ସମ୍ବଲପୁର: ରବିବାର ସକାଳେ ଯୁଯୁମରା ବ୍ଲକ୍ ଅଞ୍ଚଳ ପଡ଼ିଆବାହାଲ ରେଞ୍ଜ୍ ଅନ୍ତର୍ଗତ ଛାମୁଣ୍ଡା-କୁଶାମୁରା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅସୁସ୍ଥ ଦନ୍ତାହାତୀର ଚିକିତ୍ସା ଆରମ୍ଭ ହୋଇଛି।
ଭୁବନେଶ୍ୱରସ୍ଥିତ ଓୟୁଏଟିର ସଲ୍ୟଚିକିତ୍ସକ ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଏକ ପଶୁଚିକିତ୍ସକ ଦଳ ଅସୁସ୍ଥ ଦନ୍ତାଟିକୁ ଟ୍ରାଙ୍କ୍ୟୁଲାଇଜ୍ କରିବା ପରେ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରି ଉପଯୁକ୍ତ ଚିକିତ୍ସା କରିଛନ୍ତି।
ଦ୍ୱିତୀୟ ଉଦ୍ୟମରେ ଟ୍ରାଙ୍କ୍ୟୁଲାଇଜ୍ ହୋଇଥିବା ହାତୀଟି ଗୁଳି ଚୋଟରେ ଆହତ ହୋଇଛି କି, ନାହିଁ ଜାଣିବାକୁ ମେଟାଲ୍ ଡିଟେକ୍ଟର୍ରେ ଯାଞ୍ଚ କରାଯାଇଛି। ହାତୀର ଲାଞ୍ଜ ଉପରେ ଗୋଟାଏ ଘା’ ହୋଇଛି ଓ ଗୋଡ଼ର ହାଡ଼ ଚଡ଼କି ଯାଇଛି।
ପରେ ଅସୁସ୍ଥ ହାତୀଟିକୁ ଡାକ୍ତରମାନେ ସାଲାଇନ୍ ଓ ଔଷଧ ଦେଇଥିଲେ। ହାତୀଟି ଉଠିବା ପରେ ସମବେତ ଲୋକଙ୍କୁ ଗୋଡ଼ାଇ ଥିଲା।
ଗୋଟିଏ ପଲ ମଧ୍ୟରେ ଦୁଇଟି ଦନ୍ତାହାତୀଙ୍କ ମଧ୍ୟରେ ଘଟିଥିବା ସଂର୍ଘଷ ଫଳରେ ହାତୀଟି ଆହତ ହୋଇଛି। ହାଡ଼ ଖସି ଯାଇଥିବାରୁ ତା’ର ଗୋଡ଼ ଫୁଲିଛି। ତା’ ଦେହରେ କୌଣସି ଗୁଳି ଚୋଟ କିଂବା ତୀର ମାଡ଼ ହୋଇଥିବାର ଲକ୍ଷଣ ନାହିଁ ବୋଲି ସମ୍ବଲପୁର ଡିଏଫ୍ଓ କହିଛନ୍ତି।
ଅସୁସ୍ଥ ଦନ୍ତାହାତୀଟି ୨ ସପ୍ତାହ ହେବ ଆଖପାଖ ଅଞ୍ଚଳରେ ଛୋଟେଇ ଛେଟେଇ ଚାଲବୁଲ କରୁଥିଲା।