ସମ୍ବଲପୁର : ପରିଶେଷରେ ଛୁଟିରେ ଗଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲ। ବିଭିନ୍ନ କାରଣରୁ ବିବାଦୀୟ ହୋଇପଡ଼ିଥିବା କୁଳପତି ପ୍ରଫେସର ମିତ୍ତଲ ଛୁଟିରେ ଯିବା ଘଟଣାକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥିବାବେଳେ ଆଗକୁ କି ପଦକ୍ଷେପ ଗ୍ରହଣ କରାଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବୁଦ୍ଧିଜୀବୀ ମହଲରେ ତାହା ଆଲୋଡ଼ନ ସୃଷ୍ଟି କରିଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ସୋମବାର ସନ୍ଧ୍ୟା ୫ଟାରେ ପ୍ରଫେସର ମିତ୍ତଲ ବିଶ୍ବବିଦ୍ୟାଳୟର ପିଜି କାଉନ୍‌ସିଲ ଅଧ୍ୟକ୍ଷ ଡ. ସଂଯୁକ୍ତା ଦାଶଙ୍କୁ ଭାରପ୍ରାପ୍ତ କୁଳପତି ଦାୟିତ୍ବ ଦେଇଛନ୍ତି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ‌ ସେ ଛୁଟିରେ ରହି‌ବେ। କୁଳାଧପତିଙ୍କ ଦପ୍ତରକୁ ଆବେଦନପତ୍ର ଦେଇଥିବାରୁ ଛୁଟିରେ ଯିବାର କାରଣ ଜଣାପଡ଼ିନାହିଁ। ତାଙ୍କୁ ଛୁଟିରେ ଯିବାପାଇଁ କୁହାଯାଇଛି ନା ନିଜଆଡ଼ୁ ସେ ଛୁଟିରେ ଯାଉଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ତେବେ, ସରକାରୀ କାର୍ଯ୍ୟାନୁଷ୍ଠାନ ତଥା ଅପମାନଜନକ ସ୍ଥିତିରୁ ବର୍ତ୍ତିବା ନିମନ୍ତେ ବ୍ୟକ୍ତିଗତ କାରଣଦର୍ଶାଇ ସେ ଛୁଟି ନେଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। କେବଳ ସେତିକି ନ‌ୁହେଁ, ପ୍ରଥମ ପର୍ଯ୍ୟାୟ ଛୁଟି ସରିବାପରେ ପୁଣି ଲମ୍ବା ଛୁଟିରେ ଯାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଏପଟେ ଟଙ୍କା ଫେରାଇ କୁଳପତି ଆର୍ଥିକ ଅନିୟମିତତା କଥା ପରୋକ୍ଷ ସ୍ବୀକାର କରିଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସୋମବାର ଦିନ ସମ୍ବଲପୁରର କେତେକ ଆଇନଜୀବୀ ସରକାର ଓ କୁଳାଧିପତିଙ୍କ ଦପ୍ତରକୁ ପତ୍ର ଲେଖି ଅନୁରୋଧ କରିଥିବା ଜଣାପଡ଼ିଛି। ବିଲାସପୁରସ୍ଥିତ ସାଉଥ୍‌ ଇଣ୍ଟର୍ଣ୍ଣ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ ପକ୍ଷରୁ ‌ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ନିମନ୍ତେ ଆସିଥିବା ୩୩ ଲକ୍ଷ ୪୪ ହଜାର ଟଙ୍କା ମଧ୍ୟରୁ ସେ ୨୯ ଲକ୍ଷ ଟଙ୍କା ତାଙ୍କ ନିକଟ ସଂପର୍କୀୟଙ୍କ ପାଖକୁ ପଠାଇ ଦେଇଥିଲେ। ଏହି ଆର୍ଥିକ ଅନିୟମିତତା ଧରାପଡ଼ିବା ପରେ ସେ ଷ୍ଟେଟ୍‌ ବ୍ୟାଙ୍କ, ‌ଜ୍ୟୋତି ବିହାର ଶାଖାରେ ଉକ୍ତ ପ୍ରକଳ୍ପର ଆକାଉଣ୍ଟ ନମ୍ବର ୪୦୧୯୯୭୪୨୪୧୪ରେ ବାଧ୍ୟହୋଇ ଜମା କରିଥିଲେ। ତେବେ, ଉକ୍ତ ପ୍ରକଳ୍ପର ‘ପିଓ’ ନିଜେ ପ୍ରଫେସର ମିତ୍ତଲ ଥିବାରୁ ଉକ୍ତ ଟଙ୍କା ବିତ୍ତ ନିୟନ୍ତ୍ରକଙ୍କ ନାମରେ ଥିବା ବିଶ୍ବବିଦ୍ୟାଳୟର ନିଜ ଆକାଉଣ୍ଟ ନଆସିଲେ ପୁଣି ହେରଫେର କରାଯିବାର ଆଶଙ୍କା ରହିଥିବା କହିଛନ୍ତି। ଆହୁରି ମଧ୍ୟ ପଶ୍ନ କରିଛନ୍ତି, ରାଜ୍ୟ ସରକାର ଏବେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଥିବା କଥା କହୁଥିବାବେଳେ କୁଳପତି ପ୍ରଫେସର ମିତ୍ତଲଙ୍କ କ୍ଷେତ୍ରରେ ଦୋମୁହାଁ ନୀତି ଅବଲମ୍ବନ କରାଯାଉଛି କାହିଁକି?

ପ୍ରଫେସର ମିତ୍ତଲଙ୍କ କାର୍ଯ୍ୟକାଳ ସମୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅନେକ ଦୁର୍ନାମ ମୁଣ୍ଡାଉଛି। ବେନିୟମ ଭାବେ ଗଛକଟାଠାରୁ ଆରମ୍ଭ କରି ପାଠାଗାରରେ ବହି ପୋଡ଼ି, ଶି‌ଳ୍ପୋଦ୍ୟୋଗୀଙ୍କୁ ସମ୍ମାନସୂଚକ ଡି.ଲିଟ୍‌ ପ୍ରଦାନ, ସମାବର୍ତ୍ତନ ଉତ୍ସବରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦତ୍ତ ସ୍ବର୍ଣ୍ଣପଦକରେ ନିମ୍ନମାନର ସୁନା ଓ ପରିମାଣ କମ୍‌ ରହିବା ଭଳି ଅନେକ ଘଟଣା ଘଟିଛି। ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ନେଇ ବ୍ୟାପକ ଆନ୍ଦୋଳନ ହୋଇଥିବା ସତ୍ତ୍ବେ ସରକାର ତାଙ୍କ ପ୍ରତି କଠୋର ଆଭିମୁଖ୍ୟ ନେଇନଥିଲେ। ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ଆର୍ଥିକ ଅନିୟମିତତା ଘଟଣା ପରେ ତଦନ୍ତ ବେଳେ ସାଂଘାତିକ ତଥ୍ୟ ମିଳିଥିଲା। ତଥାପି, ‌ଗୋଟିଏ ଗୋଷ୍ଠୀ ତାଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ଆଇନଗତ କାର୍ଯ୍ୟାନୁଷ୍ଠାନରୁ ଯେମିତି ମୁକ୍ତି ପାଇଯିବେ, ସେଦିଗରେ ସେମାନେ ପରାମର୍ଶ ଦେଉଥିବା ଜଣାପଡ଼ିଛି। ଯାହାକି, ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟିକରିଛି।