ସମ୍ବଲପୁରରେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା : ୪ ଅଭିଯୁକ୍ତ ଗିରଫ, ୨୦ ଦିନ ଭିତରେ ଚାର୍ଜସିଟ୍‌ ଦାଖଲ

ପୀଡ଼ିତାଙ୍କୁ ଭେଟିଲେ ମହିଳା କମିସନ ଅଧ୍ୟକ୍ଷା, ଲାଗିଲା ରେଡ୍‌ ଫ୍ଲାଗ୍‌ ଟ୍ୟାଗ୍‌, ଗିରଫ ସଂଖ୍ୟା ବଢ଼ିବ!

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଡେଙ୍ଗ୍‌ସରଗି ଅଞ୍ଚଳରେ ଜଣେ ଆଦିବାସୀ ବିବାହିତା ମହିଳା(୩୦)ଙ୍କୁ ଗଣଦୁଷ୍କର୍ମ ହେବା ଘଟଣା ସମଗ୍ର ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ ରାଜ୍ୟ ସରକାର ମଧ୍ୟ ଗୁରୁତର ସହ ଗ୍ରହଣ କରିଛନ୍ତି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୁଲିସ୍‌ ମୁଖ୍ୟାଳୟର ନିର୍ଦେଶାନୁସାରେ ରେଡ୍‌ ଫ୍ଲାଗ୍‌ ଟ୍ୟାଗ୍‌ ଲଗାଯାଇଛି। ସେପଟେ, ରବିବାର ପୁଲିସ୍‌ ଅଟକ ରଖିଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨୦ ଦିନ ମଧ୍ୟ‌ରେ ଚାର୍ଜସିଟ୍‌ ଦାଖଲ କରାଯିବ ‌ବୋଲି ଏସ୍‌ପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି। ସେହିଭଳି, ସୋମବାର ସନ୍ଧ୍ୟାରେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଡ.ମିନତି ବେହେରା ବୁର୍ଲା ଡାକ୍ତରଖାନାରେ ପୀଡ଼ିତାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ସେହି ଅଞ୍ଚଳର ଶିବ ଶଙ୍କର ନାଏକ(୨୫), ଡୋଳାମଣି ଭୁଏ ଓରଫ ଭାଙ୍ଗଡୁବି(୩୦), ମହେଶ ସେଠ୍‌(୨୪) ଓ ଅକ୍ରୁର ଛୁରିଆ(୨୨)। ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ବ୍ୟବହୃତ ଏକ ବାଇକ୍‌(ଓଆର୍‌ ୧୫ ଇ ୮୫୯୧)ଜବତ କରାଯାଇଛି। ଡାକ୍ତରଖାନାରେ ପୀଡ଼ିତାଙ୍କ ବୟାନ ଅନୁସାରେ ଅଭିଯୁକ୍ତଙ୍କୁ ପୁଲିସ୍‌ ଚିହ୍ନଟ କରିଛି। ଏହି ଘଟଣାରେ ଆହୁରି ଅଧିକ ଲୋକଙ୍କ ସମ୍ପୃକ୍ତି ରହିଥିବା ନେଇ ଆଶଙ୍କା କରାଯାଉଥିବାରୁ ଗିରଫ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧ‌‌‌ା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇନଥିବାରୁ ଅନେକ ଘଟଣା ସାମ୍ନାକୁ ଆସିପାରିନାହିଁ। ତେବେ ସମ୍ବଲପୁର ପୁଲିସ୍‌ ଏହି ଘଟଣାକୁ ଗୁରୁତର ସହ ନେଇଥିବା ସମୟରେ ପ୍ରାଥମିକ ଭିତ୍ତିରେ ତଦନ୍ତ ଶେଷ କରି ୨୦ ଦିନ ମଧ୍ୟ‌ରେ ଚାର୍ଜସିଟ୍‌ ଦାଖଲ କରିବ ବୋଲି ଏସ୍‌ପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି। ଏହି ଘଟଣା ପାଇଁ ସ୍ବତନ୍ତ୍ର ସରକାରୀ ଓକିଲ ନିଯୁକ୍ତ କରିବା ସହ ତ୍ବରିତ ଶୁଣାଣି ପାଇଁ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଚିଠି ଲେଖାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ସୋମବାର ସକାଳୁ ଏସ୍‌ପି ଶ୍ରୀ ସିଂ ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଖାନା ଯାଇ ପୀଡ଼ିତାଙ୍କୁ ଭେଟିଥିଲେ।

ପୀଡ଼ିତା‌ଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ତେଣୁ ତାଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଉଛି। ସ୍ବାସ୍ଥ୍ୟାବସ୍ଥା ଠିକ୍‌ ହେବାକୁ ଆହୁରି ସମୟ ଲାଗିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ପୀଡ଼ିତା ଠିକ୍‌ ଭାବେ କଥା ହୋଇପାରୁନଥିବା ସମୟରେ ବେଡ୍‌ରୁ ଉଠିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ସେପ‌ଟେ, ଡାକ୍ତରଖାନାରେ ଯେଭଳି ଭାବେ କୌଣସି ଅସୁବିଧା ନହୁଏ ସେଥିପ୍ରତି ନଜର ରଖିବାକୁ ନିର୍ଦେଶ ଦିଆଯାଇଛି।

ଆଜି ସନ୍ଧ୍ୟାରେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଡ.ମିନତି ବେହେରା ବୁର୍ଲା ଡାକ୍ତରଖାନାରେ ପୀଡ଼ିତାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ପୀଡ଼ିତାଙ୍କ ମୁଣ୍ଡ ପଛପାର୍ଶ୍ବରେ ଆଘାତ ଲାଗି ରକ୍ତ ଜମାଟ ବାନ୍ଧିଥିବାରୁ ସେ ଠିକ୍‌ରେ କଥା ହୋଇପାରୁନାହାନ୍ତି। ତେଣୁ ପ୍ରା‌ୟ ୧୫ ମିନିଟ ଧରି ଡ.ବେହେରା ପୀଡ଼ିତାଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି।

ପ୍ରକାଶଥାଉକି, ଶନିବାର ସନ୍ଧ୍ୟାରେ ଅଇଁଠାପାଲି ଥାନା ଡେଙ୍ଗସର୍‌ଗି ଅଞ୍ଚଳର ଜଣେ ମହିଳା ଛକରେ ଛିଡ଼ା ହୋଇଥିବା ସମୟରେ ୨ ଯୁବକ ତାଙ୍କୁ ବାଇକ୍‌‌ରେ ଲିଫ୍ଟ ଦେବା ବାହାନା କରି ଡାକି ନେଇଥିଲେ। ପ୍ରାୟ ୧ କିମି ଦୂର କେନାଲ କୂଳରେ ଥିବା ଏକ ପାଳଗଦାକୁ ନେଇ ଉକ୍ତ ଯୁବକମାନେ ମହିଳାଙ୍କୁ ନିଶା ଖୁଆଇ ଦୁଷ୍କର୍ମ କରିଥିଲେ। ଏହାପରେ ଘଟଣାସ୍ଥଳରେ ଆଉ ୨ ଯୁବକ ପହଞ୍ଚି ରାତିତମାମ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ମହିଳାଙ୍କୁ ଅନ୍ୟତ୍ର ନେଇ ଛାଡ଼ିବାକୁ ଯିବା ସମୟରେ ସେ ବରେଇପାଲି ନିକଟସ୍ଥ ଏକ ମୋବାଇଲ ରିପାଏରିଂ ଦୋକାନ ନିକଟରେ ଖସିପଡ଼ିଥିଲେ। ଏହି ଘଟଣାରେ ତାଙ୍କ ମୁଣ୍ଡ ପଛପାର୍ଶ୍ବରେ ଆଘାତ ଲାଗିଥିଲା। ସକାଳୁ ଜଣେ ଜଳଖିଆ ଦୋକାନୀ ମହିଳାଙ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ ପୁଲିସ୍‌କୁ ସୂଚନା ଦେଇଥିଲେ। ଅଇଁଠାପାଲି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ସମ୍ବନ୍ଧିତ ଖବର