ସମ୍ବଲପୁର : ସମ୍ବଲପୁର ଦୂରଦର୍ଶନର ରୁଗ୍ଣ ଅବସ୍ଥାକୁ ନେଇ ସଡ଼କରୁ ନେଇ ସଂସଦ ପର୍ଯ୍ୟନ୍ତ ବିରୋଧ ଓ ପ୍ରତିବାଦ ଚାଲିଥିଲାବେଳେ ଏଠାରେ ଥିବା ୨ଟି ଯାକ ହାଇପାୱାର୍ ଟ୍ରାନ୍ସମିଟର୍ (ଏଚ୍ପିଟି) ଓ ଏହା ଅନ୍ତର୍ଗତ ୪ଟି ଯାକ ଲୋ’ପାୱାର୍ ଟ୍ରାନ୍ସମିଟର୍ (ଏଲ୍ପିଟି) ବନ୍ଦ କରିବାକୁ ବିଜ୍ଞପ୍ତି ଜାରି ହୋଇଛି। ଏହି କ୍ରମରେ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରର ଅନ୍ତର୍ଗତ ଉଭୟ ଏଚ୍ପିଟି (ଡିଡି-୧ ଓ ଡିଡି-୨), ବୌଦ୍ଧ ଓ ପଦମ୍ପୁର ଏଲ୍ପିଟିକୁ ୩୧ ଡିସେମ୍ବର ୨୦୨୧ ତାରିଖ ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ସେହିପରି ଏହି କେନ୍ଦ୍ର ଅନ୍ତର୍ଗତ ବଲାଙ୍ଗୀର ଓ ଝାରସୁଗୁଡ଼ା (ବ୍ରଜରାଜନଗର) ଏଲ୍ପିଟିକୁ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ବନ୍ଦ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ସମ୍ବଲପୁର ନୁହେଁ ଭବାନୀପାଟଣା ଏଚ୍ପିଟିକୁ ବି ମାର୍ଚ୍ଚ ୩୧ ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଫଳରେ ପଶ୍ଚିମ ଓଡ଼ିଶାରେ ଥିବା ସମସ୍ତ ୩ଟି ଯାକ ଏଚ୍ପିଟି ବନ୍ଦ ହୋଇଯିବ। ଏହା ଅନ୍ତର୍ଗତ ସମସ୍ତ ଏଲ୍ପିଟି ବି ବନ୍ଦ ହେବ।
ବିଜ୍ଞପ୍ତି ସଂଖ୍ୟା ୩(୨)୧/ଦୂରଦର୍ଶନ ଏଟିଟି/୨୦୨୦/ଇ-୨-ପାର୍ଟ (୧), ତା. ୨୦/୦୯/୨୦୨୧ରେ ଦେଶର ଅଧିକାଂଶ ଅଞ୍ଚଳରେ ଆନାଲଗ୍ ମୋଡ୍ରେ ଦୂରଦର୍ଶନର କାର୍ଯ୍ୟକ୍ରମ ପ୍ରସାରଣ ବନ୍ଦ ପାଇଁ ନିର୍ଦ୍ଦେନାମା ଜାରି ହୋଇଛି। ଏଣିକି ଏଣ୍ଟିନା ଲଗାଇ ବା ସିଧାସଳଖ ବ୍ୟବସ୍ଥାରେ ଦୂରଦର୍ଶନ ଦେଖିବା ଇତିହାସ ପାଲଟି ଯିବ। ଏହିକ୍ରମରେ ବନ୍ଦ ହେବା ଉପରେ ଥିବା ରାଜ୍ୟର ପ୍ରଥମ ଓ ଦେଶର ସପ୍ତମ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରରେ ତାଲା ଝୁଲାଇବା ସୁଗମ ହୋଇଯିବ। ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରରେ ମୋଟ ୩୮ ଜଣ କର୍ମଚାରୀ ଥିଲାବେଳେ ଜଣେ କାର୍ଯ୍ୟକ୍ରମ ଓ ଅନ୍ୟମାନେ ପ୍ରସାରଣ ବିଭାଗର ଥିଲେ। ଟ୍ରାନ୍ସମିସନ୍ ବନ୍ଦ ହେବା ପରେ ଏହି ପ୍ରସାରଣ (ବୈଷୟିକ) ବିଭାଗର କର୍ମଚାରୀ ମାନଙ୍କୁ ଅନ୍ୟତ୍ର ଥଇଥାନ କରାଯିବ। କାହାକୁ ଆକାଶବାଣୀରେ ରଖାଯିବ ତ’ କାହାକୁ ଅନ୍ୟତ୍ର ପଠାଯିବ। କର୍ମଚାରୀମାନେ ବଦଳି ପାଇଁ ଆବେଦନ କରିବାକୁ ମଧ୍ୟ ଆବେଦନପତ୍ର ଓ ନିୟମାବଳୀ ଜାରି ହୋଇଛି।
ଏ ସଂପର୍କରେ ପ୍ରତିକ୍ରିୟା ରଖି ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରର ଭାରପ୍ରାପ୍ତ ଷ୍ଟେସନ୍ ନିର୍ଦ୍ଦେଶକ ରମେଶ ଭୋଇ କହିଛନ୍ତି ଯେ ଦୂରଦର୍ଶନ କେନ୍ଦ୍ର ବନ୍ଦ ହେବ ନାହିଁ। କେବଳ ଆନାଲଗ୍ ବ୍ୟବସ୍ଥା ସାରା ଦେଶରେ ବନ୍ଦ ହେଉଛି। କିନ୍ତୁ ଦର୍ଶକ ମାନେ ଫ୍ରି-ଡିସ୍ ସେବା ପାଇ ପାରିବେ। ଅର୍ଥାତ୍ ସେଟ୍ଅପ୍ ବକ୍ସ ଜରିଆରେ ସେମାନେ ମାଗଣାରେ ଦୂରଦର୍ଶନର କାର୍ଯ୍ୟକ୍ରମ ଦେଖି ପାରିବେ। ଟ୍ରାନ୍ସମିଟର୍ ଗୁଡ଼ିକ ବନ୍ଦ ହେବ। କର୍ମଚାରୀ ମାନଙ୍କ ଥଇଥାନ ସଂପର୍କରେ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ଆମ ଷ୍ଟୁଡିଓ ଯେମିତି ଅଛି ରହିବ ବୋଲି ଶ୍ରୀ ଭୋଇ କହିଥିଲେ।