ସମ୍ବଲପୁର: ବହୁ ପ୍ରତୀକ୍ଷିତ ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନ୍‌ର ଦୋହରୀକରଣ କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହୋଇ ନୂଆ ଲାଇନ୍‌ରେ ପରୀକ୍ଷାମୂଳକଭାବେ ଫାଙ୍କା ଟ୍ରେନ୍‌ ଦୌଡ଼ିଛି। ୧୮୨ କିଲୋମିଟର୍‌ ଲମ୍ବା ଏହି ଲାଇନ୍‌ର ଦୋହରୀକରଣ ପ୍ରକଳ୍ପ ପାଇଁ ୨୦୦୯ରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିଭିନ୍ନ ଅଂଶର କାମ ପର୍ଯ୍ୟାୟ କ୍ରମେ ଚାଲିଥିଲା। ଏହାର ‌ବାକିଥିବା ଶେଷ ଅଂଶ ଦେ’ବାହାଲ-ବରଗଡ଼-ବରପାଲି ଷ୍ଟେସନ୍ ମଧ୍ୟବର୍ତ୍ତୀ ଦୋହରା ଲାଇନ୍‌ କାମ ବି ଶେଷ ହୋଇ ଏହା ଉପରେ ରେଳ ଦୌଡ଼ିଛି।

Advertisment

ଶୁକ୍ରବାର ଦକ୍ଷିଣ ପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ ଏଏମ୍‌ ଚୌଧୁରୀଙ୍କ ଉପସ୍ଥିତିରେ ଦେ’ବାହାଲରୁ ବରପାଲି ମଧ୍ୟରେ ସ୍ପିଡ୍‌ ଟ୍ରାଏଲ୍ କରାଯାଇଛି। ସିଆର୍‌ଏସ୍‌ ଶ୍ରୀ ଚୌଧୁରୀ ୨ ଦିନିଆ ଗସ୍ତରେ ‌ଆସି ଏହି ନୂଆ ଲାଇନ୍‌ର ସମସ୍ତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟର ଯାଞ୍ଚ କରିବା ପରେ ସ୍ପିଡ୍‌ ଟ୍ରାଏଲ୍ ବି ସଫଳତାର ସହ ସମ୍ପନ୍ନ ହୋଇଛି। ଏଣିକି ଏହି ଅଂଶର ବି ବିଧିବଦ୍ଧ କମିସନିଂ ହୋଇ ଏହା ଉପରେ ରେଳ ଦୌଡ଼ିବ। ଏହି ସେକ୍ସନ୍‌ର ବାକି ସବୁ ଅଂଶର କମିସନିଂ ପୂର୍ବରୁ ହୋଇ ସାରିଥିବାରୁ ଏବେ ସଂପୂର୍ଣ୍ଣ ୧୮୨ କିଲୋମିଟର୍‌ର ଦୋହରୀକରଣ ଓ ବିଦ୍ୟୁତୀକରଣ ଶେଷ ହୋଇଛି। ଏଣିକି ସମ୍ବଲପୁର ଟିଟିଲାଗଡ଼ ସେକ୍ସନ୍‌ରେ ରେଳ ଟ୍ରାଫିକ୍ ସମସ୍ୟା କିଛି ମାତ୍ରାରେ କମ୍ ହେବ ଓ ଯାତାୟତ ସୁଗମ ହେବ। ଆଗାମୀ ଦିନରେ ଏହି ମାର୍ଗରେ ଚଳାଚଳ ପାଇଁ ଅଧିକ ନୂଆ ଟ୍ରେନ୍‌ ମଞ୍ଜୁର ହୋଇପାରେ ବୋଲି ଆଶା ସଂଚାର ହୋଇଛି।