ସମ୍ବଲପୁର: ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍‌ ଆରେହୀ ମୃତ; ଜଣେ ଆହତ

ସମ୍ବଲପୁର: ଆଜି ସକାଳ ଆଠଟା ପରେ ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଯୁଯୁମୁରାସ୍ଥିତ ପେଟ୍ରୋଲ୍‌ ପମ୍ପ୍‌ ନିକଟରେ କୌଣସି ଅଜଣା ଗାଡ଼ି ଧକ୍କାରେ ଗୋଟିଏ ମୋଟରସାଇକେଲ୍‌ ଚଢ଼ି ଯାଉଥିବା ତିନି ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ସାଙ୍ଘାତିକ ଆହତ ହୋଇଛନ୍ତି। ମୃତାହତଙ୍କ ନାଁ ଜଣାପଡ଼ି ନାହିଁ।

ସେମାନଙ୍କ ଘର ରେଙ୍ଗାଲି ବ୍ଲକ୍‌ ଅନ୍ତର୍ଗତ ଲପଙ୍ଗା ଗାଁ’ରେ। ଜଣେ ସମ୍ପର୍କୀୟଙ୍କ ବାହାଘର ଅନୁଷ୍ଠାନରେ ଯୋଗ ଦେବା ପାଇଁ ସେମାନେ ଗତକାଲି ଗଡ଼ଲୁଇସିଂହ ଗାଁକୁ ଯାଇଥିଲେ। ସେଠାରୁ ସେମାନେ ଆଜି ସମ୍ବଲପୁର ଆଡ଼କୁ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା କୌଣସି ଅଜଣା ଗାଡ଼ି ସହ ଧକ୍କା ଖାଇଛନ୍ତି ବୋଲି କୁହାଯାଉଛି।

ସେମାନେ ରାସ୍ତାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ନିମନ୍ତେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଆହତ ଜଣକ ବେହୋସ ଅଛନ୍ତି।

ସମ୍ବନ୍ଧିତ ଖବର