ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ କଟିଲା ୧୧୫ କଲେଜ : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ୬୫ କଲେଜ, ଭବାନୀପାଟଣା ବିଶ୍ୱବିଦ୍ୟାଳୟ ଅଧୀନରେ ୫୦

ଭୁବ‌ନେଶ୍ବର : ବଲାଙ୍ଗୀରର ରା‌ଜେନ୍ଦ୍ର ଏକକ ବିଶ୍ବବିଦ୍ୟାଳୟ ଓ ଭବାନୀପାଟଣା ଏକକ ବିଶ୍ବବିଦ୍ୟାଳୟକୁ ଅନୁବନ୍ଧିତ(ଆଫିଲିଏଟେଡ୍‌) ବିଶ୍ବବିଦ୍ୟାଳୟ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାୟ ୬୫ଟି ମହାବିଦ୍ୟାଳୟ ଏବେ ଏହା ଅଧୀନକୁ ଆସିବ। ସେହିପରି ଭବାନୀପାଟଣା ବିଶ୍ବବିଦ୍ୟାଳୟ ଅଧୀନରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର‌ ପ୍ରାୟ ୫୦ଟି ମହାବିଦ୍ୟାଳୟ ଅନୁବନ୍ଧିତ ରହିବ। ଉକ୍ତ ମହାବିଦ୍ୟାଳୟଗୁଡ଼ିକ ଏବେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ରହିଛି।

ସୂଚନା ଅନୁଯାୟୀ ଏବେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ପ୍ରାୟ ୨୪୦ଟି ମହାବିଦ୍ୟାଳୟ ଅନୁବନ୍ଧିତ ରହିଛି। ଉକ୍ତ ଦୁଇଟି ନୂତନ ବିଶ୍ବବିଦ୍ୟାଳୟ ଅଧୀନକୁ ୪ଟି ଜିଲ୍ଲାର ୧୧୫ଟି କଲେଜ ଆସିବ। ବାକି ୬ଟି ଜିଲ୍ଲାର ୧୨୫ଟି କଲେଜ ପୂର୍ବଭଳି ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ରହିବ। ୧୧୫ କଲେଜ ବାଦ୍‌ ପଡ଼ିବା ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କାର୍ଯ୍ୟଭାର ଲାଘବ ହେବ। କାର୍ଯ୍ୟଦକ୍ଷତା ବି ବୃଦ୍ଧି ପାଇବ। ପରୀକ୍ଷା ପରିଚାଳନା, ଫଳ ପ୍ରକାଶ, ନାମଲେଖା ପ୍ରକ୍ରିୟା ଆଦି ସୁରୁଖୁରରେ ତ୍ବରାନ୍ବିତ ହୋଇପାରିବ। ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ମଧ୍ୟ ସୁବିଧା ହେବ। ଏହାଦ୍ବାରା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ। ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ବିଶ୍ବବିଦ୍ୟାଳୟ ସହ ଯୋଗ‌ାଯୋଗ କରିବା ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ପ୍ରାଶାସନିକ ପ୍ରକ୍ରିୟାରେ ପାରଦର୍ଶିତା ଆସିପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

ସୂଚନାଯୋଗ୍ୟ ଯେ ୧୯୪୪ ମସିହାରେ ପ୍ରତିଷ୍ଠା ହୋଇଥିବା ବଲାଙ୍ଗୀରର ରାଜେନ୍ଦ୍ର ମହାବିଦ୍ୟାଳୟକୁ ଗତ ମାର୍ଚ୍ଚ ୨ରେ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଇଥିଲା। ସେହିପରି ୧୯୬୦ରେ ପ୍ରତିଷ୍ଠା ହୋଇଥିବା ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ମାର୍ଚ୍ଚ ୬ରେ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଥିଲା। ଏବେ ଏହାକୁ ପରିବର୍ତନ କରାଯାଇ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ କରାଯାଇଛି।

ସମ୍ବନ୍ଧିତ ଖବର