ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଚାଲିଛି କ’ଣ?

ପ୍ରମୁଖ ସଚିବଙ୍କୁ ଚିଠି ଲେଖିବା ପରେ ବି ରାଜ୍ୟ ସରକାର ଚୁପ୍!
କୁଳପତିଙ୍କ ବ୍ୟବହାରରେ କୁଳସଚିବ ଓ ବିତ୍ତ ନିୟନ୍ତ୍ରକ ବି ଅତିଷ୍ଠ

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର କେବଳ ନୁହନ୍ତି, କୁଳପତିଙ୍କ ବ୍ୟବହାରରେ ପିଅନଠାରୁ ଡାକ୍ତର, କୁଳସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ଅତିଷ୍ଠ ହେଲେଣି। ଅପମାନ ସହ୍ୟ କରିନପାରି ଦୀନବନ୍ଧୁ ଆତ୍ମଦାହ କରିଥିବା ବେଳେ ଏହି ଘଟଣାର ବହୁ ପୂର୍ବରୁ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଅଧୀନରେ ସେମାନେ କାମ କରିବା ପାରିବେ ନାହିଁ ବୋଲି କୁଳସଚିବ ଓ ବିତ୍ତ ନିୟନ୍ତ୍ରକ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ଏତେ ସବୁ ହେବା ପରେ ବି ରାଜ୍ୟ ସରକାର କିନ୍ତୁ ଆଶ୍ଚର୍ଯ୍ୟଜନକ ନିରବତା ଅବଳମ୍ବନ କରିଛନ୍ତି।

ଗତ ୨୦ ଏପ୍ରିଲରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର କୁଳପତିଙ୍କ ଦ୍ବାରା ଅପମାନିତ ହେବାପରେ ତାଙ୍କ ପ୍ରକୋଷ୍ଠ ଆଗରେ ଆତ୍ମଦାହ କରିଥିଲେ। ଆତ୍ମଦାହ ପୂର୍ବରୁ ଲେଖିଥିବା ଚିଠିରେ ସମଗ୍ର ଘଟଣା ସଂକ୍ରାନ୍ତରେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ। ତେବେ, ଏହାର ୧୨ ଦିନ ପୂର୍ବରୁ ଗତ ୮ ଏପ୍ରିଲରେ କୁଳସଚିବ ଥିବା ବରିଷ୍ଠ ଓଏଏସ୍‌ ଅଧିକାରୀ ସୀତାରାମ ପଟେଲ ଓ ବରିଷ୍ଠ ଓଏଫ୍‌ଏସ୍‌ ଅଧିକାରୀ ପି.କେ.ନାୟକ ମିଳିତ ଭାବେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ୮ଟି ଅଭିଯୋଗ ଉପରେ ୨ ପୃଷ୍ଠାର ଏକ ‌ଚିଠି ଲେଖିଛନ୍ତି। ଏହି ଚିଠିରେ ଶ୍ରୀ ପଟେଲ ଓ ଶ୍ରୀ ନାୟକ ଲେଖିଛନ୍ତି ଯେ, ଗତ ୫ ଏପ୍ରିଲ ଅପରାହ୍‌ଣ ୪ଟାରେ ଉନ୍ନୟନ କାର୍ଯ୍ୟ ସଂପର୍କିତ ବୈଠକରେ କୁଳପତି ପ୍ରଫେସର ମିତ୍ତଲ, କୁଳସଚିବ, ପିଜି କାଉନ୍‌ସିଲ ଅଧ୍ୟକ୍ଷ ଓ ବିତ୍ତ ନିୟନ୍ତ୍ରକଙ୍କ ଉପରେ ପ୍ରବଳ ବର୍ଷିଥିଲେ। ‘ସମସ୍ତଙ୍କ ଅବସ୍ଥା ଖରାପ କରିଦେବେ ’ ବୋଲି ଧମକ ଦେଇଥିଲେ। ୬ ଏପ୍ରିଲ ଦିନ ୧୧ଟାରେ ତାଙ୍କ ପ୍ରକୋଷ୍ଠରେ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ବିତ୍ତ ନିୟନ୍ତ୍ରକଙ୍କୁ କହିଥିଲେ, ‘ ମୋତେ ଇନୋଭା ଗାଡ଼ି ଦେଉନ, ନିଜେ କିନ୍ତୁ ଭଡ଼ାରେ ଆଣି ଗାଡ଼ି ଚଢ଼ୁଛ। ତ‌ୁମେ କେମିତି ଗାଡ଼ି ଚଢ଼ିବ ଦେଖୁଛି…।’ କେବଳ ସେତିକି ନୁହେଁ, ସେହିଦିନ ହିଁ ବିତ୍ତ ନିୟନ୍ତ୍ରକଙ୍କଠାରୁ ଗାଡ଼ି ପ୍ରତ୍ୟାହାର କରି‌ନେବା ପାଇଁ ଫାଇଲ୍ କାମ ଆରମ୍ଭ କରିଦେଇଥିଲେ। କଥା କଥାରେ ‘କୁଳପତି(ଭିସି)ଙ୍କ କ୍ଷମତା କ’ଣ ତୁମକୁ ଜଣାନାହିଁ ’ ବୋଲି କହୁଥିବା ପ୍ରଫେସର ମିତ୍ତଲ ବିଶ୍ବବିଦ୍ୟାଳୟରେ ମନମୁଖୀ ଶାସନ ଚଳାଇଛନ୍ତି। ବିଶ୍ବବିଦ୍ୟାଳୟର ଜିନିଷ କ୍ରୟ ବେଳେ ସରକାରୀ ନୀତିନିୟମ ପାଳନ କରାଯାଉନାହିଁ। ବ୍ୟବସାୟୀ/ବ୍ୟବସାୟିକ ସଂସ୍ଥାର ପ୍ରତିନିଧିଙ୍କୁ ଜିନିଷ କିଣିବା ପାଇଁ ନିଜ ପ୍ରକୋଷ୍ଠକୁ ଡାକି କଥାବାର୍ତ୍ତା କରୁଛନ୍ତି। ଜିନିଷ ବାବଦକୁ ଆଗ ପ୍ରାପ୍ୟ ପ୍ରଦାନ କରିସାରିବା ପରେ ସରକାରୀ ପ୍ରକ୍ରିୟା ଶେଷ କରିବାକୁ ବାଧ୍ୟ କରୁଛନ୍ତି। ନିଜ ପିଅନ୍ ଦ୍ବାରା ଫାଇଲ୍ ପଠାଇ ଅଧିକାରୀମାନଙ୍କୁ ସଂଗେସଂଗେ ଦସ୍ତଖତ କରିବା ତଥା ପ୍ରାପ୍ୟ ପ୍ରଦାନ କରିବାକୁ ବାଧ୍ୟ କରୁଥିବା ଭଳି ସାଂଘାତିକ ଅଭିଯୋଗ ଏହି ଦୁଇ ଅଧିକାରୀ ଆଣିଛନ୍ତି। ଅଫିସରମାନଙ୍କୁ କେବଳ ଦୁର୍ବ୍ୟବହାର ନୁହେଁ, ସେମାନଙ୍କ ପ୍ରତି ଅଶ୍ରାବ୍ୟ ଭାଷା ବି ପ୍ରୟୋଗ କରୁଥିବା ‌ଦୁହେଁ କହିଛନ୍ତି।

କେତେକ କର୍ମଚାରୀ ହାଇକୋର୍ଟରୁ କେସ୍‌ ଜିତିବା ପରେ ସରକାର ସେମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିବା ସତ୍ତ୍ବେ ସେମାନଙ୍କୁ ବିଶ୍ବବିଦ୍ୟାଳୟ ପାଣ୍ଠିରୁ ଅର୍ଥ ପ୍ରଦାନ କରିବାକୁ କୁଳପତି ଅନୁମତି ଦେଉନାହାନ୍ତି। କୁଳପତିଙ୍କ ଏଭଳି ଚାପ ଏବଂ ମାନସିକ ନିର୍ଯାତନା ଭିତରେ ତଥା ଅସ୍ବାସ୍ଥ୍ୟକର ପରିସ୍ଥିତିରେ ସେମାନେ କାମ କରିପାରିବେ ନାହିଁ ବୋଲି କୁଳସଚିବ ଶ୍ରୀ ପଟେଲ ଏବଂ ବିତ୍ତ ନିୟନ୍ତ୍ରକ ଶ୍ରୀ ନାୟକ ସ୍ପଷ୍ଟ ଭାବେ ଏହି ଚିଠି ଉଲ୍ଲେଖ କରିଛନ୍ତି। ସେମାନଙ୍କୁ ନିଜ ନିଜ ମୂଳ ବିଭାଗକୁ ଫେରାଇ ଦିଆଯାଉ ବୋଲି ଏହି ଦୁଇ ବରିଷ୍ଠ ଅଧିକାରୀ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଅନୁରୋଧ କରିଛନ୍ତି। ଏହି ଚିଠି ଦେବାକୁ ଇତିମଧ୍ୟରେ ୩ ସପ୍ତାହ ଅତିକ୍ରାନ୍ତ ହୋଇଗଲାଣି। କୁଳପତିଙ୍କୁ ନେଇ ଇତିମଧ୍ୟରେ ଅନେକ କିଛି ଘଟିଗଲାଣି। ଚତୁର୍ଥ ଓ ତୃତୀୟ ଶ୍ରେଣୀ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ବିଶ୍ବବିଦ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସମ୍ବଲପୁର ରାଜନେତା, ବୁଦ୍ଧିଜୀବୀମାନଙ୍କ ସାଂଗକୁ ପୂର୍ବତନ ସିଣ୍ଡିକେଟ ସଦସ୍ୟ, ସିନେଟ ସଦସ୍ୟମାନେ ଆନ୍ଦୋଳନରେ ନିଜକୁ ସାମିଲ କରିଛନ୍ତି। କୁଳପତିଙ୍କ ବିରୋଧରେ ବୁର୍ଲା ଥାନାରେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବା ଭଳି ସାଂଘାତିକ ଦଫାରେ ମାମଲା ବି ରୁଜୁ ହୋଇଛି। ଏତେ ସବୁ ହେବାପରେ ବି ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିବା ନେଇ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର