ସମ୍ବଲପୁର : ନୂଆ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଯୋଗଦାନ ପରଠାରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ଚର୍ଚ୍ଚାରେ ରହିଛି। ତ୍ରୁଟିପୂର୍ଣ୍ଣ ଆଦେଶ ଯୋଗୁ ଏବେ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ ବିତ୍ତ ନିୟନ୍ତ୍ରକ ଥିବା ଜଣେ ପ୍ରଫେସରଙ୍କୁ କୁଳସଚିବ ଦାୟିତ୍ବରେ ଥିବା ନିଜ ବିଭାଗର ଜଣେ ରିଡର୍ଙ୍କୁ ରିପୋର୍ଟିଂ କରିବାକୁ ପଡ଼ୁଛି। ଏହାକୁ ନେଇ ବିଶ୍ବବିଦ୍ୟାଳୟରେ ଅସ୍ବାଭାବିକ ପରିସ୍ଥତି ସୃଷ୍ଟି ହୋଇଛି।
ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ସଂଜୀବ ମିତ୍ତଲ ଦାୟିତ୍ବ ନେବା ପରେ ସମୟାନୁବର୍ତ୍ତିତାକୁ ଗୁରୁତ୍ବ ଦେବା ସହିତ ନୂଆ ପାଠ୍ୟକ୍ରମ ପ୍ରଚଳନ ଭଳି କେତେକ ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା। ହେଲେ ବିଶ୍ବବିଦ୍ୟାଳୟ ପରିସରରେ ମନଇଚ୍ଛା ଗଛକଟା, ଅପମାନ ସହି ନପାରି ଦୀନବନ୍ଧୁ ମିଶ୍ର ଆତ୍ମଦାହ କରିବା ଭଳି ଅନେକ ଘଟଣା ଇତିମଧ୍ୟରେ ଘଟିଯାଇଛି। ତେବେ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣା ପୂର୍ବରୁ କୁଳପତିଙ୍କ କାର୍ଯ୍ୟଶୈଳୀକୁ ଆପତ୍ତି ଉଠାଇ ବିଶ୍ବବିଦ୍ୟାଳୟର କୁଳସଚିବ ସୀତାରାମ ପଟେଲ ଓ ବିତ୍ତ ନିୟନ୍ତ୍ରକ ପ୍ରଶାନ୍ତ ନାୟକ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖି ସେମାନଙ୍କ ମୂଳ ବିଭାଗକୁ ଫେରିଯିବା ନେଇ ଆଗ୍ରହ ପ୍ରକାଶ କରିଥିଲେ।
ପରିଶେଷରେ ଜୁଲାଇ ମାସରୁ ସେମାନେ ମେଡିକାଲ ଲିଭ୍ରେ ରହିଥିବା ଜଣାପଡ଼ିଛି। ଇତିମଧ୍ୟରେ ଉଭୟଙ୍କ ବଦଳି ହୋଇଯାଇଛି। କୁଳସଚିବ ଦାୟିତ୍ବରେ ଥିବା ବରିଷ୍ଠ ଓଏଏସ୍ ଅଫିସର ସୀତାରାମ ପଟେଲଙ୍କ ପଦୋନ୍ନତି ବି ହୋଇଛି। ଏହି ଦୁଇ ଅଧିକାରୀ ଛୁଟିରେ ଥିବା ବେଳେ ସେମାନଙ୍କ ଜାଗାରେ ଯେଉଁ ଅଧିକାରୀମାନଙ୍କୁ ବଦଳି ହୋଇଛି, ସେମାନେ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ଏପଟେ ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଥିବା ଜଣେ ପ୍ରଫେସରଙ୍କୁ ବିତ୍ତ ନିୟନ୍ତ୍ରକ ଦାୟିତ୍ବ ଦିଆଯାଇଛି। ହେଲେ ସଂପୃକ୍ତ ପ୍ରଫେସରଙ୍କ ଠାରୁ ରୢାଙ୍କ୍ରେ ତଳେ ଥିବା ସେହି ବିଭାଗର ଜଣେ ରିଡରଙ୍କୁ କୁଳସଚିବ ଦାୟିତ୍ବ ଦିଆଯାଇଛି। ବିଶ୍ବବିଦ୍ୟାଳୟ ପ୍ରଶାସନରେ କୁଳସଚିବଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। କୁଳପତିଙ୍କ ପଦ ପରେ କୁଳସଚିବ ପଦ ଆସିଥାଏ। ହେଲେ ବିତ୍ତ ନିୟନ୍ତ୍ରକ ପଦ କୁଳସଚିବଙ୍କ ପଦ ଠାରୁ ବହୁ ତଳରେ ରହିଥାଏ।
ବିଶ୍ବବିଦ୍ୟାଳୟ ପରିଚାଳନା ନିମନ୍ତେ ନିଜସ୍ବ ଷ୍ଟାଚ୍ୟୁଟ୍ ରହିଛି। ଷ୍ଟାଚ୍ୟୁଟ୍ରେ ଅନୁସାରେ ବିଶ୍ବବିଦ୍ୟାଳୟର ପ୍ରାୟତଃ ସବୁକିଛି କାମ ହୋଇଥାଏ। କେତେକ କ୍ଷେତ୍ରରେ ଠିକ୍ ଭାବେ ଏହାର ପାଳନ କରାଯାଉନଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/sambalpur-university-institute-of-information-technology-suiit-orissa.jpg)