ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁୁଳପତି ଦ୍ଵାୟିତ୍ଵରେ ରହିବେ ଆରଡିସି

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଆସନ୍ତା ୯ତାରିଖରେ ଶେଷ ହେବାକୁ ଯାଉଛି। କୁଳାଧିପତି ତଥା ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ତେବେ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହୋଇଥିବାରୁ ଆସନ୍ତା ୯ତାରିଖରୁ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ କମିସନର(ଆର୍‍ଡିସି) ଡି ଭି ସ୍ୱାମୀ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଦାୟିତ୍ଵ ନେବେ ବୋଲି ଜଣାଯାଇଛି। ନୂଆ କୁଳପତି ନିଯୁକ୍ତି ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ। ଏନେଇ ସୋମବାର କୁଳାଧିପତିଙ୍କ କାର୍ଯ୍ୟାଳୟରୁ ବିଶ୍ୱବିଦ୍ୟାଳୟ କୁଳସଚିବ ପାଖକୁ ଚିଠି ହୋଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚିତ୍ତ ରଂଜନ ତ୍ରିପାଠୀ ଆସନ୍ତା ୯ତାରିଖ ଆରଡିସିଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବେ ବୋଲି ଜଣାଯାଇଛି। ଅପରପକ୍ଷେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟାରେ ତିନି ଜଣିଆ ସର୍ଚ କମିଟି ଗଠନ ହୋଇସାରିଛି। ଇତି ମଧ୍ୟରେ କୁଳାଧିପତିଙ୍କ ନିର୍ଦେଶକ୍ରମେ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆବେଦନର ଶେଷ ତାରିଖ ଆସନ୍ତା ୩୦ ନଭେମ୍ବର ରଖାଯାଇଛି।

ସମ୍ବନ୍ଧିତ ଖବର