ସମ୍ବଲପୁର : ତ୍ରିମୁଖୀ ଫର୍ମୁଲାରେ ନିୟନ୍ତ୍ରଣ ହେବ ଅପରାଧ। ଆଇନ୍ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ କରିବାକୁ ହେଲେ ଅପରାଧ ରୋକିବା ଓ ଅପରାଧୀଙ୍କୁ ଖୋଜିବା ବେଶ୍ ଗୁରୁତ୍ବପୂର୍ଣ୍ଣ। ୨୦୨୦ ମସିହା ଡିସେମ୍ବର ୨୬ ତାରିଖ ଦିନ ସମ୍ବଲପୁର ଏସ୍ପି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ଦେଇଥିବା ନିଜ ପ୍ରଥମ ପ୍ରତିକ୍ରିୟାରେ ଏହା କହିଥିଲେ ୨୦୧୧ ବ୍ୟାଚ୍ ଆଇପିଏସ୍ ବାତୁଲା ଗଙ୍ଗାଧର। ଜିଲ୍ଲାରେ ଅପରାଧର ସ୍ଥିତି ବୁଝିବା ପରେ ଓ ସମସ୍ତ ରେକର୍ଡର ସମୀକ୍ଷା କରିବା ପରେ ଅପରାଧ ନିୟନ୍ତ୍ରଣ ନେଇ ଲକ୍ଷ୍ୟ ସ୍ଥିର କରାଯିବ ବୋଲି କହିଥିଲେ। ଅଢ଼େଇ ବର୍ଷ ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ବି. ଗଙ୍ଗାଧରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଅପରାଧ ନିୟନ୍ତ୍ରଣ ହେବା ବଦଳରେ ବଢ଼ିବା ସହ ତାଙ୍କର ଏହି ଅଢ଼େଇବର୍ଷରେ ସମ୍ବଲପୁର ଅନେକ ଅପବାଦ ମୁଣ୍ଡାଇଛି।
ସମ୍ବଲପୁର ସହର ଅଶାନ୍ତ ହୋଇଛି। ଅନେକ ଅଲୋଡ଼ା ଓ ଅଦେଖା ଘଟଣାକୁ ଅଙ୍ଗେ ନିଭାଇଛି। ବ୍ରାଉନ୍ ସୁଗର ଠାରୁ ଆରମ୍ଭ କରି କଫ୍ ସିରପ୍ ପର୍ଯ୍ୟନ୍ତ ଅନେକ ନିଶା ସାମଗ୍ରୀର ହବ୍ ପାଲଟିଛି ସମ୍ବଲପୁର। ଶ୍ରୀ ଗଙ୍ଗାଧରଙ୍କ ସମୟରେ ହାଇଦର୍ ଭଳି କୁଖ୍ୟାତ୍ ଡନ୍ ସମ୍ବଲପୁର ପୁଲିସ୍କୁ ଚକ୍ମା ଦେଇ ଖସି ଯାଇଥିଲା। ଯାହାର ଅପବାଦ ସମ୍ବଲପୁରକୁ ମୁଣ୍ଡାଇବାକୁ ପଡ଼ିଥିଲା। ସାଇବର୍ ଠକେଇ ସୀମା ଟପିଥିଲା। ପୁଲିସ୍ର ଅପାରଗତା କାରଣରୁ ଓକିଲ ଆନ୍ଦୋଳନ ଏକ ଅପ୍ରତ୍ୟାଶିତ ମୋଡ଼ ନେଇଥିଲା। ଶେଷରେ ଶାନ୍ତିପ୍ରିୟ ଭାଇଚାରାର ସହର ସମ୍ବଲପୁର ବ୍ୟାପକ ହିଂସାରେ ପୀଡ଼ିତ ହୋଇଥିଲା। ଯାହା ବି. ଗଙ୍ଗାଧରଙ୍କ ପାଇଁ ଅଡ଼ୁଆ ହୋଇଥିଲା।
ଶେଷରେ ମୟୁରଭଞ୍ଜକୁ ତାଙ୍କର ବଦଳି ହୋଇଛି। ତାଙ୍କ ବଦଳରେ ରାଉରକେଲାରେ ଏସ୍ପି ଥିବା ୨୦୧୩ ବ୍ୟାଚ୍ ଆଇପିଏସ୍ ମୁକେଶ ଭାମୁଙ୍କୁ ସମ୍ବଲପୁର ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି। ସମ୍ବଲପୁରରେ ଆଇନଶୃଙ୍ଖଳା ସ୍ଥିତିକୁ ସଜାଡ଼ିବା ତାଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ପାଲଟିବ। ଆଗକୁ ଶୀତଳଷଷ୍ଠୀ ଆସୁଥିବାରୁ ପୁଲିସର ବ୍ୟବସ୍ଥା ଉପରେ ସମସ୍ତଙ୍କ ନଜର ରହିବ। ସମ୍ବଲପୁରରେ ବଢ଼ି ଚାଲିଥିବା ନିଶା କାରବାରକୁ ରୋକିବା ମଧ୍ୟ ଶ୍ରୀ ଭାମୁଙ୍କ ପାଇଁ ଆହ୍ବାନ ପାଲଟିବ।