ସମ୍ବଲପୁର ବିଶ୍ୱବିଦ୍ୟାଳୟ ବହି ପୋଡ଼ି ଘଟଣା: କମିଟି ବସିଲା ହେଲେ ସମସ୍ତେ ଚୁପ୍

କାର୍ଯ୍ୟାନୁଷ୍ଠାନ ପାଇଁ କୁଳାଧିପତିଙ୍କୁ ପତ୍ର

ସମ୍ବଲପୁର/ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟର ବହି ପୋଡ଼ି ମାମଲାରେ କୌଣସି ଅଧିକାରୀ କିମ୍ବା ଅଧ୍ୟାପକ କେହି ବି ପାଟି ଫିଟାଉ ନାହାନ୍ତି। ପୁରୁଣା ବହି ବ୍ୟବହାର ନେଇ ବିଶ୍ବବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଗଠିତ କମିଟିର ବୈଠକ ଆଜି ଅନୁଷ୍ଠିତ ହୋଇଥିଲେ ହେଁ ଏ ସଂକ୍ରାନ୍ତରେ ଆଲୋଚନା ବି ହୋଇନଥିବା କୁହାଯାଉଛି। ଅପରପକ୍ଷରେ ବହି ପୋଡ଼ି ଘଟଣାକୁ ନେଇ ୩ ଜଣ ଆଇନଜୀବୀ ମିଳିତ ଭାବେ କୁଳାଧିପତିଙ୍କୁ ପତ୍ର ଲେଖି ସମ୍ବଲପୁର ବିଶ୍ବବିଦ୍ୟାଳୟ କତ୍ତୃର୍ପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁରୁଣା ବହି ଫିଙ୍ଗି ଦିଆଯାଇଥିବା ଘଟଣା କିଛିଦିନ ତଳେ ସାମ୍‌ନାକୁ ଆସିଥିଲା। ବହି କେବଳ ଫିଙ୍ଗାଯାଇନଥିଲା, ବହୁ ମୂଲ୍ୟବାନ ପୁସ୍ତକ ଓ ଜର୍ଣ୍ଣାଲକୁ ପୋଡ଼ି ଦିଆଯାଇଥିବା ନେଇ ପରବର୍ତ୍ତୀ ସମୟ‌େରେ ଖବର ମିଳିଥିଲା। ଏସବୁ ଘଟଣା ନେଇ ଖବର ପ୍ରକାଶ ପାଇବା ଏବଂ ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ ହେବାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତରବରିଆ ଭାବେ ଏକ ଲାଇବ୍ରେରି କମିଟି ଗଠନ କରିଛନ୍ତି। ଆଜି ସକାଳେ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଅଧ୍ୟକ୍ଷତାରେ ପୁରୁଣା ଲାଇବ୍ରେରି କୋଠାରେ ଲାଇବ୍ରେରି କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପିଜି କାଉନ୍‌ସିଲ ଅଧ୍ୟକ୍ଷ ପ୍ରଫେସର ସଂଜତ ସାହୁ, ସିଓଏଫ୍‌ ଅଶୋକ କୁମାର ବେହେରା, ପ୍ରଫେସର ପ୍ରଦୀପ୍ତ ବେହେରା, ପ୍ରଫେସର ସୂର୍ଯ୍ୟ ନାୟକ, ଡ. ରାଜୀବ ପାଢ଼ୀ, ପ୍ରଫେସର ବୁଲୁ ମହାରଣା, ପ୍ରଫେସର ଟି . ପାଲଟାସିଂହ, ପ୍ରଫେସର ଏସ୍. ଗୋସ୍ଵାମୀ, ପ୍ରଫେସର ଇ. କରିଆଳି ଏବଂ ଆସିଷ୍ଟାଣ୍ଟ ଲାଇବ୍ରିଆନ ଶ୍ରୀନିବାସ ପୁଆଲା ପ୍ରମୁଖ ଯୋଗ ଦେଇଥିଲେ। ବୈଠକ ନିଷ୍ପତ୍ତି ସଂପର୍କରେ ଜାଣିବା ପାଇଁ କୁଳପତି ପ୍ରଫେସର ମିତ୍ତଲଙ୍କଠାରୁ ଆରମ୍ଭ ଅନ୍ୟ କେତେକ ଉପସ୍ଥିତ ପଦାଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା। କୁଳପତି ପ୍ରଫେସର ମିତ୍ତଲ କଲ୍ ରିସିଭ୍ କରିନଥିଲେ। ଯେଉଁ ଅଧିକାରୀମାନେ ଉଠାଇଥିଲେ ବୈଠକ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇନଥିଲେ। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି ଯେ ଅଗାମୀ ଏକ ମାସ ମଧ୍ୟରେ ଲାଇବ୍ରେରିରେ ଥିବା ଉପଯୋଗୀ ପୁରୁଣା ବହି ଓ ଜର୍ଣ୍ଣାଲଗୁଡିକୁ ସଂପୃକ୍ତ ବିଭାଗର ବିଭାଗୀୟ ମୁଖ୍ୟମାନଙ୍କୁ ଦିଆଯିବ। ଅନ୍ୟ ବହିଗୁଡ଼ିକର ଡିଜିଟାଇଜେସନ କରାଯାଇ ଛାତ୍ରଛାତ୍ରୀମାନଙ୍କ ବ୍ୟବହାର ନିମନ୍ତେ ସଂରକ୍ଷିତ ରଖାଯିବ। ତେବେ, କୁଳପତି ପ୍ରଫେସର ମିତ୍ତଲଙ୍କ ଦ୍ବାରା ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ, ବହି ପୋଡ଼ା ମାମଲାରେ ସମସ୍ତେ ନିରବ ରହିଛନ୍ତି।

ଅପରପକ୍ଷରେ ଗତକାଲି ଆଇନଜୀବୀ ଦୁର୍ଗା ପାଢ଼ୀ, ଅରୁଣ କୁମାର ଏବଂ ସୁମନ୍ତ ସ୍ବାଇଁ ମିଳିତ ଭାବେ କୁଳାଧିପତିଙ୍କୁ ପତ୍ର ଲେଖି ଏହି ଘଟଣା ପାଇଁ କୁଳପତିଙ୍କୁ ହିଁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର