ଅଇଁଠାପାଲି ଥାନା ହାଜତ ମୃତ୍ୟୁ: ଦୁଇ ପୁଲିସ ନିଲମ୍ବିତ

ସମ୍ବଲପୁର: ଅଇଁଠାପାଲି ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ଡାଏରି ଚାର୍ଜ ଅଫିସର୍‌ ଏବଂ ସେଣ୍ଟ୍ରି ଏନ୍‌. ଚୌଧୁରୀଙ୍କୁ ଆଇ. ଜି. ସୁଶାନ୍ତ କୁମାର ନାଥ ନିଲମ୍ବିତ କରିଛନ୍ତି।

ହାଜତ ମୃତ୍ୟୁ ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଲୋକେ ପ୍ରତିବାଦ ସ୍ୱରୂପ ସମ୍ବଲପୁର-ଝାରସୁଗୁଡ଼ା ରସ୍ତାର ଭାଲୁପାଲି ଛକରେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଶହ ଶହ ଗାଡ଼ି ମୋଟର ଠିଆ ହୋଇ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିଥିବାବେଳେ ଥାନା ମଧ୍ୟରେ କିଛି ଉତ୍ତ୍ୟକ୍ତ ଲୋକେ ପଶି ଭଙ୍ଗାରୁଜା କରିବା ସହ ନିଅାଁ ଲଗାଇ ଦେଇଥିଲେ। ତା’ଛଡ଼ା ଥାନା ପରିସରେ ଜବତ ହୋଇଥିବା ଚୋରି ଗାଡ଼ିରେ (୮ଟି ଜିପ୍‌ ଓ କାର୍‌, ୨ଟା ଟେମ୍ପୋ ଏବଂ ୧୧ଟି ମୋଟର୍‌ସାଇକେଲ୍‌) ଲୋକେ ନିଅାଁ ଲଗାଇ ଦେଇଥିଲେ। ଥାନା ଗାଡ଼ି ମଧ୍ୟ ପୋଡ଼ା ଯାଇଥିବା କୁହାଯାଉଛି।

ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବାକୁ ପୁଲିସ ଲାଠି ଚାଳନା କରିବାରୁ ପରିସ୍ଥିତି ଆହୁରି ହିଂସାତ୍ମକ ହୋଇ ଉଠିଥିଲା। ଲୋକେ ପୁଲିସ ଉପରକୁ ଟେକାପଥର ଫିଙ୍ଗିଥିଲେ। ଏଥିରେ ଉଭୟ ପୁଲିସ ଓ ସାଧାରଣ ଜନତା ଓ ବିଭିନ୍ନ ଗଣମାଧ୍ୟ ପ୍ରତିନିଧି ମଧ୍ୟ ଆହତ ହୋଇଛନ୍ତି।
ଗାଡ଼ିମଟର ଭିଡ଼ ଯୋଗୁଁ ଅଧିକ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ପୁଲିସ ଫାଙ୍କା ଗୁଳି ଚାଳନା କରିବାରୁ ଲୋକେ ଛତ୍ରଭଙ୍ଗ ଦେଇ ପଳାଇଥିଲେ।

ପୁଲିସ ତୁଳନାରେ ଉତ୍ତ୍ୟକ୍ତ ଜନତା (ଉଭୟ ପୁରୁଷ ଓ ନାରୀ) ସଂଖ୍ୟାଧିକ ଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହଜ ନ ଥିଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର