ସମ୍ବଲପୁର ବିଶ୍ବବିଦ୍ୟାଳୟ +୩ ପରୀକ୍ଷା: ଲଗାତାର ତୃତୀୟ ଦିନରେ ବି ପରୀକ୍ଷା ବାତିଲ୍ 

ବୁର୍ଲା: ସମ୍ବଲପୁର ବିଶ୍ବବିଦ୍ୟାଳୟ +୩ ପରୀକ୍ଷାର ପ୍ରଶ୍ନପତ୍ର ଲଗାତାର ୨ ଦିନ ପ୍ରଘଟ ହୋଇଯିବା ପରେ ତୃତୀୟ ଦିନ ମଧ୍ୟ ଏଭଳି ସୂଚନା ପାଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ବାତିଲ୍ କରିଥିଲେ। ଯଦିଓ ବୁଧବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ + ୩ ଷଷ୍ଠ ସେମିଷ୍ଟର ପଦାର୍ଥବିଜ୍ଞାନ ସମ୍ମାନର ଇଲେକ୍ଟ୍ରୋମ୍ୟାଗ୍‌ନେଟିକ୍ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗକୁ ପରୀକ୍ଷା ନିୟନ୍ତ୍ରକ ଏକ ଗୁଜବ ବୋଲି କହିଥିଲେ, କିନ୍ତୁ ଗୁରବାର ଦିନ ଏଜୁକେସନ୍‌ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ପ୍ରଘଟ ହୋଇଥିବା ସ୍ବୀକାର କରିଥିଲେ। ବୁଧବାର ପରୀକ୍ଷା ହୋଇଥିଲାବେଳେ ଗୁରୁବାର ଓ ଶୁକ୍ରବାର ଏହା ବାତିଲ ହୋଇଛି।

ଶୁକ୍ରବାର ସକାଳ ୯:୩୦ ସମୟରେ କୌଣସି ଅସମର୍ଥିତ ସୂତ୍ରରୁ ଖବର ପାଇବା ପରେ ପରୀକ୍ଷା ନିୟନ୍ତ୍ରକ କୁଳପତିଙ୍କ ସହ ଆଲୋଚନା କରି ଆଜିର +୩ ଷଷ୍ଠ ସେମିଷ୍ଟର ପଦାର୍ଥବିଜ୍ଞାନର ଷ୍ଟlଟିଷ୍ଟିକାଲ ମେକାନିକସ୍ ପରୀକ୍ଷାକୁ ସତର୍କତl ମୂଳକ ପଦକ୍ଷେପ ସ୍ବରୂପ ବାତିଲ କରା ଯାଇଥିଲା।  ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୬୦ ଟି କଲେଜ୍‌କୁ ସୂଚନା ଦେଇ ପରୀକ୍ଷାକୁ ବାତିଲ୍ କରା ଯାଇଥିଲା ଓ ଏହି ପରୀକ୍ଷା ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଥିଲେ। କିନ୍ତୁ ପରୀକ୍ଷା ବାତିଲ୍ ହେବା ଦ୍ବାରା  ୩ ରୁ ୪ ହଜାର ଛାତ୍ରଛାତ୍ରୀ  ପରୀକ୍ଷା ଦେବାରୁ ବଂଚିତ ହେଇଥିଲେ। ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଘଟଣା ନିରାଶ କରିଛି। ଏ ସମ୍ବନ୍ଧରେ ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ରବୀନ୍ଦ୍ର ପାଣିଗ୍ରାହୀ ନିଜ ପକ୍ଷ ରଖି କହିଲେ ଯେ ଆଜି ପ୍ରଶ୍ନପତ୍ର ଲିକ୍ ହେବାର ସୂଚନା ଏକ ଅସମର୍ଥିତ ସୂତ୍ରରୁ ସକାଳେ ପ୍ରାୟ ୯:୩୦ ସମୟରେ ଜଣାପଡିଥିଲା ।

ଖବର ପାଇ ସେ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ସହ ଆଲୋଚନା କରି ବିଶ୍ଵବିଦ୍ୟାଳୟ ଅଧୀନରେ ଥବା ୬୦ଟି ବିଜ୍ଞାନ କଲେଜ୍‌କୁ ପରୀକ୍ଷା ବାତିଲ୍  ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା। କେଉଁ କାରଣରୁ ପ୍ରଶ୍ନପତ୍ର ବାରମ୍ବାର ଲିକ୍ ହେଉଛି ଏବଂ ଏଥିରେ କେଉଁ ସ୍ଥାନରେ ଦୋଷ ତ୍ରୁଟି ରହୁଛି ବୋଲି କୁଳପତି ପ୍ରଫେସର ମିତ୍ତଲଙ୍କୁ ପଚାରିବାରୁ ସେ କହିଥିଲେ ଯେ ପ୍ରାରମ୍ଭିକ ତଦନ୍ତରୁ ଏହା ମେନ୍ୟୁସ୍କ୍ରିପ୍‌ଟ ସ୍ତରରେ ଲିକ୍ ହୋଇଥିବା ଜଣାପଡିଛି। ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ପାଇଁ ଏକ ଚାରି ଜଣିଆ ଟିମ୍ ଗଠନ କରାଯାଇଛି। କିନ୍ତୁ ଲିକ୍ ହୋଇଥିବା ପଦାର୍ଥବିଜ୍ଞାନର ୨ ଟି ପେପର ଏବଂ ଏକୁକେସନ୍‌ର ଗୋଟିଏ ପେପରର ପ୍ରଶ୍ନପତ୍ର ପ୍ରଘଟ ପଛରେ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଏକ ଆଫିଲିଏଟେଡ କଲେଜ୍ (କୁଚିଣ୍ଡା ମହାବିଦ୍ୟାଳୟ)ର ପଦାର୍ଥ ବିଜ୍ଞାନର ଜଣେ ଅଧ୍ୟାପକ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଶିକ୍ଷା ବିଭାଗର ଅଧ୍ୟାପକ ରହିଥିବା ସୂଚନା ମିଳୁଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ମେନ୍ୟୁସ୍କ୍ରିପ୍ଟ ସ୍ତରରେ ଲିକ୍ ହୋଇଥିବା ଜଣାପଡ଼ିଥିବାରୁ ସେହି ଦୁଇ ଅଧ୍ୟାପକଙ୍କୁ ବିଶ୍ଵବିଦ୍ୟାଳୟକୁ ଡକାଯାଇଛି। ତଦନ୍ତକାରୀ କମିଟିକୁ ଯଥାଶୀଘ୍ର ରିପୋର୍ଟ୍ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସଙ୍ଗେସଙ୍ଗେ ଆଜି ବୁର୍ଲା ଥାନାରେ  ଓ ସମ୍ବଲପୁର ସାଇବର୍‌ ଥାନାରେ କୁଳସଚିବ ଡ. ନୃପରାଜ ସାହୁ ଲିଖିତ ଅଭିଯୋଗ କରିଛନ୍ତି। ବୁଧବାର ଦିନ ହୋଇଥିବା ପଦାର୍ଥବିଜ୍ଞାନ ସମ୍ମାନର ଇଲେକ୍ଟ୍ରୋମ୍ୟାଗ୍‌ନେଟିକ୍ ବିଷୟର ପ୍ରଶ୍ନପତ୍ର ମଧ୍ୟ ତଦନ୍ତ ପରିସରଭୁକ୍ତ ରହିବ। ଯଦି ଏହି ପେପର୍ ମଧ୍ୟ ଲିକ୍ ହୋଇଥାଏ ତେବେ ଅନ୍ୟ ଏକ ଦିନରେ ଏହି ବିଷୟର ମଧ୍ୟ ପୁନଃ ପରୀକ୍ଷା କରାଯିବ ବୋଲି କୁଳପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର