ସମ୍ବଲପୁର : ୧୫ ଅଗଷ୍ଟ ୧୯୯୮, ସ୍ବାଧୀନତା ଦିବସରେ ସମ୍ବଲପୁର-ତାଳଚେର ରେଳ ଲାଇନ୍ ଲୋକାର୍ପିତ ହୋଇଥିଲା। ଏଥି ସହ ରାଜ୍ୟର ଅନୁନ୍ନତ ଓ ଅତି ପଛୁଆ ପଶ୍ଚିମ ଓଡ଼ିଶାରୁ ଜଗନ୍ନାଥ ଧାମ ପୁରୀ, ରାଜଧାନୀ ଭୁବନେଶ୍ବର ଓ ଉପକୂଳ ଓଡ଼ିଶା ସାଂଗରେ ସିଧାସଳଖ ରେଳ ଯୋଗାଯୋଗ ପାଇଁ ବାଟ ଫିଟିଥିଲା। ଏହା ଏକ ଅତି ଜରୁରୀ ଓ ଗୁରୁତ୍ବପୂର୍ଣ୍ଣ ରେଳ ସଂଯୋଗ ହୋଇଥିଲେ ବି ସ୍ବାଧୀନତାର ୫୧ ବର୍ଷ ପରେ ଯାଇ କାର୍ଯ୍ୟକ୍ଷମ ହୋଇଥିଲା। ତେବେ ଲାଇନ୍ର ଗୁରୁତ୍ବକୁ ବୁଝି ରେଳବାଇ ତରଫରୁ କିଛି ବର୍ଷ ପରେ ଏହାର ଦୋହରୀକରଣ କଥା ଚିନ୍ତା କରାଗଲା।
୨୦୧୧-୧୨ରେ ଏହା ରେଳବାଇର ଗୋଲାପି ପୁସ୍ତିକା (ପିଙ୍କ ବୁକ୍)ରେ ସ୍ଥାନ ପାଇଥିଲେ ବି ଚୂଡ଼ାନ୍ତ ମଞ୍ଜୁରି ପାଇଁ ଆହୁରି ୬ ବର୍ଷ ଗଡ଼ିଗଲା। ୨୦୧୮ରେ ଏହାକୁ ମଞ୍ଜୁରି ମିଳିବା ସହ ଦ୍ବିତୀୟ ଲାଇନ୍ କାମ ଆରମ୍ଭ ହେଲା। ଏହି ଦୋହରୀକରଣ ପ୍ରକଳ୍ପ କଚ୍ଛପ ଗତିରେ ଚାଲି ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଲାଗିଲାଣି। ତଥାପି ଏଯାଏଁ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଗତ ମଙ୍ଗଳବାର ସମ୍ବଲପୁର ସିଟି ଷ୍ଟେସନ୍ରୁ ମାନେଶ୍ବର ପର୍ଯ୍ୟନ୍ତ ୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ନୂଆ ଦ୍ବିତୀୟ ଲାଇନ୍ ଓ ବିଦ୍ୟୁତୀକରଣ କାର୍ଯ୍ୟକୁ ଦକ୍ଷିଣ ପୂର୍ବ ସର୍କଲର ରେଳ ନିରାପତ୍ତା ଆୟୁକ୍ତ ଏଏମ୍ ଚୌଧୁରୀ ଯାଞ୍ଚ କରିବା ପରେ ଏହା ଉପରେ ରେଳ ଚଳାଚଳ ପାଇଁ ଅନୁମତି ଦେଇଥିଲେ। ଏଥି ସହ ୧୬୮.୨୧୨ କିଲୋମିଟର ଲମ୍ବା ଲାଇନ୍ ମଧ୍ୟରୁ ୯୬.୩୮% ଅର୍ଥାତ୍ ୧୬୨.୨୧୨ କିଲୋମିଟର୍ ଦୋହରୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ବର୍ତ୍ତମାନ କେବଳ ସିଟି ଷ୍ଟେସନ୍ରୁ ସମ୍ବଲପୁର ଜଂସନ ପର୍ଯ୍ୟନ୍ତ ଆଉ ୬ କିଲୋମିଟର ଲାଇନ୍ କାମ ଶେଷ ହେବାକୁ ବାକି ରହିଛି।
ଆସନ୍ତା ୨ ମାସ ମଧ୍ୟରେ ସମ୍ବଲପୁର ସିଟି ଓ ସମ୍ବଲପୁର ଜଂକସନ ଷ୍ଟେସନ ମଧ୍ୟସ୍ଥ ଅବଶିଷ୍ଟ ୬ କିଲୋମିଟର କାର୍ଯ୍ୟ ଶେଷ କରିବାକୁ ରେଳବାଇ ଲକ୍ଷ୍ୟ ରଖିଛି। ୨୦୨୩ରେ ଏହି ପ୍ରକଳ୍ପ ଶେଷ ହେଲେ ବି ପ୍ରଥମ ଲାଇନ୍ (୧୯୯୮) ପରେ ଦ୍ବିତୀୟ ଲାଇନ୍ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ୨୫ ବର୍ଷରୁ ଅଧିକ ହୋଇଯିବ। ସମ୍ବଲପୁର-ତାଳଚେର ଦୋହରା ଲାଇନ୍ କେବଳ ଓଡ଼ିଶାର ପୂର୍ବ ଓ ପଶ୍ଚିମପ୍ରାନ୍ତ ମଧ୍ୟରେ ଯୋଗାଯୋଗକୁ ସୁଗମ କରିବ ତାହା ନୁହେଁ, ବାଣିଜ୍ୟିକ ଦୃଷ୍ଟିରୁ ମଧ୍ୟ ଏହା ଅତି ଗୁରୁତ୍ବପୂର୍ଣ୍ଣ। ସମ୍ବଲପୁର ସିଟି ମାର୍ଗ ଦେଇ ତାଳଚେର ଓ ଇବ୍ କୋଇଲା କ୍ଷେତ୍ର ମଧ୍ୟରେ ଏହା ଏକ ଅତ୍ୟନ୍ତ ଜଟିଳ ଓ ଗୁରୁତ୍ବପୂର୍ଣ୍ଣ କୋଇଲା ପରିବହନ ମାର୍ଗ ସାବ୍ୟସ୍ତ ହେବ। ପ୍ରକଳ୍ପର ଚୂଡ଼ାନ୍ତ ଆନୁମାନିକ ମୂଲ୍ୟ ୧୫୩୯.୨୮ କୋଟି ହେବ ଓ ବର୍ତ୍ତମାନ ସୁଦ୍ଧା ୧୩୭୭ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି ବୋଲି ରେଳବାଇ ପକ୍ଷରୁ କହାଯାଇଛି। ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ଦାୟିତ୍ବ ନେବା ପରେ ଏହି ପ୍ରକଳ୍ପ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଉଥିବାରୁ କାର୍ଯ୍ୟ ତ୍ବରାନ୍ବିତ ହୋଇଛି ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସବୁ କାମ କରାଯାଉଛି ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/sambalpur-talcher-railway-line.jpg)