ହୋଇଛି। ହୀରାକୁଦର ବନ୍ୟା ପାଣି ଛଡ଼ା ଯାଉଥିବାରୁ ଶୁକ୍ରବାରଠାରୁ ସମ୍ବଲପୁର ସହରରୁ ମହାନଦୀକୁ ଜଳ ନିଷ୍କାସନର ସବୁ ବାଟ ବନ୍ଦ କରି ଦିଆଯାଇଥିଲା। ଶନିବାର ଅଧିକ ଗେଟ୍ ଖୋଲିବା ପରେ ମହାନଦୀ ଆହୁରି ଫୁଲି ଉଠି ଭୟଙ୍କର ରୂପ ନେଇଛି। ଅପରପକ୍ଷରେ ଶନିବାର ଭୋର ୫ଟାରୁ ଦିନ ଗୋଟାଏ ଯାଏ ପ୍ରବଳ ବର୍ଷା କାରଣରୁ ସମ୍ବଲପୁର ସହରର ସବୁ ତଳି ଅଞ୍ଚଳରେ ପାଣି ଭରି ଯାଇଛି। ଶନିବାର ସକାଳ ୮ଟାରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ସମ୍ବଲପୁର ସହରରେ ରାଜ୍ୟର ସର୍ବାଧିକ ୧୨୯ ମିଲିମିଟର୍ ବର୍ଷା ରେକର୍ଡ ହୋଇଛି। ସମ୍ବଲପୁର ସହରରୁ ଜଳ ନିଷ୍କାସନ ପାଇଁ ବାଲିବନ୍ଧା, ବିନାଖଣ୍ଡିରେ ଥିବା ସ୍ଲୁଇସ୍ ଗେଟ୍ ଗୁଡ଼ିକ ବନ୍ଦ ରଖା ଯାଇଥିବାରୁ ବର୍ଷା ପାଣି ନିଷ୍କାସିତ ହୋଇ ନପାରି ସହରର ସବୁ ତଳି ଅଞ୍ଚଳରେ ମାଡ଼ି ଯାଇଛି।

Advertisment

publive-image

ବନ୍ୟା କାରଣରୁ ସମ୍ବଲପୁର ସହର ଉପକଣ୍ଠ ମାଳତୀ ପୋଲ ଉପରେ ପାଣି ଚାଲିବା କାରଣରୁ ସମ୍ବଲପୁର-ସୋନପୁର ଯୋଗାଯୋଗ ବିଛିନ୍ନ ହୋଇଛି। ସମ୍ବଲପୁର ସହରର ବିଭିନ୍ନ ରାସ୍ତା ପାଣିରେ ବୁଡ଼ି ରହିବା କାରଣରୁ ଯାତାୟତ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି। ସମ୍ବଲପୁର ସହରର ଅଇଁଠାପାଲିରୁ ରେମେଡ ମଧ୍ୟରେ ଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ୩ ଫୁଟ୍ ଉଚ୍ଚର ପାଣି ଲହଡ଼ି ମାରିବା କାରଣରୁ ଉକ୍ତ ରାସ୍ତା ଦେଇ ବି ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ରାଜପଥରେ ଗାଡ଼ି ଗୁଡ଼ିକର ଲମ୍ବା ଧାଡ଼ି ଲାଗିଥିଲା। ବିଭିନ୍ନ ତଳୁଆ ଗଳି ଅଞ୍ଚଳରେ ନଈ ଭଳି ପାଣି ବୋହିବା କାରଣରୁ ସହରର ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଅପରପକ୍ଷରେ ସୁବର୍ଣ୍ଣପୁର, ବୌଦ୍ଧ, ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି।